
ପ୍ରମୋଦ ନାୟକ(ଭୁବନେଶ୍ବର): ରାଜଧାନୀରେ ହୋଲି ପାଇଁ ସଜାଗ କମିଶନରେଟ ପୋଲିସ। ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ ଉପରେ ରଖିବ ତିଖ୍ନ ନଜର। ଏ ନେଇ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ୱର ଡିସିପି ପ୍ରତୀକ ସିଂ ସୂଚନା ଦେଇ କହିଛନ୍ତି କି, ରାଜଧାନୀରେ ସକାଳ ୭ଟାରୁ ଅପରାହ୍ଣ ୩ଟା ଯାଏ ହୋଲି ପାଳିବାକୁ ଅନୁମତି ଦିଆଯାଇଛି। ଏହି ସମୟରେ ସ୍ପେଶାଲ ସ୍କ୍ୱାର୍ଡ ଓ ଟିମ-୬୦ ରାଜଧାନୀ ଉପରେ ନଜର ରଖିବ। ପୁଲିସ ୩୧ଟି ସ୍ଥାନରେ ପିକେଟିଙ୍ଗ କରିବ। ଏହାଛଡ଼ା ରାଜଧାନୀରେ ୧୭ଟି ମୋବାଇଲ ପାଟ୍ରୋଲିଙ୍ଗ ବ୍ୟବସ୍ଥା କରାଯାଇଛି।
ଏଥିସହ ହୋଲି ପାଇଁ ନଦୀପଠାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ନଦୀରେ ଗାଧୋଇବା ବେଳେ ଅଘଟଣକୁ ଏଡ଼ାଇବା ପାଇଁ ସବୁ ନଦୀ ପଠା ରେ ପୁଲିସ ଫୋର୍ସ, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ମୁତୟନ ରହିବେ। ପୁରୀ କେନାଲ, କୁଆଖାଇ, ଦୟା, ବାଳକାଟି କେନାଲ,ବିନ୍ଦୁସାଗର, କେଦାରଗୌରୀ ଓ ଗୁଆଝରରେ ନଜର ରଖିବ ପୁଲିସ। ୪ଟି ସ୍ଥାନରେ ଷ୍ଟାଇକିଙ୍ଗ ଫୋର୍ସଙ୍କୁ ବି ମୁତୟନ କରାଯିବ। ଏଥି ସହିତ କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଫୋର୍ସ ମୁତୟନକରାଯିବ ।ଯେଉଁମାନେ ଦୁର୍ଘଟଣା ଘଟି ମେଡିକାଲ ଆସିବେ, ସେମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ଏହି ଫୋର୍ସ ସହଯୋଗ କରିବେ।
ଶ୍ରୀ ସିଂ ଆହୁରି ମଧ୍ଯ କହିଛନ୍ତି ଯେ, ୪ ଜଣ ଏଡିସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୭ ଏସିପି, ୨୮ ଆଇଆଇସି, ୫୭ଜଣ ଏସଆଇ ଓ ୧୫ ପ୍ଲାଟୁନ ପୁଲିସ ଫୋର୍ସ କାର୍ଯ୍ୟ କରିବେ। ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ଟିମ୍ କାମର ତଦାରଖ କରିବେ। ରାତିରେ ବେଆଇନ ପାର୍ଟି ଓ ରେଭ ପାର୍ଟି ଉପରେ ବି ପୁଲିସ ପକ୍ଷରୁ ନଜର ରଖାଯାଇଛି। ହୋଲି ଉତ୍ସବ ପାଳିବା ନାଁରେ ନିଶା ଖାଇ ମଉଜ ନ କରିବାକୁ ଯୁବ ସମାଜକୁ ଚେତାବନୀ ଦେଇଛନ୍ତି।



