ବାସ୍ତବ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଶୁ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି, ଆଜିର ଶିଶୁ କାଲିର ଭବିଷ୍ୟତ । ସମାଜର ବିକାଶ ପାଇଁ ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ ଅପରିହାର୍ଯ୍ୟ। ଶିଶୁମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଏବଂ ଅସୁମାରୀ ସୁଯୋଗ ସୃଷ୍ଟି କରିବା ଦିଗରେ ସମସ୍ତେ ଏକ ହୋଇ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
ଭାରତରେ ଶିଶୁ ଦିବସ ୧୪ ନଭେମ୍ବରରେ ପାଳନ କରାଯାଏ । ଯାହାକି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ବାର୍ଷିକୀ । ତେବେ ଜବାହରଲାଲ ନେହରୁ ପିଲାଙ୍କୁ ବହୁତ ଭଲ ପାଉଥିଲେ । ତାଙ୍କୁ ‘ଚାଚା ନେହରୁ’ କୁହାଯାଉଥିଲା। ପିଲାମାନଙ୍କର ବିକାଶ ପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ୧୪ ନଭେମ୍ବରରେ ‘ଶିଶୁ ଦିବସ’ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଶିଶୁମାନଙ୍କର ଅଧିକାର ଏବଂ କଲ୍ୟାଣ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭାରତରେ ଶିଶୁ ଦିବସ ଏକ ବିଶେଷ ଦିନ । ଏହି ଦିନ ପିଲାମାନଙ୍କ ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ଯେପରିକି ଖେଳ, ନାଟକ, ସଙ୍ଗୀତ ଇତ୍ୟାଦି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିଲାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ କୁହାଯାଏ ଏବଂ ସେମାନେ ଏକ ସୁସ୍ଥ ଏବଂ ସୁଖମୟ ଜୀବନଯାପନ ପାଇଁ ଅନୁପ୍ରାଣିତ ହୁଅନ୍ତି । ଶିଶୁ ଦିବସ ସମାଜରେ ପିଲାମାନଙ୍କ ବିଷୟରେ ସଚେତନତା ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ । ଏହି ଦିନ ଲୋକମାନେ ପିଲାମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରନ୍ତି ଏବଂ ପିଲାମାନଙ୍କର କଲ୍ୟାଣ ପାଇଁ କାର୍ଯ୍ୟ କରିବାକୁ ଅନୁପ୍ରାଣିତ ହୁଅନ୍ତି ।