
ବାସ୍ତବ ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସଚିବାଳୟ ତରଫରୁ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି କି, ମେ ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସି ରାଇରଙ୍ଗପୁର, ପାହାଡ଼ପୁର ଏବଂ ବାରିପଦାରେ କେତେକ କାର୍ଯ୍ୟକ୍ରମରେ ଯୋଗ ଦେବେ ।
୪ ତାରିଖ ସକାଳ ୭ଟାରେ ରାଷ୍ଟ୍ରପତି ମୁର୍ମୁ ପାଲାମ ବିମାନ ବନ୍ଦରରୁ ଭାରତୀୟ ବାୟୁସେନା ବିମାନରେ ଆସି ପଶ୍ଚିମବଙ୍ଗର କାଲାଇକୁଣ୍ଡା ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ବାୟୁସେନାର ‘ଏମ୍ଆଇ ୧୭’ରେ ବାଦାମପାହାଡ଼ ହେଲିପ୍ୟାଡ୍ରେ ଅବତରଣ କରି ସଡ଼କ ପଥରେ ପାହାଡ଼ପୁରରେ ପହଞ୍ଚି ସ୍ବର୍ଗତ ଶ୍ୟାମଚରଣ ମୁର୍ମୁଙ୍କୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇ ଗୋସଣି ଗସ୍ତ କରିବେ।
ଗୋସଣିରେ ସେ ‘ନାବାର୍ଡ’ଦ୍ବାରା ନିର୍ମାଣ ହେବାକୁ ଥିବା ‘ଏସ୍ଏଲ୍ଏସ୍ ଟ୍ରଷ୍ଟ୍ ସ୍କୁଲ୍’ ପାଇଁ ହେବାକୁ ଥିବା ‘କମ୍ୟୁନିଟି ସେଣ୍ଟର୍’ ଓ ‘ଏଲ୍ ଆଣ୍ଡ୍ ଟି’ଦ୍ବାରା ନିର୍ମାଣ ହେବାକୁ ଥିବା ‘ସ୍କିଲ୍ ହବ୍’ର ଶିଳାନ୍ୟାସ କରିବେ। ଏହାପରେ, ରାଷ୍ଟ୍ରପତି ସ୍କୁଲ୍ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀଙ୍କ ସହିତ କଥାବାର୍ତ୍ତା କରି ସଡ଼କ ପଥରେ ସାତପୌତୁଆ ଅନ୍ତର୍ଗତ ହାଟବଦ୍ରା ବ୍ରହ୍ମାକୁମାରୀ କେନ୍ଦ୍ରକୁ ଯାଇ ସେମାନେ ଆୟୋଜନ କରିଥିବା ‘ନିଶାମୁକ୍ତ ଓଡ଼ିଶା’ ଅଭିଯାନର ଉଦ୍ଘାଟନ କରିବା ପରେ ରାଇରଙ୍ଗପୁର ଯିବେ।
ରାଇରଙ୍ଗପୁରରେ ରାଷ୍ଟ୍ରପତି ମୁର୍ମୁ ଶ୍ରୀ ସୋନାରାମ ସୋରେନ୍ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ଦେଇ ବଡ଼ବନ୍ଧ ନିକଟରେ ୧୦୦ ଫୁଟ୍ ଉଚ୍ଚ ଜାତୀୟ ପତାକା ଉତ୍ତୋଳନ ସ୍ତମ୍ଭ ଉଦ୍ଘାଟନ କରିବା ସହିତ ରାଇରଙ୍ଗପୁର ମୁନିସ୍ପାଲିଟି କାର୍ଯ୍ୟାଳୟ ପରିଦର୍ଶନରେ ଯିବେ।



