
ବାସ୍ତବ ବ୍ୟୁରୋ(ଭୁବନେଶ୍ବର): ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ପରଲୋକ । ୬୭ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଜି ଭୋର ୩ଟା ୨୫ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ ୩୧ ତାରିଖରୁ ଚିକିତ୍ସାଧୀନ ଥିଲେ ଶ୍ରୀ ମହାନ୍ତି। ଡାକ୍ତରଙ୍କ ଉଦ୍ୟମ ସତ୍ୱେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା ।
୧୯୫୬ ଫେବ୍ରୁଆରୀ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ ମହେଶ୍ୱର ମହାନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ, ବନାରସ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିବା ମହେଶ୍ୱର ରାଜନୀତିରେ ସାମିଲ ହେବା ପୂର୍ବରୁ ଆଡଭୋକେଟ୍ ଭାବେ କାର୍ଯ୍ୟ କରୁଥିଲେ।
୧୯୯୫ ମସିହାରେ ଜନତା ଦଳ ଟିକେଟରେ ପୁରୀ ବିଧାନସଭାରୁ ନିର୍ବାଚିତ ହୋଇ ପ୍ରଥମେ ବିଧାୟକ ହୋଇଥିଲେ ମହେଶ୍ୱର । ଏହାପରେ ବିଜେଡି ଟିକେଟରେ ୨୦୦୦, ୨୦୦୪, ୨୦୦୯, ୨୦୧୪ରେ ପୁରୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । କ୍ରମାଗତ ଭାବେ ୫ ଥର ପୁରୀ ନିର୍ବାଚନମଣ୍ଡଳୀର ସେ ପ୍ରତିନିଧିତ୍ୱ କରିଥିଲେ । ୨୦୦୪ରୁ ୨୦୦୮ ପର୍ଯ୍ୟନ୍ତ ସେ ଓଡ଼ିଶା ବିଧାନସଭାର ବାଚସ୍ପତି ହୋଇଥିଲେ । ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀପଦ ସମ୍ଭାଳିଥିଲେ ମହେଶ୍ୱର ମହାନ୍ତି । ୨୦୧୧ରେ ପଞ୍ଚାୟତିରାଜ ମନ୍ତ୍ରୀ, ୨୦୧୨ରେ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସହ ଯୋଜନା ଏବଂ ସମନ୍ୱୟ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେହପରି ୨୦୧୩ରେ ଆଇନ ମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟ କରିଥିଲେ । ୨୦୧୭ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ସମ୍ବାଳିଥିଲେ ମହେଶ୍ୱର । ଅନେକ ବାଦ ବିବାଦରେ ସେ ଛନ୍ଦି ହୋଇଥିଲେ ବି ରାଜ୍ୟ ରାଜନୀତି ବିଶେଷ କରି ପୁରୀ ରାଜନୀତିରେ ସେ ବେଶ ପ୍ରଭାବଶାଳୀ ଥିଲେ । ତେବେ ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ ।



