
ଭୁବନେଶ୍ଵର(ନି.ପ୍ର):ଚାଷୀଙ୍କୁ ମିଳିବ ସିଏମ କିଷାନ ଯୋଜନା ଟଙ୍କା। ଏଥିପାଇଁ ନୂଆ ସରକାରଙ୍କ ପ୍ରସ୍ତୁତି ଚୂଡ଼ାନ୍ତରେ ପହଞ୍ଚିଛି। ଏବର୍ଷ ନୂଆଁଖାଇରେ ଚାଷୀଙ୍କୁ ମିଳିବ ଟଙ୍କା । ତେବେ କାଳିଆ ଯୋଜନା ଓ ସିଏମ କିଷାନ ଯୋଜନା ହିତାଧିକାରୀ ତାଲିକା ନେଇ ଦ୍ବନ୍ଦ୍ବ ଲାଗି ରହିଥିବା ବେଳେ ଚାଷୀଙ୍କ ପାଇଁ ଏ ଏକ ବଡ ଖୁସିଖବର ।
କାଳିଆ ଯୋଜନାର ନାଁ ବଦଳି ସିଏମ କିଷାନ ଯୋଜନା ହୋଇଛି। କିନ୍ତୁ କାଳିଆ ଯୋଜନାରେ ଚାଷୀଙ୍କୁ ମିଳୁଥିବା ସହାୟତା ରାଶି ମିଳିବ କି ନାହିଁ ତାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଏବେ ବି ଦ୍ବନ୍ଦ୍ବ ଲାଗି ରହିଛି।
କାଳିଆ ଯୋଜନାରେ ଯେଉଁ ହିତାଧିକାରୀମାନେ ସହାୟତା ପାଉଥିଲେ ସେମାନଙ୍କୁ ସିଏମ କିଷାନ ଯୋଜନା ଟଙ୍କା ମିଳିବ କି ନାହିଁ ସେ ନେଇ ସନ୍ଦେହ ରହିଛି। ହେଲେ ଏସବୁ ଭିତରେ ଚାଷୀଙ୍କ ପାଇଁ ଭଲ ଖବର ଆସିଛି। ସେପ୍ଟେମ୍ବର ୮ରେ ପଡୁଥିବା ନୂଆଁଖାଇ ପର୍ବ ଅବସରରେ ଚାଷୀଙ୍କୁ ସିଏମ କିଷାନ ଟଙ୍କା ଦେବାକୁ ଯୋଜନା କରିଛନ୍ତି ନୂଆ ସରକାର। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଁଚିଛି। ଏବଂ ମଞ୍ଜୁର ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଫାଇଲ ପଠାଯିବ ବୋଲି ସୂଚନା ମିଳିଛି।
ମୁଖ୍ୟମନ୍ତ୍ରୀ ଫାଇଲରେ ଦସ୍ତଖତ କରିବା ପରେ ଚାଷୀଙ୍କ ଖାତାକୁ ଯିବ ସିଏମ କିଷାନ ଟଙ୍କା। ନୂଆଁଖାଇ ପଶ୍ଚିମ ଓଡିଶାର ଗଣପର୍ବ ହୋଇଥିବାରୁ ଏହି ଅବସରରେ ଚାଷୀଙ୍କ ଖାତାକୁ ଟଙ୍କା ପଠାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋହନ ସରକାର।