
ଆଦିତ୍ଯ ବେହେରା(ଭୁବନେଶ୍ୱର) :ବହୁଦିନର ଦାବୀ ପରେ ଆଜି କେନ୍ଦ୍ରାପଡ଼ାବାସୀଙ୍କ ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି। ବହୁ ପ୍ରତୀକ୍ଷିତ ପାରାଦୀପ-ହରିଦାସପୁର ରେଳ ଲାଇନ୍ରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବ । ପାରାଦୀପରୁ କେନ୍ଦ୍ରାପଡା ଦେଇ କେନ୍ଦୁଝରକୁ ମେମୋ ଟ୍ରେନ୍ ଚାଲିବ ।
ଆସନ୍ତା ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ସମୟରେ ପତାକା ଦେଖାଇ ଏହି ଟ୍ରେନ୍ର ଶୁଭାରମ୍ଭ କରାଯିବ । ୨୦୨୦ ମସିହାରୁ ପାରାଦୀପ-ହରିଦାସପୁର ରେଳ ଲାଇନ୍ ରେ ମାଲବାହୀ ଟ୍ରେନ୍ ଚାଲି ଆସୁଛି ।ଏହାପରଠାରୁ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବା ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ କେନ୍ଦ୍ରାପଡା ଗସ୍ତ ସମୟରେ ସ୍ଥାନୀୟ ଲୋକ ପୁଣି ଯାତ୍ରୀବାହୀ ଟ୍ରେନ୍ ଚଳାଇବା ପାଇଁ ଦାବି କରିଥିଲେ।ସ୍ଥାନୀୟ ଲୋକଙ୍କ ଅନୁରୋଧ କ୍ରମେ ଟ୍ରେନ୍ ଚଳାଇବାକୁ ନିଷ୍ପତି ନେଇଛି ରେଳ ମନ୍ତ୍ରଣାଳୟ । ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୫ ତାରିଖ ଦିନ ଓଡିଶା ଗସ୍ତରେ ଆସିବେ। ଯାଜପୁର ଜିଲ୍ଲା ଚଣ୍ଡୀଖୋଲରେ ପ୍ରଧାନମନ୍ତ୍ରୀ ମୋଦୀ ମେମୁ ଟ୍ରେନର ଶୁଭାରମ୍ଭ କରିବେ ।ଏହା ସହ ଏକ ସାଧାରଣ ସଭାରେ ମଧ୍ଯ ପ୍ରଧାନମନ୍ତ୍ରୀ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମରହିଛି। ସେହି ସମୟରେ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ମେମୋ ଟ୍ରେନ୍ର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି ।
ଡିଆରଏମ୍ ଏସ.ଏସ. ବାଜୱାଙ୍କ କହିବା ଅନୁସାରେ କମିଶନ ଅଫ୍ ରେଲୱେ ସେଫଟିର ବିଶେଷଜ୍ଞଟିମ୍ ରବିବାର ଟ୍ରାକ୍ ଯାଂଚ କରିଥିଲେ । ତା’ପରେ ଟ୍ରାକ୍ ଟ୍ରାଏଲ୍ ହୋଇଛି ।ଆଜି ମଧ୍ୟ ଟ୍ରାକ୍ ଟ୍ରାଏଲ୍ କରାଯିବ । ତା’ପରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୫ ତାରିଖରେ ଟ୍ରେନର ଶୁଭାରମ୍ଭ ହେବ । ଟ୍ରେନ୍ଟି ପାରାଦୀପରୁ ଛାଡି କେନ୍ଦ୍ରାପଡା ଦେଇ କେନ୍ଦୁଝର ଯିବ ।



