
ସଂଜୟ ଶତପଥୀ(କଟକ): ରାଜ୍ୟର ପ୍ରଗତି ପାଇଁ ସବୁଠାରୁ ମହତ୍ଵପୂର୍ଣ୍ଣ ଭୂମିକା ରାଜ୍ୟର ପୋଲିସ ବଳ ତୁଲାଇଥାନ୍ତି। ଏହି ପୋଲିସ ବିଭାଗରେ କନଷ୍ଟେବଳ ଏବଂ ସିପାହୀମାନେ ସବୁଠାରୁ ଗୁରୁ ଦାୟିତ୍ଵ ତୁଲାଉଛନ୍ତି । କନଷ୍ଟେବଳ ଏବଂ ସିପାହୀମାନେ ପୋଲିସ ବିଭାଗର ମେରୁଦଣ୍ଡ ସଦୃଶ ବୋଲି ମହାସଂଘର ବାର୍ଷିକ ଉତ୍ସବ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମତବ୍ୟକ୍ତ କରିଛନ୍ତି । ଖରା, ବର୍ଷା, ଶୀତ କାକରକୁ ଭୃକ୍ଷେପ ନକରି କନଷ୍ଟେବଳ ଓ ସିପାହୀମାନେ ନିଜର ଦାୟିତ୍ଵ ସମ୍ପାଦନ କରୁଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।
ସେମାନଙ୍କ ପ୍ରତି ଆମ ସରକାରଙ୍କର ଯଥେଷ୍ଟ ସଂବେଦନଶୀଳତା ଓ ଦାୟିତ୍ୱବୋଧ ରହିଛି ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ପୋଲିସ ସେବାକୁ ଆହୁରି ପ୍ରଭାବୀ କରିବା ପାଇଁ ଭିତ୍ତିଭୂମି ଏବଂ ମାନବ ସମ୍ବଳ ଯୋଗାଇ ଦେବାକୁ ଆମ ସରକାର ପ୍ରତିଶୃତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଓଡିଶା ପୋଲିସର ମୂଳ ମନ୍ତ୍ର ହେଉଛି, ‘ସେବା ଓ ସୁରକ୍ଷା’। ପ୍ରତ୍ୟେକ କାର୍ଯ୍ୟରେ ଦାୟିତ୍ୱବୋଧ ଓ ସମ୍ବେଦନଶୀଳ ହୋଇ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସଂଘର କର୍ମକର୍ତ୍ତା ଏବଂ ଅନ୍ୟ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି।କାର୍ଯ୍ୟକ୍ରମରେ ବିଧାୟକ ପ୍ରକାଶ ସେଠୀ ଯୋଗ ଦେଇ ପୋଲିସର ଉତ୍ସର୍ଗୀକୃତ ମନୋଭାବ, ଲୋକଙ୍କ ପ୍ରତି ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତାକୁ ସାଲୁଟ କରୁଛି ବୋଲି ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଯୋଗଦେଇ କନଷ୍ଟେବଳ ଏବଂ ସିପାହୀ ମାନଙ୍କ ସହଯୋଗ ବିନା ପୋଲିସ କେବେ ସଶକ୍ତ କିମ୍ବା ସମୃଦ୍ଧ ହୋଇ ପାରିବ ନାହିଁ ବୋଲି କହିଥିଲେ। “ସେବା ଓ ସୁରକ୍ଷା” ସ୍ଲୋଗାନ କୁ ପାଥେୟ କରି ସମସ୍ତେ ମିଳିମିଶି , ଓଡିଶା ପୋଲିସ କୁ ସଶକ୍ତ, ସମୃଦ୍ଧ ଏବଂ ଜନସାଧାରଣଙ୍କ ପ୍ରତି ଉତ୍ସର୍ଗୀକୃତ ହେବା ନିମନ୍ତେ ଡିଜିପି ଶ୍ରୀ ଖୁରାନିଆ ଆହ୍ଵାନ ଦେଇଥିଲେ।
ଏହି ବାର୍ଷିକ ଉତ୍ସବରେ ଓଡ଼ିଶା ପୋଲିସ ହାବିଲଦାର, କନେଷ୍ଟବଳ ଏବଂ ସିପାହୀ ମହାସଂଘ ର ସଭାପତି, ଶ୍ରୀ ଅନିଲ କୁମାର ଷଣ୍ଢ, ଉପସଭାପତି, ଶ୍ରୀ ସନ୍ତୋଷ କୁମାର ମହାନ୍ତି, ସାଧାରଣ ସମ୍ପାଦକ, ଶ୍ରୀ କିଶୋର କୁମାର ମହାନ୍ତି ସମେତ ଅନ୍ଯାନ୍ଯ ସଦସ୍ୟମାନେ ମଧ୍ଯ ଉପସ୍ଥିତ ଥିଲେ।