
ଭୁବନେଶ୍ୱର(ଗୌତମ ମିଶ୍ର): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ଜୟଦେବ ଭବନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଜଣେ ବ୍ୟକ୍ତି କେତେ ଦିନ ବଞ୍ଚିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ; ବରଂ, ଗୁରୁତ୍ୱପୂର୍ଣ୍ଣ ହେଉଛି ସେ କେଉଁ ପ୍ରକାରର ଜୀବନ ଯାପନ କରନ୍ତି।
ଅର୍ଥାତ୍ ଜଣେ ବ୍ୟକ୍ତିର ସମାଜ ଓ ଦେଶ ପ୍ରତି ଅବଦାନକୁ ଆଧାର କରି ତାଙ୍କର ଖ୍ୟାତିର ମୂଲ୍ୟାଙ୍କନ କରାଯାଏ। ପଣ୍ଡିତ ଗୋପବନ୍ଧୁ ଦାସ ତାଙ୍କ ସ୍ୱଳ୍ପ ଜୀବନକାଳ ମଧ୍ୟରେ କେତେ ଭଲ କାମ କରିଛନ୍ତି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ବୋଲି ସେ କହିଛନ୍ତି। ସମାଜସେବା, ସାହିତ୍ୟ, ଶିକ୍ଷା ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ ବୋଲି ସେ କହିଥିଲେ।
ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ରାଷ୍ଟ୍ରପତି କହିଥିଲେ ଯେ ପଣ୍ଡିତ ଗୋପବନ୍ଧୁ ଦାସ ଭଲ ଭାବରେ ଜାଣିଥିଲେ ଯେ ଉପଯୁକ୍ତ ଶିକ୍ଷା ବିନା କୌଣସି ସମାଜ କିମ୍ବା ରାଷ୍ଟ୍ର ପ୍ରଗତି କରିପାରିବ ନାହିଁ। ସେଥିପାଇଁ ସେ ପୁରୀ ଜିଲ୍ଲାର ସତ୍ୟବାଦୀଠାରେ ମୁକ୍ତାକାଶ ସ୍କୁଲ ପ୍ରତିଷ୍ଠା କରିଥିଲେ। ଆରମ୍ଭରୁ ଛାତ୍ରଛାତ୍ରୀଙ୍କୁ ପ୍ରକୃତି ସହ ପରିଚିତ କରାଇବା ତାଙ୍କର ଆଭିମୁଖ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପଣ୍ଡିତ ଗୋପବନ୍ଧୁ ବନ ବିଦ୍ୟାଳୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ତାଙ୍କ ମତରେ ଶିକ୍ଷାର ଅର୍ଥ କେବଳ ବହିଭିତ୍ତିକ ଜ୍ଞାନ ନୁହେଁ ବରଂ ଶିକ୍ଷାର ଅର୍ଥ ଛାତ୍ରଛାତ୍ରୀଙ୍କୁ ଶାରୀରିକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ଭାବରେ ବିକଶିତ କରିବା ଦରକାର।
ରାଷ୍ଟ୍ରପତି କହିଥିଲେ ଯେ ୧୯୧୯ ମସିହାରେ ପଣ୍ଡିତ ଗୋପବନ୍ଧୁ ଦାସ ‘ସମାଜ’ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ। ଏହି ପ୍ରକାଶନ ମାଧ୍ୟମରେ ସେ ଓଡ଼ିଶାରେ ସ୍ୱାଧୀନତାର ବାର୍ତ୍ତା ପ୍ରଚାର କରିଥିଲେ। ଏହି ଖବରକାଗଜ ଜରିଆରେ ସେ ଲୋକଙ୍କ ସମସ୍ୟା ମଧ୍ୟ ଉଠାଇଥିଲେ। ସମାଜରେ ତାଙ୍କର ସମ୍ପାଦକୀୟ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି।
ଏକଥା ବି କହିଥିଲେ କି,ପଣ୍ଡିତ ଗୋପବନ୍ଧୁ ଦାସ ଜାତୀୟତାବାଦ ଓ ଗଣତାନ୍ତ୍ରିକ ମୂଲ୍ୟବୋଧରେ ବିଶ୍ୱାସ କରୁଥିଲେ। ତାଙ୍କର କବିତା ଓ ଗଦ୍ୟ ଦେଶପ୍ରେମ ଓ ବିଶ୍ୱ କଲ୍ୟାଣର ବାର୍ତ୍ତା ଦେଇଥାଏ। ସେ ଓଡ଼ିଆ ଗୌରବ ତଥା ଭାରତୀୟ ଜାତୀୟତାବାଦପ୍ରତି ଉତ୍ସର୍ଗୀକୃତ ଥିଲେ। ପଣ୍ଡିତ ଗୋପବନ୍ଧୁ ଲେଖିଥିଲେ ‘ମୁଁ ଭାରତରେ ଯେଉଁଠି ବି ଅଛି, ବିଶ୍ୱାସ କରିବା ଉଚିତ ଯେ ମୁଁ ଘରେ ଅଛି’। ଗୋପବନ୍ଧୁଙ୍କ ଏହି ଚିନ୍ତାଧାରାରୁ ପ୍ରେରଣା ନେବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ।
ଏହି କାର୍ଯ୍ୟକ୍ରମ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅତିଥି ଭାବେ ଯୋଗ ଦେଇ କହିଛନ୍ତି ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ମୁଁ ତାଙ୍କ ପ୍ରତି ମୋର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।ଆଜିର ଏହି ପବିତ୍ର ଅବସରରେ ଦେଶର ମହାମହିମ ରାଷ୍ଟ୍ରପତି ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଆମ ସହିତ ସାମିଲ ହେଇଛନ୍ତି। ଓଡ଼ିଶାର ମହାନ ବରପୁତ୍ର, ଉତ୍କଳର ମଣିଙ୍କ ପାଇଁ ତାଙ୍କର ଶ୍ରଦ୍ଧା ଓ ସମ୍ମାନ ତାଙ୍କୁ ଆଜି ଏ କାର୍ଯ୍ୟକ୍ରମକୁ ଟାଣି ଆଣିଛି।ମାଟିର ଝିଅ ମାଟିର ବରପୁତ୍ରକୁ ସମ୍ମାନ ଦେବା ପାଇଁ ଆସିଛନ୍ତି। ଏଥିପାଇଁ ମୁଁ ତାଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରୁଛି।
ଏହି କାର୍ଯ୍ୟକ୍ରମ ପାଇଁ ସମାଜ ପରିବାର ଓ ଲୋକ ସେବକ ମଣ୍ଡଳର କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଉଛି।
ଉତ୍କଳମଣି ଥିଲେ ଓଡ଼ିଆ ଜାତିର ଉତଥାନ ଓ ସ୍ୱାଭିମାନର ସୂତ୍ରଧର। ଦେଶର ସ୍ଵାଧୀନତା ସଂଗ୍ରାମର ଅଗ୍ରଦୂତ। ସ୍ୱାର୍ଥ ବିହୀନ ସେବା ଓ ପରୋପକାରର ମହିମାମଣ୍ଡିତ ମହାପୁରୁଷ। ଓଡ଼ିଶାକୁ ଜାତୀୟ ଚେତନାର ସୂତ୍ରରେ ବାନ୍ଧିବା ସହିତ ଓଡ଼ିଆ ସାହିତ୍ୟର ବିକାଶ ଓ ଓଡ଼ିଶାରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ଗୁରୁତ୍ଵପୂର୍ଣ୍ଣ ଅବଦାନ ରଖି ଯାଇଛନ୍ତି। ସେ ସମୟରେ ଓଡ଼ିଶାରେ ସାମାଜିକ ସଂସ୍କାର ଓ ନାରୀ ଶିକ୍ଷାର ପ୍ରସାର କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ନେଇଥିଲେ।ତାଙ୍କ ଦ୍ବାରା ପ୍ରତିଷ୍ଠିତ ସତ୍ୟବାଦୀର ବନ ବିଦ୍ୟାଳୟ ସେ ସମୟରେ ଥିଲା ଏକ ମଣିଷ ତିଆରି କାରଖାନା। ଏହା ଏକ ସାଧାରଣ ସ୍କୁଲ ନଥିଲା, ଏହା ଥିଲା ଅଶିକ୍ଷା ଓ ଜାତି ପ୍ରଥା ବିରୋଧରେ ଏକ ବିରାଟ ଆନ୍ଦୋଳନ। ଏହା ଥିଲା ସମାଜ ସଂସ୍କାର ପାଇଁ ଏକ ମହାନ୍ ଉଦ୍ୟମ । ସେ ଆନ୍ଦୋଳନର ଫଳ ସ୍ୱରୂପ ଆଜି ଓଡ଼ିଶା ଭେଦଭାବ ବିହୀନ, ଭାଇ ଚାରାରେ ବିଶ୍ବାସ ରଖୁଥିବା ଏକ ଆଦର୍ଶ ରାଜ୍ୟ ହୋଇ ଛିଡା ହୋଇପାରିଛି।
ତାଙ୍କ ଦ୍ବାରା ପ୍ରତିଷ୍ଠିତ ସମ୍ବାଦପତ୍ର ‘ସମାଜ’ ଆଜି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହୋଇ ଲୋକଶକ୍ତିକୁ ପ୍ରତିଷ୍ଠା କରି ଚାଲିଛି। ସମାଜ ଆଜି କେବଳ ଏକ ସମ୍ବାଦପତ୍ର ନୁହେଁ, ସମାଜ ହେଉଛି ଓଡ଼ିଆ ଲୋକଙ୍କ ସାମାଜିକ ଚେତନାର ବାର୍ତ୍ତାବହ। ବର୍ଷ ବର୍ଷ ଧରି ସମାଜ ଆମ ଜ୍ଞାନ ଓ ଚେତନାକୁ ଜାଗ୍ରତ କରି ଚାଲିଛି। ବର୍ଷ ତମାମ ଏହି ସମ୍ବାଦପତ୍ର ନିରପେକ୍ଷ ଖବର ପରିବେଷଣ ସହିତ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ ବେଳେ ରିଲିଫ ବଣ୍ଟନ କରି ସମାଜସେବାର ମହନୀୟ ନିଦର୍ଶନ ପ୍ରଦର୍ଶନ କରୁଅଛି। ଗୋପବନ୍ଧୁ ଥିଲେ ଗରିବ ଲୋକର ପ୍ରକୃତ ବନ୍ଧୁ। ଗରିବ ଓ ଅସହାୟ ଲୋକଙ୍କ ପାଇଁ ତାଙ୍କର ହୃଦୟ କାନ୍ଦୁଥିଲା। ତାଙ୍କ ଦରଦୀ ହୃଦୟର କାହାଣୀ ଆଜି ବି ଲୋକ କଥା ରେ ବଞ୍ଚି ରହିଛି।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଙ୍କ ନେତୃତ୍ୱରେ ଦେଶ ଯେତେବେଳେ ଉନ୍ନତି ଓ ପ୍ରଗତିର ମାର୍ଗରେ ଅଗ୍ରସର ହେଉଛି, ସେତେବେଳେ ଦେଶର ଗରିବ ଲୋକଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ଵ ଦିଆଯାଉଛି। ଦେଶର କୋଟି କୋଟି ଗରିବ ଲୋକଙ୍କ ପାଇଁ ମାଗଣା ଖାଦ୍ୟ ଶସ୍ୟର ବ୍ୟବସ୍ଥା, ସ୍ଵାସ୍ଥ୍ୟ ବୀମା, ଚାଷୀଙ୍କ ପାଇଁ ଫସଲ ଵୀମା ଯୋଗାଇ ଦିଆଯାଉଛି। ମୋ ମତରେ ମୋଦୀଜୀ ଙ୍କ ସରକାର ହେଉଛି ପ୍ରକୃତରେ ଗରିବ ଲୋକଙ୍କ ସରକାର। ମୋଦୀଜୀ ଙ୍କ ସରକାର ବାସ୍ତବରେ ଗୋପବନ୍ଧୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରୁଛି।ଆଜି ଓଡ଼ିଆ ସ୍ବାର୍ଥ, ଓଡ଼ିଆ ସ୍ୱାଭିମାନ ଓ ଓଡ଼ିଶାର ଦ୍ରୁତ ବିକାଶ ପାଇଁ ଓଡ଼ିଶାର ସାଧାରଣ ଜନତା ଆମ ଉପରେ ଆସ୍ଥା ପ୍ରକଟ କରି ସରକାର ଗଠନ କରିଛନ୍ତି। ମୁଁ କହିବାକୁ ଚାହେଁ, ଆମ ସରକାର ପ୍ରଥମ ଦିନରୁ ହିଁ ଲୋକଙ୍କ ସ୍ବାର୍ଥ ପାଇଁ, ଗରିବ ଲୋକର ସ୍ବାର୍ଥ ଓ ସମ୍ମାନ ପାଇଁ କାମ କରିବା ଆରମ୍ଭ କରିଦେଇଛି। ଆମ ସରକାର ଲୋକଙ୍କ ସରକାର ଭାବରେ ଲୋକଙ୍କ ସୁଖ ଦୁଃଖର ସାଥୀ ହୋଇ ଓଡ଼ିଶାକୁ ବିକାଶର ମାର୍ଗରେ ଆଗେଇନେବ ।
ଗୋପବନ୍ଧୁ ଆମ ସମସ୍ତଙ୍କର ଆଦର୍ଶ, ଆମର ପ୍ରେରଣା। ଆମର ହୃଦୟରେ, ଆମର ଆତ୍ମାରେ ଗୋପବନ୍ଧୁ ବଞ୍ଚି ରହିଛନ୍ତି। ତାଙ୍କ ଆଦର୍ଶ ପ୍ରତ୍ୟେକ ଓଡ଼ିଆ ପାଇଁ ପ୍ରେରଣା।ତାଙ୍କ ଆଦର୍ଶକୁ ପୁଞ୍ଜି କରି ଆମ ସରକାର ଓଡ଼ିଶା ମାଟିର, ଓଡ଼ିଶା ମାଆର ସେବା କରି ଚାଲିବ।ଗତ ୧୨ ତାରିଖରେ ଆମ ସରକାର ଯେତେବେଳେ ଶପଥ ଗ୍ରହଣ କଲା, ସେତେବେଳେ ଗୋଟିଏ ଘଣ୍ଟା ମଧ୍ୟରେ ଓଡିଶାର ସ୍ବାଭିମାନ, ଅସ୍ମିତା ଓ ସ୍ବାର୍ଥକୁ ନେଇ ୪ଟି ନିଷ୍ପତ୍ତି କ୍ୟାବିନେଟରେ ଗ୍ରହଣ କରାଗଲା । ସାଢେ ଚାରି କୋଟି ଓଡିଆଙ୍କ ଦାବୀ ଥିବା ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା ପ୍ରସ୍ତାବ ତା ପର ଦିନ ସକାଳେ କାର୍ଯ୍ୟକାରୀ କରାଗଲା।
ଦୁଇ ଦିନ ପୂର୍ବରୁ ଲୋକସେବା ଭବନରେ ମଧ୍ୟ ମୁଁ ଯେତେବେଳେ ମୋ ଆସନରେ ବସିଲି, ସେତେବେଳେ ଓଡିଆ ଅସ୍ମିତାକୁ ଗୁରୁତ୍ବ ଦେଇ ସମସ୍ତ ସରକାରୀ କାର୍ଯ୍ୟ ଓଡିଆ ଭାଷାରେ କରିବା ପାଇଁ ନିର୍ଦ୍ଦେଶ ଦେଇଛି ।ଆମକୁ ଆଗାମୀ ୧୦୦ ଦିନ, ଏକ ବର୍ଷ ପାଇଁ ଯୋଜନା କରିବା ସହିତ ୨୦୩୬ ମସିହା, ଯେତେବେଳେ ସ୍ବତନ୍ତ୍ର ଓଡିଶାର ୧୦୦ ବର୍ଷ ପୂରଣ ହେବ, ତା ପାଇଁ ମଧ୍ୟ ଭିଜନ-୨୦୩୬ ପ୍ରସ୍ତୁତ କରାଯିବ। ମୋଦୀଜୀ ଙ୍କ ନେତୃତ୍ବରେ ସାରା ଦେଶ ପାଇଁ ଭିଜନ-୨୦୪୭ ପ୍ରସ୍ତୁତ କରାଯାଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିକଶିତ ଭାରତରେ ଦେଶର ପୂର୍ବରେ ଥିବା ରାଜ୍ୟ ଗୁଡିକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ। ମୁଁ ଆଶା କରୁଛି ସେ ଭୂମିକା ଓଡିଶାରୁ ହିଁ ଆରମ୍ଭ ହେବ।ତେଣୁ ପ୍ରତି ମୂହୁର୍ତ୍ତର ସଦୁପଯୋଗ କରି ଆମକୁ କାମ କରିବାକୁ ପଡିବ। ବିକଶିତ ଭାରତରେ ଓଡିଶାକୁ ଏକ ନମ୍ବର କରିବାକୁ ହେବ। ସ୍ବାଭିମାନ ଓ ପ୍ରଗତିର ଲକ୍ଷ୍ୟ ନେଇ ଆମେ କାମ କରିବୁ । ଗୋପବନ୍ଧୁଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ଆମ ପାଇଁ ଏକ ପ୍ରେରଣା ଆଣିଛି ଓ ମନରେ ସଂକଳ୍ପ ଆଣିଛି। ଏହି ଅବସରରେ ମୁ ପୁଣି ଥରେ ସେହି ମହାନ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।