
ବାସ୍ତବ ବ୍ୟୁରୋ: ଗତ ବର୍ଷ ଅଗଷ୍ଟ ମାସରେ ୭୯୬ଟି ASO ପଦବୀ ପାଇଁ ପରୀକ୍ଷା କରି ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଯେଉଁ ମେରିଟ ଲିଷ୍ଟ ପ୍ରକାଶ କରାଯାଇଥିଲା ତାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହା ସହିତ ୨ ମାସ ମଧ୍ୟରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ଓପିଏସ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ଲିଖିତ ପରୀକ୍ଷାରେ ପିଲାମାନେ ପାଇଥିବା ମୋଟ ମାର୍କ ଆଧାରରେ ସାନି ମେରିଟ ଲିଷ୍ଟ ପ୍ରକାଶ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟଙ୍କ ଏହି ରାୟକୁ ଆବେଦନକାରୀମାନେ ସ୍ୱାଗତ କରିଥିବା ବେଳେ ଓପିଏସ୍ସି ଏହା ବିରୋଧରେ ପୁନଃ ଆବେଦନ କରିପାରେ କିମ୍ବା ଉପରକୋର୍ଟକୁ ଯାଇପାରେ ବୋଲି କୁହାଯାଉଛି।
ସୂଚନାନୁଯାୟୀ, ଏଏସଓ ନିଯୁକ୍ତି ପାଇଁ ଗତ ବର୍ଷ ମୋଟ ୧ଲକ୍ଷ ୪୮ହଜାର ୮୮୮ ପ୍ରାର୍ଥୀ ଲିଖିତ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧୦୪ ଜଣଙ୍କ ନାଁ ମେରିଟ ଲିଷ୍ଟରେ ପ୍ରକାଶ କରାଯାଇଥିଲା, ଯାହା ମୋଟ ବିଜ୍ଞାପିତ ହୋଇଥିବା ପଦବୀ ୭୯୬ର ଦେଢ଼ଗୁଣ।
ଗତ ନଭେମ୍ବର ମାସରେ ଏହି ମେରିଟ ଲିଷ୍ଟ ପ୍ରକାଶ ପାଇବା ପରେ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ସେମାନେ ଅଭିଯୋଗ କରିଥିଲେ। ଏହା ପରେ ଓପିଏସ୍ସି ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଥିଲା ଯେ ପ୍ରତ୍ୟେକ ପେପର ଓ ବିଭିନ୍ନ ବର୍ଗର ପ୍ରାର୍ଥୀଙ୍କ ନିମନ୍ତେ କଟଅଫ୍ ମାର୍କ ଚୂଡ଼ାନ୍ତ କରିବା କମିଶନଙ୍କ କ୍ଷମତା ପରିସରଭୁକ୍ତ । ସେହି ଆଧାରରେ ସର୍ବନିମ୍ନ ମାର୍କ ସ୍ଥିର କରାଯାଇଛି। ଏହା ପରେ ଅନେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।