ତାରାଙ୍କ ଚେତାବନୀ ଆକ୍ରମଣକାରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ସାରା ରାଜ୍ୟରେ କଂଗ୍ରେସ ଆନ୍ଦୋଳନ କରିବ….

ଭୁବନେଶ୍ୱର ୦୪/୦୭(ଗୌତମ ମିଶ୍ର ): ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଦେଇଥିବା ମନ୍ତବ୍ୟର ପ୍ରତିବାଦରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ହୋଇଥିବା ବିକ୍ଷୋଭକୁ ନେଇ ଅଭାବନୀୟ ସ୍ଥିତି ଦେଖାଗଲା ପରେ ଜୟପୁର ବିଧାୟକ ଚେତାବନୀ ଦେଇଛନ୍ତି। ଏହି ଘଟଣାରେ ଆକ୍ରମଣକାରୀଙ୍କୁ ୭୨ ଘଣ୍ଟା ମଧ୍ୟରେ ଗିରଫ କରାନଗଲେ ସାରା ରାଜ୍ୟରେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ସେ କହିଛନ୍ତି।
ଆବଶ୍ୟକ ପଡ଼ିଲେ ୨୦ ହଜାର ଯୁବ ଛାତ୍ରଙ୍କ ସହ ବିଜେପି ପାର୍ଟି ଅଫିସରେ ଜୋର ଜବରଦସ୍ତ ପଶିବୁ ବୋଲି କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି।
ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ସଂସଦରେ ହିନ୍ଦୁ ଧର୍ମକୁ ନେଇ ଦେଇଥିବା ମନ୍ତବ୍ୟକୁ ବିରୋଧ କରି ମଙ୍ଗଳବାର ଅପରାହ୍ନରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହା ସହିତ ରାହୁଲଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ସମୟରେ ଯୁବ ମୋର୍ଚ୍ଚାର କର୍ମୀମାନେ କଂଗ୍ରେସ ଭବନ ସମ୍ମୁଖରେ ଲାଗିଥିବା ରାହୁଲ ଗାନ୍ଧୀଙ୍କ ଫଟୋ ଉପରକୁ ଗୋବର ମାରିଥିଲେ। କିଛି କର୍ମୀ କଂଗ୍ରେସ ଭବନ ଭିତରକୁ ଗଙ୍ଗା ଜଳ, ଫିନାଇଲ ପକାଇଥିଲେ।
ବିଜେପିର ଏହି ବିକ୍ଷୋଭ ସମୟରେ କଂଗ୍ରେସ ଭବନରେ ଯୁବ ଓ ଛାତ୍ର କଂ‌ଗ୍ରେସର କିଛି ନେତା ଉପସ୍ଥିତ ଥିଲେ। ସେମାନେ ବାହାରକୁ ଆସି ଏହାର ପ୍ରତିବାଦ କରିଥିଲେ। ଫଳରେ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ଓ ହାତାହାତି ହୋଇଥିଲା। ସଙ୍ଗେ ସଙ୍ଗେ ଏହା ଉଗ୍ର ରୂପ ନେଇଥିଲା। ଉଭୟ ପକ୍ଷ ପରସ୍ପରକୁ ‌ଟେକାପଥର ଫୋପାଡ଼ିଥିଲେ। ଏପରିକି ନିକଟରେ ପଡ଼ିଥିବା ଗୋବର ଓ ଅଇଁଠା ଖାଦ୍ୟକୁ ମଧ୍ୟ ଧରି ପରସ୍ପର ଉପରକୁ ଫିଙ୍ଗିଥିଲେ। କିଛି ସମୟ ପାଇଁ କଂଗ୍ରେସ ଭବନ ସାମ୍ନା ରଣକ୍ଷେତ୍ର ପାଲଟିଥିଲା। ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲା ବେଳେ ଗୋବର ମାଡ଼ରୁ ବର୍ତ୍ତି ନଥିଲା। ଏହି ଆକ୍ରମଣରେ ବିଜେପି ଯୁବମୋର୍ଚ୍ଚାରୁ ୫ ଜଣ, ଛାତ୍ର କଂଗ୍ରେସର ୨ ଜଣ ଆହତ ହୋଇଛନ୍ତି। ଏହାସହ ଜଣେ ସାମ୍ବାଦିକ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତାଙ୍କ କାନରେ ଟେକା ବାଜିଥିବା ଜଣାପଡ଼ିଛି। ବିଜେପି ଯୁବମୋର୍ଚ୍ଚା ଏବଂ ଛାତ୍ର କଂଗ୍ରେସ ପକ୍ଷରୁ କ୍ୟାପିଟାଲ ଥାନାରେ ପରସ୍ପର ବିରୋଧରେ ଅଭିଯୋଗ ଦିଆଯାଇଛି।

ସେୟାର କରନ୍ତୁ

Next Post

ଗୃହ ଓ ନଗର ଉନ୍ନୟନ ବିଭାଗର ଆଉ ପାଞ୍ଚଗୋଟି ସେବା ଓଡ଼ିଶା ଲୋକସେବା ଅଧିକାର ଆଇନରେ ସାମିଲ ହେବ....

Fri Jul 5 , 2024
ଭୁବନେଶ୍ୱର(ଗୌତମ ମିଶ୍ର ):ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ। ଏହା କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି।ଏହା ପୂର୍ବରୁ ଗୃହ ଓ ନଗର ଉନ୍ନୟନ ବିଭାଗର ୨୬ଟି ସେବା ଏହି ଅଧିନିୟମ ଅନ୍ତର୍ଭୁକ୍ତ ହୋଇଛି ।ନୂତନ ଭାବେ ସାମିଲ ହେବାକୁ ଥିବା ଆଉ […]

You May Like

Pin It on Pinterest