
ବାସ୍ତବବ୍ୟୁରୋ: ବାଚସ୍ପତି ସୁରମା ପାଢ଼ୀଙ୍କ ବିଦେଶ ଗସ୍ତ କାର୍ଯ୍ୟକ୍ରମ ଅବସରରେ,ଦକ୍ଷିଣ କୋରିଆରେ ପହଞ୍ଚିବା ବେଳେ ସେଠାରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ତାଙ୍କୁ ଉଚ୍ଛସିତ ସମ୍ବଦ୍ଧନା ପ୍ରଦାନ କରାଯାଇଥିଲା ।
ସେଠାରେ ଥିବା ଭାରତର ରାଷ୍ଟ୍ରଦୂତ ଅମିତ କୁମାର ବାଚସ୍ପତିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବା ଅବସରରେ ଦୁଇ ଦେଶ ମଧ୍ୟରେ ଥିବା ବନ୍ଧୁତ୍ଵପୂର୍ଣ ସମ୍ପର୍କର ଅବତାରଣା କରିବା ସାଙ୍ଗକୁ ଓଡ଼ିଶା ସହ ଦକ୍ଷିଣ କୋରିଆର ସାମାଜିକ ଓ ସାଂସ୍କୃତିକ ଭାବବିନି ମୟ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଅବସରରେ ଶ୍ରୀ ଅମିତ କୁମାରଙ୍କ ସହ ବାଚସ୍ପତି ଦକ୍ଷିଣ କୋରିଆର ବୃହତ ଇସ୍ପାତ ନିର୍ମାଣକାରୀ କମ୍ପାନୀ ପୋସ୍କୋ ସହ ଜିନ୍ଦଲ ଷ୍ଟିଲ କମ୍ପାନୀ ମଧ୍ୟରେ ହୋଇଥିବା ବୁଝାମଣା ଚୁକ୍ତି ଓ ଓଡ଼ିଶାରେ ଇସ୍ପାତ କମ୍ପାନୀ ପ୍ରତିଷ୍ଠା, ପୁଞ୍ଜିନିବେଶ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସାୟିକ ସୁଯୋଗ ଓ ସମ୍ଭାବନା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହ ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରର ବିକାଶରେ ପାରସ୍ପରିକ ସହଯୋଗ ବିଷୟ ଆଲୋଚନରେ ସ୍ଥାନ ପାଇଥିଲା ।

ଦକ୍ଷିଣ କୋରିଆରେ ଓଡ଼ିଶୀ ନୃତ୍ୟର ପ୍ରଚାର, ପ୍ରସାର ଓ ଲୋକପ୍ରିୟତା ସମ୍ପର୍କରେ ସୂଚନା ଦେଇ ରାଷ୍ଟ୍ରଦୂତ ଅମିତ କୁମାର କହିଥିଲେ ଯେ ଇଣ୍ଡିଆନ୍ କାଉନ୍ସିଲ୍ ଫର କଲ୍ଚରାଲ୍ ରିଲେସନ୍ସ (ଆଇସିସିଆର) ପକ୍ଷରୁ ଦକ୍ଷିଣ କୋରିଆ ସ୍ଥିତ ଭାରତୀୟ ଦୂତାବାସଠାରେ ଆୟୋଜିତ ‘ସାରଙ୍ଗ’ ଉତ୍ସବକୁ ଏକ ଓଡ଼ିଶୀ ନୃତ୍ୟ ଦଳ ପଠାଯାଇଥିବା ବେଳେ ସେମାନେ ସେଠାରେ ମୁଖ୍ୟ ସ୍ଥାନ ଗୁଡିକରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏଠାକାର ସ୍ଥାନୀୟ ବିବେକାନନ୍ଦ ସାଂସ୍କୃତିକ କେନ୍ଦ୍ର ଠାରେ ମଧ୍ୟ ନିୟମିତ ଓଡ଼ିଶୀ ନୃତ୍ୟ ଶିକ୍ଷା ପ୍ରଦାନ କରାଯାଉଅଛି ବୋଲି ଶ୍ରୀ ଅମିତ କୁମାର ବାଚସ୍ପତି ସୁରମା ପାଢ଼ୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ବିଧାନସଭାର ସଚିବ ଦାଶରଥୀ ଶତପଥୀ ଉପସ୍ଥିତ ଥିଲେ ।



