ବାସ୍ତବ ବ୍ୟୁରୋ-ଆଜି ପଞ୍ଚାୟତିରାଜ ଦିବସ ଉପଲକ୍ଷେ ଗ୍ରାମ ପଞ୍ଚାୟତ ଗୁଡ଼ିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିଛନ୍ତି । ଦେଶର ଲକ୍ଷାଧିକ ସରପଞ୍ଚକୁ ସେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି । ସେ କହିଛନ୍ତି କରୋନା ଯୋଗୁଁ କାମ କରିବାର ତରିକା ବଦଳିଛି । କରୋନା ପାଇଁ ନୂଆ ନୂଆ ସମସ୍ୟା ଉପୁଜିବାରେ ଲାଗିଛି । କରୋନା ଆମ ସମସ୍ତଙ୍କୁ ନୂଆ ଶିକ୍ଷା ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆମକୁ ଏହି ସମୟରେ ଆତ୍ମନିର୍ଭରଶୀଳ ହେବାକୁ ପଡ଼ିବ । ଦେଶ, ରାଜ୍ୟ, ଜିଲ୍ଲା ଓ ଗାଁ ଆତ୍ମନିର୍ଭରଶୀଳ ହେବାକୁ ସୁଯୋଗ ମିଳିଛି । ଆତ୍ମନିର୍ଭରଶୀଳ ନହେଲେ ସମସ୍ୟା ସମାଧାନ ହେବ ନାହିଁ । ପଞ୍ଚାୟତ ମଜଭୁତ ହେଲେ ଗଣତନ୍ତ୍ର ସଶକ୍ତ ହେବ ।
ସେ ପୁଣି କହିଲେ, ସମୟ ଥିଲା ଦେଶର ଶହେରୁ କମ୍ ପଞ୍ଚାୟତରେ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ଥିଲା। ଏବେ ୧. ୨୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ପହଞ୍ଚିସାରିଛି। କେବଳ ଏତିକି ନୁହେଁ, ଗାଁମାନଙ୍କରେ କମନ୍ ସର୍ଭିସ ସେଣ୍ଟର୍ର ସଂଖ୍ୟା ତିନି ଲକ୍ଷ ଟପିଗଲାଣି।

ଦେଶର ଗାଁରେ ରହୁଥିବା ଲୋକେ କରୋନାଭାଇରସ୍ର ସଂକଟ ସମୟରେ ନିଜ ସଂସ୍କାର, ନିଜ ପରମ୍ପରାରୁ କିଭଳି ଶିକ୍ଷା ପାଉଛନ୍ତି ତାହା ମଧ୍ୟ ଦୁନିଆ ଜାଣିଲା। ଗାଁମାନଙ୍କରୁ ଯାହା ଅପ୍ଡେଟ୍ ଆସୁଛି ତାହା ବଡ଼ ବଡ଼ ବିଦ୍ବାନ୍ଙ୍କ ପାଇଁ ମଧ୍ୟ ପ୍ରେରଣାଦାୟକ। ଲୌକିକ ଦୂରତା ନିମନ୍ତେ ଗାଁ ଲୋକେ ଦୁନିଆକୁ ମନ୍ତ୍ର ଦେଇଛନ୍ତି – ‘ଦୁଇ ଗଜ ଦୂରତା’। ଏହି ମନ୍ତ୍ର ପାଳନ ନିମନ୍ତେ ଗାଁରେ ଖୁବ୍ ଧ୍ୟାନ ଦିଆଯାଉଛି।
ଏଥିସହିତ ପଂଚାୟତିରାଜ ଦିବସ ଅବସରରେ ମୋଦି ଏକ ନୂଆ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଏବଂ ଏକ ସ୍ୱତନ୍ତ୍ର ମୋବାଇବ ଆପ ଲଂଚ ମଧ୍ୟ କରିଛନ୍ତି । ତେବେ ଏହି ପୋର୍ଟାଲ ଜରିଆରେ ଗ୍ରାମ ପଂଚାୟତର ସମସ୍ୟା ଏବଂ ସେମାନଙ୍କ ସହ ଜଡିତ ସମସ୍ତ ସୂଚନା ଗୋଟିଏ ଜାଗାରେ ଉପଲବ୍ଧ ହେବ । ସେହିଭଳି ପଂଚାୟତି ରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଟି ରାଜ୍ୟରେ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଯାହା ଫଳରେ ପଂଚାୟତିରାଜକୁ ଡିଜିଟାଲିକରଣ କରାଯିବା ସହ ଡ୍ରୋନ ମାଧ୍ୟମରେ ଗାଁର ସବୁ ଲୋକଙ୍କ ସଂପତିକୁ ମ୍ୟାପିଂ କରାଯିବ।ଆଗକୁ ଏହା ଆରମ୍ଭ ହେବ ଦେଶର ସବୁ ଗ୍ରାମରେ । ଡ୍ରୋନ୍ ଜରିଆରେ ସମସ୍ତଙ୍କ ସମ୍ପତି ନେଇ ସର୍ଭେ ତଥ୍ୟ ରହିବ ଏହି ଆପରେ । ସମ୍ପତିକୁ ନେଇ ଲୋକଙ୍କ ମଧ୍ୟରେ ଥିବା ବିବାଦ ବି କମିଯିବ । ସହର ପରି ଆପଣ ଗାଁରେ ବି ସ୍ୱାମିତ୍ୱ ଆପ୍ ଜରିଆରେ ଋଣ ନେଇପାରିବେ ।




