ବାସ୍ତବ ବ୍ୟୁରୋ– ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ କରୋନା ସମ୍ପର୍କିତ ଖବର ଦେଇ କହିଛନ୍ତି ଯେ ଦେଶରେ ଏବେ ୨୮ହଜାର ୪୩୫ ପଜିଟିଭ୍ କେସ୍ ରହିଛି । ଦେଶରେ କରୋନାରେ ମୃତ୍ୟୁ ସଂଖ୍ୟା ୯୩୪କୁ ବୃଦ୍ଧି ପାଇଛି । ଏହାସହ ୬ହଜାର ୮୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ଦେଶରେ ୨୧ହଜାର ୬୩୨ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଦେଶରେ ଏବେ କରୋନା ଆକ୍ରାନ୍ତ ସୁସ୍ଥ ହେବା ହାର ୨୩.୩% ରହିଛି । ସେହିପରି ଓଡ଼ିଶାରେ ୧୧୮ଜଣ ଆକ୍ରାନ୍ତ ଥିବା ବେଳେ ୩୭ଜଣ ସୁସ୍ଥ ହୋଇଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି । ଏବେ ୮୦ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଏହାସହ ସେ କହିଛନ୍ତି ଯେ କରୋନା ଯୁଦ୍ଧ ପାଇଁ ଜନବଳ, ଧନବଳ ସାମଗ୍ରୀବଳ, ଜ୍ଞାନ ଓ କୌଶଳ ଲୋଡ଼ା ରହିଛି । ଏପରି ସ୍ଥିତିରେ ଓଡ଼ିଶାର ସାମଗ୍ରୀ ବଳ ଛୁଞ୍ଚି ଠାରୁ ପିପିଇ ପର୍ଯ୍ୟନ୍ତ, ମାସ୍କଠାରୁ ସାନିଟାଇଜର୍ ଏବଂ ଭିଟିଏମ୍ କିଟ୍ ଠାରୁ ଆରମ୍ଭ କରି ଭେଣ୍ଟିଲେଟର ଏସବୁ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ନେଇ ଓଡ଼ିଶାର ସ୍ଥିତି କ’ଣ ରହିଛି ସେନେଇ ସୁବ୍ରତ ବାଗଚୀ ପ୍ରଶ୍ନ ପଚାରିଥିବେଳେ ତାର ପୂରା ତଥ୍ୟ ଦେଇଛନ୍ତି ଅତ୍ୟାବଶ୍ୟକୀୟ ଚିକିତ୍ସା ସାମଗ୍ରୀର ଉପକରଣ ଏବଂ ଯୋଗାଣ ଭଳି ଦାୟିତ୍ୱରେ ଥିବା ଶିଳ୍ପ ସଚିବ ହେମନ୍ତ ଶର୍ମା ।
ହେମନ୍ତ ଶର୍ମା କହିଛନ୍ତି କି, “ବର୍ତ୍ତମାନ ରାଜ୍ୟରେ ଆଉ କୌଣସି ବିଭାଗ ନାହିଁ ଏବେ ସବୁ ବିଭାଗ ସ୍ୱାସ୍ଥ୍ୟ ବିଭାଗ ଭଳି କାର୍ଯ୍ୟ କରୁଛି । ମୁଖ୍ୟମନ୍ତ୍ରୀ ମୋତେ ପୂର୍ବ ଅଭିଜ୍ଞତାକୁ ଦେଖି ଏହି ନୂଆ ଦାୟିତ୍ୱ ପ୍ରଦାନ କରିଛନ୍ତି । ତେଣୁ କୋଭିଡ୍-୧୯ର ଆଗଧାଡ଼ିର ଯୋଦ୍ଧାଙ୍କୁ କିଭଳି ତାଙ୍କ ସରଞ୍ଜାମ ପହଁଚାଯିବ ଏବଂ ସେସବୁ ସାମଗ୍ରୀକୁ କମ୍ ସମୟରେ ଅଧିକ ମାତ୍ରାରେ ଆଣିବା ପାଇଁ ସରକାର ମୋତେ ଏବଂ ମୋ ଟିମ୍ କୁ ସରକାର ଦାୟିତ୍ୱ ଦେଇଛନ୍ତି । ତେବେ କରୋନା ମୁକାବିଲା ପାଇଁ ଆଗୁଆ ୬ ମାସର ଯୋଜନା ପ୍ରସ୍ତୁତ କରାଯାଇଛି । କରୋନା ଯୁଦ୍ଧରେ ବିଜୟ ପାଇଁ ଅତ୍ୟାବଶ୍ୟକୀୟ ଚିକିତ୍ସା ସାମଗ୍ରୀର ଉପକରଣ ଏବଂ ଯୋଗାଣ କମ୍ ସମୟରେ ପହଁଚାଇବା କାର୍ଯ୍ୟକୁ ତିନି ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା, ୧-ମେଡିସିନ୍, ୨-ଭେଣ୍ଟିଲେଟରଠୁ ଆରମ୍ଭ କରି କୋଭିଡ୍ ହସ୍ପିଟାଲର ଅତ୍ୟାବଶ୍ୟକୀୟ ସାମଗ୍ରୀ, ୩-ଟେଷ୍ଟିଂ ପାଇଁ ସମସ୍ତ ସରଞ୍ଜାମ । ଏହିଭଳି ୩ ଭାଗରେ ବିଭକ୍ତ କରି ପ୍ରତିଦିନ ଗ୍ରୁପ୍ କଲ କରାଯାଉଛି । କେଉଁଠୁ ଆସିବ ଏବଂ କେମିତି ଆସିବ ସେନେଇ ବିତରକ ମାନଙ୍କ ସହ ଆଲୋଚନା କରାଯାଉଛି ।”
ବାଗଚୀ ଆହୁରି ମଧ୍ୟ କହିଛନ୍ତି ଯେ, ୫ମାସ ଭିତରେ ବିଶ୍ୱରେ ୩୧ଲକ୍ଷଙ୍କୁ କରୋନାରେ ଆକ୍ରାନ୍ତ ହୋଇଛନ୍ତି । କରୋନା ଫ୍ରଣ୍ଟଲାଇନ ଯୋଦ୍ଧାଙ୍କୁ ସରଞ୍ଜାମ ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଛି । ଦେଶ ଓ ଦେଶ ବାହାରୁ ମଧ୍ୟ ଉପକରଣ ଆମଦାନି କରାଯାଇଛି । ଓଡ଼ିଶାକୁ ଆହୁରି କୋବାସ ମେସିନ ଅଣାଯିବ । ବିଭିନ୍ନ ଜିଲ୍ଲାର କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅବଗତ ହୋଇଛନ୍ତି । ସବୁ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ନମୁନା ପରୀକ୍ଷା ସଂଖ୍ୟା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଦିନକୁ ରାଜ୍ୟରେ ୧୫ହଜାର ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି ।




