
ବାସ୍ତବ ବ୍ୟୁରୋ: ବାୟୁ ପ୍ରଦୂଷଣ ଉପରେ ନଜର ରଖୁଥିବା ଆଇକ୍ୟୁ ଏୟାର ଆଜି (ମଙ୍ଗଳବାର) ବିଶ୍ୱ ବାୟୁ ଗୁଣବତ୍ତା ରିପୋର୍ଟ ପ୍ରକାଶ କରିଛି। ବିଶ୍ୱରେ ଦିନ କୁ ଦିନ ବଢୁଥିବା ପ୍ରଦୂଷଣ ପାଇଁ ବିଷାକ୍ତ ପାଲଟିଗଲାଣି ବାୟୁ।
ଏହାରି ଭିତରେ ୨୦୨୨ ପାଇଁ ବିଶ୍ୱର ସବୁଠୁ ପ୍ରଦୂଷିତ ସହରର ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ସବୁଠାରୁ ଉପରେ ଥିବା ୫୦ଟି ସହର ମଧ୍ୟରେ ଭାରତର ୩୯ଟି ସହର ରହିଛି। ସ୍ୱିସ୍ ଆଇକ୍ୟୁ ଏୟାର ରିପୋର୍ଟ ଅନୁଯାୟୀ ଭାରତକୁ ବିଶ୍ୱର ୮ମ ପ୍ରଦୂଷିତ ଦେଶ ବୋଲି କୁହାଯାଇଛି। ୧୩୮ଟି ଦେଶର ଡାଟା ଆଧାରରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ ବିଶ୍ୱର ସବୁଠାରୁ ପ୍ରଦୂଷିତ ଦେଶ ତାଲିକାରେ ଭାରତ ୮ମ ସ୍ଥାନରେ ରହିଥିବା ବେଳେ ୨୦୨୧ରେ ଭାରତ ୫ମସ୍ଥାନରେ ଥିଲା । ପ୍ରଥମ ୩ଟି ସ୍ଥାନରେ ଅଛନ୍ତି ଇରାକ୍, ପାକିସ୍ତାନ ଓ ବାହାରିନ୍।
ସ୍ୱିସ୍ ଆଇକ୍ୟୁଏୟାର ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, ବିଶ୍ୱର ସବୁଠୁ ପ୍ରଦୂଷିତ ସହର ହେଉଛି ପାକିସ୍ତାନର ଲାହୋର। ଏହା ତାଲିକାର ସବୁଠୁ ଶୀର୍ଷରେ ରହିଛି। ସେହିପରି ଦ୍ୱିତୀୟ ସ୍ଥାନରେ ରହିଛି ଚୀନର ହୋଟାନ, ୩ୟ ସ୍ଥାନରେ ରହିଛି ରାଜସ୍ଥାନର ଭିୱଣ୍ଡି ଓ ଚତୁର୍ଥରେ ଦିଲ୍ଲୀ। ତେଣୁ ରିପୋର୍ଟ ମୁତାବକ ଭିୱଣ୍ଡି ହେଉଛି ଭାରତର ସବୁଠାରୁ ପ୍ରଦୂଷିତ ସହର। ୫ମ ସ୍ଥାନରେ ପାକିସ୍ତାନର ପେଶାୱାର ଥିବା ବେଳେ ଷଷ୍ଟରେ ବିହାରର ଦରଭଙ୍ଗା ଓ ସପ୍ତମ ସ୍ଥାନରେ ଆସୋପୁର ରହିଛି।
ଦେଶର ମହାନଗରଗୁଡ଼ିକ ମଧ୍ୟରୁ ରାଜଧାନୀ ଦିଲ୍ଲୀକୁ ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ମିଳିଛି। ସମଗ୍ର ବିଶ୍ୱରେ ଦିଲ୍ଲୀ ହେଉଛି ୪ ନଂ ସବୁଠାରୁ ପ୍ରଦୂଷିତ ସହର। ଦିଲ୍ଲୀ ତଳକୁ ରହିଛି କୋଲକାତା ଓ ଏହି ସହରର ବିଶ୍ୱ ରାଙ୍କ ୯୯ ରହିଛି। ୩ୟ ସ୍ଥାନରେ ରହିଛି ମୁମ୍ବାଇ, ଏହାର ରାଙ୍କ ରହିଛି ୧୩୭।
ପ୍ରଦୂଷିତ ୧୦୦ ସହର ମଧ୍ୟରୁ ଭାରତର ୬୫ଟି ସହର ରହିଛି। ସେହିପରି ଟପ୍ ୧୦ ସବୁଠୁ ପ୍ରଦୂଷିତ ସହର ମଧ୍ୟରୁ ଭାରତର ୬ଟି ସହର ରହିଛି।
ନୂଆଦିଲ୍ଲୀ ଆଉ ଅଧିକ ପ୍ରଦୂଷିତ ରାଜଧାନୀ ନୁହେଁ
ବର୍ତ୍ତମାନ ପର୍ଯ୍ୟନ୍ତ ଦିଲ୍ଲୀ ଦୁନିଆର ସବୁଠାରୁ ପ୍ରଦୂଷିତ ରାଜଧାନୀ ଥିଲା, କିନ୍ତୁ ଚଳିତ ବର୍ଷ ଆଇକ୍ୟୁ ଏୟାର ଦିଲ୍ଲୀକୁ ଦୁଇ ଭାଗରେ ସର୍ଭେ କରିଛି। ଗୋଟିଏ ନୂଆଦିଲ୍ଲୀ ଏବଂ ଅନ୍ୟଟି ଦିଲ୍ଲୀ। ଅଧିକାଂଶ ପ୍ରଦୂଷିତ ସହର ତାଲିକାରେ ଦିଲ୍ଲୀ ଚତୁର୍ଥ ଏବଂ ନୂଆଦିଲ୍ଲୀ ନବମ ସ୍ଥାନରେ ରହିଛି।
ଯଦି ସର୍ଭେ ଏଜେନ୍ସି ଦିଲ୍ଲୀକୁ ଦୁଇ ଭାଗରେ ବିଭକ୍ତ କରି ନଥାନ୍ତା, ତଥାପି ଏହା ଦୁନିଆର ସବୁଠାରୁ ପ୍ରଦୂଷିତ ରାଜଧାନୀ ହୋଇଥାନ୍ତା, କିନ୍ତୁ ନୂଆ ରିପୋର୍ଟ ଅନୁଯାୟୀ, ଟେକ୍ନିକାଲ୍ ନୂଆଦିଲ୍ଲୀ ବର୍ତ୍ତମାନ ଦ୍ୱିତୀୟ ସ୍ଥାନରେ ରହିଛି।