
ସମ୍ପାଦକକୟ: ଦିର୍ଘ ୨୫ ବର୍ଷର ବିଜେଡି ସରକାରର ପତନ ପରେ,ସହଜରେ ପରାଜୟକୁ ଗ୍ରହଣ କରିପାରୁନାହାନ୍ତି ଦଳୀୟ ନେତା ଓ କର୍ମୀ।ବେପାରୀ ଓ ଠିକାଦାର ନେତା ନିରବ ।ପ୍ରାର୍ଥୀ ନୁହେଁ କେବଳ ଚିହ୍ନ ଓ ମୁଖିଆଙ୍କ ମୁହଁକୁ ଦେଖି ଭୋଟ ମିଳିବା ଫର୍ମୁଲା ଫେଲ ମାରିଲା,ନିଜକୁ ବଞ୍ଚାଇବା ପାଇଁ ମିଛ ସନ୍ୟାସ ନେଲେ ଦଳର ସର୍ବଶକ୍ତିମାନ, ଅମଲାରୁ ନେତା ସାଜିଥିବା ତଥା କଥିତ ନେତା । ଭୋଟରଙ୍କ ମୁଡ କିଭଳି ବଦଳେ,ଭୋଟର କିପରି ରାଜାରୁ ଫକୀର କରିପାରନ୍ତି ଏବେ ମର୍ମେ ମର୍ମେ ଅନୁଭବ କରୁଛନ୍ତି ବିଜେଡି କର୍ମୀଠୁଁ ନେତା ପର୍ଯ୍ୟନ୍ତ । ସେହିଭଳି ଦୀର୍ଘ ଅବଧି ଧରି ଶାସକ ଦଳରେ ରାଜ କରୁଥିବା ବେପାରୀ ତଥା ଠିକାଦାର ନେତା ଆଗଧାଡିରେ ରହି ଦଳୀୟ କାର୍ଯ୍ୟକ୍ରମର ମଙ୍ଗୁଆଳ ଓ ସାଧାରଣ ଭୋଟରଙ୍କ ଭାଗ୍ୟବିଧାତା ଭାବୁଥୁବାବେଳେ ଏବେ ଦଳର ଶୋଚନୀୟ ପରାଜୟ ପରେ ସାରୁ ଖାଇବା ଭଳି ଆଚରଣ ଓ ଉଚ୍ଚାରଣ କରୁଥିବା କୁହାଯାଉଛି।ପରୋକ୍ଷରେ ନିଜ କଳା ସାମ୍ରାଜ୍ୟର ପତନ ବା ସିବିଆଇ ତଦନ୍ତର ଡରରେ,ବିଜେପିର ଗଳାବାଟ ଖୋଜିବାରେ ବ୍ୟସ୍ତ ।ଅନ୍ୟପକ୍ଷରେ ଦଳକୁ ବିଧାନ ସଭାରେ ମୁଖ୍ୟ ବିରୋଧ ଦଳ ଟିକେଟ ମିଳିବା ପରେ ଏବେ ବିଜେପି ସରକାରର ବିଫଳତାକୁ କିଭଳି କଡା ବିରୋଧ କରାଯିବ ଓ ରାଜରାସ୍ତାରେ ନିଆଁ ଜଳିବ ତାକୁ ନେଇ ରୋଡମ୍ୟାପ ପ୍ରସ୍ତୁତି ପାଇଁ ସଜବାଜ ଚାଲିଛି। ତେବେ ଦୀର୍ଘ ବର୍ଷର ସରକାରରେ ରାଜୁତି କରୁଥିବା ନେତା ବିରୋଧ କରିବାର ତରିକା ଜାଣିନଥିବା ବେଳେ ସରକାରୀ ବିରୋଧ ଆନ୍ଦୋଳନର ମହାନାୟକ ପ୍ରଦୀପ ମାଝୀଙ୍କୁ ଭରସା କରୁଛିକି ବିଜେଡି ?
ଜିଲ୍ଲା ପରିଷଦ ସଦସ୍ୟ ପଦରୁ ରାଜନୀତି ମଇଦାନକୁ ଓହ୍ଲାଇଥିବା ଯୁବ ଆଦିବାସୀ ନେତା ପ୍ରଦୀପ ଗତ ୨୦୦୭ ପଞ୍ଚାୟତ ନିର୍ବାଚନରେ ପ୍ରଥମ ସୋପାନରେ ସଫଳତା ପାଇବା ସହ ଜିଲ୍ଲା ପରିଷଦ ଅଧକ୍ଷ ପଦବୀ ହାତେଇବାରେ ସଫଳ ହୋଇଥିଲେ। ପରେ ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟରେ ଲୋକସଭା ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରି ଦ୍ବିତୀୟ ସୋପାନ ଅତିକ୍ରମ କରିବା ସହ ସାଂସଦ ଭାବେ ନିର୍ବାଚିତ ହୋଇ ତାଙ୍କ ଅବଧି ମଧ୍ୟରେ ଲୋକସଭାରେ ଅଞ୍ଚଳର ସମସ୍ୟା ଉଠାଇବାରେ ସକ୍ଷମ ସହ ସଫଳ ହୋଇଥିଲେ। ତେବେ ବିଡମ୍ବନାର ବିଷୟ ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ପରେ ୨୦୧୪ ଓ ୨୦୧୯ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ରହିଥିଲେ ମଧ୍ୟ ପ୍ରଦୀପଙ୍କୁ ନିରାଶ ହେବାକୁ ପଡିଥିଲା। ନିର୍ବାଚନ ହାରିଥିଲେ ମଧ୍ୟ ଗୋଟିଏ
ଦଶନ୍ଧି ଧରି ଜନତାଙ୍କ ହୃଦୟରେ ରହିବା ସହ ଆଦିବାସୀ ଅଧିକାର ଲଢେଇର ସୂତ୍ରଧର ରହିଥିଲେ। ରାଜ୍ୟ ସରକାରଙ୍କୁ ବିରୋଧ ସହ ବିଭିନ୍ନ ପ୍ରସଙ୍ଗରେ କାଠଗଡାକୁ ଟାଣି ନାକେଦମ କରିଥିଲେ ପ୍ରଦୀପ। ତତ୍କାଳୀନ ଶାସକ ବିଜେଡି ପକ୍ଷରୁ କଣ୍ଟା ହଟାଇବା ଉଦ୍ୟମ ହେବା ସହ ପ୍ରଦୀପଙ୍କୁ ମନେଇ ଦଳରେ ସାମିଲ କରାଗଲା। ସେହିଭଳି ବାରମ୍ବାର ପରାଜୟର ସାମନା ସହ କଂଗ୍ରେସର ଅନ୍ତଃକନ୍ଦଳରେ ମର୍ମାହତ ପ୍ରଦୀପ ନିଜ ରାଜନୈତିକ କ୍ୟାରିୟର ସହ ସରକାରୀ ଦଳରୁ ପାର୍ଲିଆମେଣ୍ଟ ଯାଇ ଅଞ୍ଚଳର ବିକାଶ ପାଇଁ ପିସିସି କାର୍ଯ୍ୟକାରୀ ସଭାପତି ପଦ ତ୍ୟାଗ କରି ବିଜେଡିରେ ଯୋଗ ଦେଇଥିଲେ। ପ୍ରଦୀପଙ୍କୁ
ଆଗକୁ ବଢିବାର ପ୍ଲାଟଫର୍ମ ସହ ବ୍ୟାନର ମିଳିଥିଲେ ମଧ୍ୟ ୨୦୨୪ ନିର୍ବାଚନରେ ଅସଫଳ ସହ ଶୋଚନୀୟ ପରାଜୟର ସାମ୍ନା କଲେ ।
ଅନ୍ୟପକ୍ଷରେ ଏବେ ବିଜେଡି ମୁଖ୍ୟ ବିରୋଧ ଦଳ ଭୂମିକାରେ ରହିବା ପରେ ଆଗକୁ ସରକାର ବିରୋଧ କାର୍ଯ୍ୟକ୍ରମ ସହ ଆନ୍ଦୋଳନ କରି ଜନମାନସରେ ରହିବାକୁ ପ୍ରଯାସ କରୁଥିବାବେଳେ ସଜବାଜ ଆରମ୍ଭ କରିଦେଇଛି। ଠିକ ଏତିକି ବେଳେ ଆନ୍ଦୋଳନ ନେତୃତ୍ବ ନେବା ଭଳି ପୁରୁଣା ବିଜେଡି ନେତା ପାଖରେ ନଥିବାରୁ ଏବେ ପ୍ରଦୀପଙ୍କୁ ଭରସା କରୁଛି ବିଜେଡି । ଦଳରେ ଥିବା ବେପାରୀ ଓ ଠିକାଦାର ନେତା ଦଳରୁ ମୁହଁ ଫେରାଇବା ଆଶଙ୍କା ରହିଥିବାବେଳେ ଏକମାତ୍ର ଭରସା ପ୍ରଦୀପ ମାଝୀ। ତେବେ ଗତ ଦିନରେ ପ୍ରଦୀପଙ୍କ ବିଜେଡିରେ ଯୋଗଦାନକୁ ନାପସନ୍ଦ କରି ପରୋକ୍ଷରେ ଦଳ ଡିଆଁ ଓ ଆମଦାନୀ ନେତା ଭାବେ ଅଭିହିତ କରିଥିବା ବିଜେଡିର ମୁଣ୍ଡିନେତା ମଧ୍ୟ ଏବେ ଶାସକ ବଦଳରେ ବିରୋଧ ଆସନ ସମ୍ଭାଳିବାକୁ ପ୍ରଦୀପ ଯୋଗ୍ୟ ବୋଲି ମତ ଦେଉଛନ୍ତି। ତେବେ ବିରୋଧ କଂଗ୍ରେସ ନେତା ଭାବେ ପ୍ରତିଷ୍ଠିତ ଓ ପରିଚିତ ପ୍ରଦୀପ ପୁଣି ବିଜେଡିରେ ଏକା ଭୂମିକାରେ ଅବତୀର୍ଣ୍ଣ ହେବେ କି ବୋଲି ପ୍ରଶ୍ନ ଉଠିବା ସହ ସମୟକୁ ଅପେକ୍ଷା କରିଛନ୍ତି ବୁଦ୍ଧିଜୀବୀ ।