ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ଉ

ମନୋଜ ମହାନ୍ତି(ଭୁବନେଶ୍ବର) :ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ଜାଲ ପ୍ରମାଣପତ୍ର ଦେବା ଘଟଣାରେ ସିବିଆଇ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବଡ ଧରଣର ଚଢ଼ଉ।

ସୂଚନା ଅନୁସାରେ, ସିବିଆଇ ପକ୍ଷରୁ କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ବାଲେଶ୍ବର, ଭଦ୍ରକ ଆଦି ଜିଲ୍ଲାର ୬୭ ସ୍ଥାନରେ ଚଢାଉ କରାଯାଉଛି। ସିବିଆଇର ୧୨୨ ଅଫିସରଙ୍କ ସହ ୨୦୪ ଅଫିସର ଏହି ଚଢାଉରେ ସାମିଲ ଅଛନ୍ତି। ସେହିପରି ବିଭିନ୍ନ ବିଭାଗର ଆଉ ୮୨ ଜଣ ଅଧିକାରୀ ମଧ୍ୟ ଏଥିରେ ସାମିଲ ରହିଛନ୍ତି। ଭୁବନେଶ୍ୱରରେ ଥିବା ପୋଷ୍ଟାଲ ସର୍ଭିସ ନିର୍ଦ୍ଦେଶକଙ୍କ ପକ୍ଷରୁ ଜାଲ ପ୍ରମାଣପତ୍ର ସମ୍ପର୍କରେ ପ୍ରଥମେ ସିବିଆଇରେ ଅଭିଯୋଗ ହୋଇଥିଲା। ଜାଲ ପ୍ରମାଣପତ୍ର ଯୋଗାଇ ଦେଉଥିବା ଅନ୍ତଃରାଜ୍ୟ ଗ୍ୟାଙ୍ଗର ପର୍ଦ୍ଦାଫାସ କରିବାକୁ ସିବିଆଇ ଉଦ୍ୟମ କରୁଛି।

ଗ୍ରାମୀଣ ଡାକ ସେବା ପରୀକ୍ଷାରେ ୬୩ ଜଣ ଜାଲ୍‌ ସାର୍ଟିଫିକେଟ ଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ସିବିଆଇ ୨୦୨୩ ମସିହା ମେ’ ୯ ତାରିଖରେ ଆଇପିସିର ୧୨୦-ବି, ୪୨୦, ୪୬୮, ୪୭୧ ଓ ୫୧୧ ଦଫା ସହ ଦୁର୍ନୀତି ନିରୋଧ ଆଇନ ୧୯୮୮ର ଧାରା ୭(ଏ) ଅନୁସାରେ ନିୟମିତ ମାମଲା ରୁଜୁ କରିଥିଲା। ଜାଲ ପ୍ରମାଣପତ୍ର ଦେଇଥିବା ୬୩ ଜଣ ପ୍ରାର୍ଥୀ, ପୋଷ୍ଟାଲ ବିଭାଗର ଅଜଣା ଅଧିକାରୀ ଓ କିଛି ମଧ୍ୟସ୍ଥିଙ୍କ ନାଁରେ ଏପରି ମାମଲା ହୋଇଥିଲା।

୨୦୨୩ ମସିହା ଜାନୁଆରୀ ୨୭ରେ ଗ୍ରାମୀଣ ଡାକ ସେବା(ଜିଡିଏସ୍‌)ର ୧୩୮୨ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଯେକୌଣସି ଅଧିକୃତ ବୋର୍ଡରୁ ୧୦ ପାସ ସହ ସ୍ଥାନୀୟ ଭାଷା ଉପରେ ଦଖଲ ରହିବା ଜରୁରୀ ବୋଲି ଚାକିରି ପାଇଁ ସର୍ବନିମ୍ନ ଯୋଗ୍ୟତା ରଖା ଯାଇଥିଲା। ନିୟମ ଅନୁସାରେ ଆଶାୟୀଙ୍କୁ ସର୍ଭରରେ ନିଜର ୧୦ମ ପାସ ପ୍ରମାଣପତ୍ର ଓ ମାର୍କଶିଟ ଦାଖଲ କରିବାକୁ ପଡ଼ିବ। ୧୦ମ ପରୀକ୍ଷାରେ ରଖିଥିବା ମାର୍କ ଆଧାରରେ ଚୟନପ୍ରକ୍ରିୟା ହେବାର ଥିଲା। ଚୟନ ହୋଇଥିବା ଆଶାୟୀଙ୍କୁ ଏସଏମଏସ ଓ ଇ-ମେଲ ଜରିଆରେ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଯୋଗ୍ୟ ଆଶାୟୀଙ୍କୁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ହାଜର ହୋଇ କାଗଜପତ୍ର କାମ କରିବାକୁ କୁହାଯାଇଥିଲା।

ତେବେ ଯାଞ୍ଚ ସମୟରେ ଓଡ଼ିଶା ପୋଷ୍ଟାଲ ସର୍କଲ ଜାଣିବାକୁ ପାଇଥିଲା ଯେ ବିଭିନ୍ନ ଡିଭିଜନର ୬୩ ଜଣ ଆଶାୟୀ ନକଲି ପ୍ରମାଣପତ୍ର ଦାଖଲ କରିଛନ୍ତି। ବାଲେଶ୍ୱର, ମୟୂରଭଞ୍ଜ, କଳାହାଣ୍ଡି ଓ ବ୍ରହ୍ମପୁରର ଏହି ୬୩ ଜଣ ଆଶାୟୀ ଜାଲ ପ୍ରମାଣପତ୍ର ଦାଖଲ କରିଥିବା ଜଣାପଡ଼ିଥିଲା।ଏହି ଜାଲ ପ୍ରମାଣପତ୍ରଗୁଡ଼ିକ ଆହ୍ଲାବାଦ, ପଶ୍ଚିମବଙ୍ଗ ବୋର୍ଡ, କୋଲକାତା, ଝାରଖଣ୍ଡ ଏକାଡେମୀ କାଉନସିଏ, ରାଞ୍ଚି ଭଳି ବୋର୍ଡ ଅଫ ହାଇସ୍କୁଲ ଓ ଇଣ୍ଟରମିଡିଏଟ ଏଡୁକେସନ ପକ୍ଷରୁ ଜାରି କରାଯାଇଥିଲା। ଅଭିଯୋଗ ହୋଇଛି ଯେ ଜାଲ ପ୍ରମାଣପତ୍ର ପଛରେ ଅନ୍ତଃରାଜ୍ୟ ଗ୍ୟାଙ୍ଗର ହାତ ରହିଛନ୍ତି। ତେଣୁ ସିବିଆଇ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପରେପରେ ଯାଞ୍ଚ ଆରମ୍ଭ କରାଯାଇଛି।

ସେୟାର କରନ୍ତୁ

Next Post

ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯାଳୟ ରାଜ୍ୟ ଅତିଥି ଭବନ ଭୁବନେଶ୍ବର....

Thu Jun 13 , 2024
ପ୍ରମୋଦ ନାୟକ(ଭୁବନେଶ୍ବର) : ଆମ ରାଜ୍ୟରେ ବିଜେପି ସରକାର,୨୪ଘଣ୍ଟା ନପୁରୁଣୁ ଗୋଟିଏପରେ ଗୋଟିଏ ଆଖିଦୃଶିଆ ପଦକ୍ଷେପ ସମସ୍ତଙ୍କୁ ଚକିତ କରିଛି। ନୂଆ ସରକାର ଶପଥ ସମାରୋହର ମାତ୍ର ୨ଘଣ୍ଟା ଭିତରେ କ୍ୟାବିନେଟ୍ ବୈଠକରେ ଓଡ଼ିଶା ଓ ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିବାବେଳେ ଆଜି ରାଜ୍ୟ ସରକାରଙ୍କ ଅତିଥି ଭବନ(ଗେଷ୍ଟ ହାଉସ)ରୁ ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରୀ କାର୍ଯ୍ୟ ଆରମ୍ଭ କରିଛନ୍ତି । […]

You May Like

Pin It on Pinterest