
ସଂଜୟ ଶତପଥୀ(କଟକ) : ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନ ଆସନ୍ତା ଏପ୍ରିଲ ୧୫ ତାରିଖରେ ଅନୁଷ୍ଠିତ ହେବ। ରାଜ୍ୟର ସମସ୍ତ ଜିଲ୍ଲାରେ ଏଥର ୧୬୭ଟି ବୁଥ୍ରେ ଭୋଟ ଗ୍ରହଣ କରାଯିବ। ରାଜ୍ୟ ଆଇନଜୀବୀ ପରିଷଦର ୨୫ଟି ସଦସ୍ୟ ପଦ ପାଇଁ ଅନୁଷ୍ଠିତ ହେବାକୁ ଥିବା ଏହି ନିର୍ବାଚନ ଲାଗି ପ୍ରକାଶିତ ଭୋଟର ତାଲିକାରେ ୩୪ହଜାର ୯୦୮ଜଣ ଆଇନଜୀବୀ ଭୋଟ ଦେବା ପାଇଁ ତାଲିକାଭୁକ୍ତ ହୋଇଛନ୍ତି।
ଏହି ନିର୍ବାଚନରେ କଟକ ଜିଲ୍ଲାରେ ସର୍ବାଧିକ ୩୦ଟି ବୁଥ୍ ରହିଥିବା ବେଳେ ଗଜପତି (ପାରଳାଖେମୁଣ୍ଡି), ଝାରସୁଗୁଡ଼ା, ଦେବଗଡ଼ ଓ ମାଲକାନଗିରି ଜିଲ୍ଲାରେ ଗୋଟିଏ ଲେଖାଏ ବୁଥ୍ ରେ ଭୋଟ ଗ୍ରହଣ କରାଯିବ । କଟକ ସହରରେ ସର୍ବାଧିକ ୨୫ଟି ବୁଥ ହେବାକୁ ଥିବା ବେଳେ ଏଥିରେ ୭ ହଜାର ୩୯୯ଜଣ ଆଇନଜୀବୀ ଭୋଟ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ବର ସହରରେ ଦ୍ବିତୀୟ ସର୍ବାଧିକ ୧୫ଟି ବୁଥ କରାଯିବ ଓ ଏଥି ପାଇଁ ରହିଥିବା ଭୋଟର ତାଲିକାରେ ୪ ହଜାର ୧୪୫ଜଣ ଆଇନଜୀବୀ ରହିଛନ୍ତି। ସବୁ ଠାରୁ କମ୍ ୯୦ଜଣ ଭୋଟର ଦେବଗଡ଼ ଜିଲ୍ଲାରେ ରହିଛନ୍ତି।
ରାଜ୍ୟ ଆଇନଜୀବୀ ପରିଷଦ ନିର୍ବାଚନରେ ପୁଲିଂ ଅଫିସର ଭାବେ ବିଚାରବିଭାଗୀୟ ମାଜିଷ୍ଟ୍ରେଟମାନେ ଦାୟିତ୍ବ ନିର୍ବାହ କରିବେ। ଏହି ପ୍ରସଂଗରେ ଆବଶ୍ୟକ ସହଯୋଗ ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଥିବା ସୂଚନା ମିଳିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରାଜ୍ୟ ଆଇନଜୀବୀ ପରିଷଦର ୨୫ଜଣ ସଦସ୍ୟଙ୍କ ପାଇଁ ଅନୁଷ୍ଠିତ ହେଉଥିବା ଏହି ନିର୍ବାଚନରେ ଏଥର ୯୬ ଜଣ ପ୍ରାର୍ଥୀ ହୋଇଛନ୍ତି।