ବାସ୍ତବ ବ୍ୟୁରୋ-ରଥ ନିର୍ମାଣ ଏକ ନିର୍ମାଣ କାର୍ଯ୍ୟ, ଧାର୍ମିକ ଅନୁଷ୍ଠାନ ନୁହେଁ। ତେଣୁ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ସବୁ ଜୋନରେ ନିର୍ମାଣ କାର୍ଯ୍ୟକୁ ଅନୁମତି ରହିଛି। ତେଣୁ ରଥ ନିର୍ମାଣ କରାଯାଇ ପାରିବ । ଶ୍ରୀମନ୍ଦିର ପରିଚାଳନା ସମିତି ବୈଠକରେ ରଥ ନିର୍ମାଣ ଜାରି ଲାଗି ନିଷ୍ପତ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।
ଏହି କାରଣରୁ ଆଶା କରାଯାଉଛି ଯେ ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ରଥ ନିର୍ମାଣ | ପରିଚାଳନା କମିଟି ବୈଠକରେ ଆଜି ଏ ବାବଦରେ ସର୍ବସମ୍ମତ ନିଷ୍ପତ୍ତି ନିଆଯାଇଛି | ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରଙ୍କ ପାଖରେ ରଥ ନିର୍ମାଣ କାର୍ଯ୍ୟକୁ ଅନୁମତି ଦେବା ଲାଗି ସୁପାରିସ କରାଯାଇଛି | ପରିଚାଳନା କମିଟି ଅଧ୍ୟକ୍ଷ ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ ସରକାରଙ୍କ ଗାଇଡଲାଇନ ଅନୁସାରେ ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ହୋଇପାରିବ | ଏଥିସହ ରଥ ଖଳା ଏକ ସର୍ବସାଧାରଣ ସ୍ଥଳ ନୁହେଁ, ଏଠାରେ ସାଧାରଣ ଲୋକ ପ୍ରବେଶ କରନ୍ତି ନାହିଁ। ତେଣୁ ରଥ ଖଳାରେ ରଥ ନିର୍ମାଣ ଲାଗି କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ।
ରାଜ୍ୟ ଓ କେନ୍ଦ୍ରର ଗାଇଡଲାଇନରେ ଧାର୍ମିକ କାର୍ଯ୍ୟକୁ ବାରଣ କରାଯାଇଛି | ତେବେ ରଥ ନିର୍ମାଣ ଏକ ଧାର୍ମିକ କାର୍ଯ୍ୟ ନୁହେଁ ବରଂ ଏହା ଏକ ଶ୍ରମ ଭିତ୍ତିକ କାର୍ଯ୍ୟ ହୋଇଥିବାରୁ ବୈଠକରେ ଏ ନେଇ ସହମତି ପ୍ରକାଶ ପାଇଛି | ଏ ପର୍ଯ୍ୟନ୍ତ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନଥିବାବେଳେ ରାଜ୍ୟ ସରକାରଙ୍କ ପାଖରେ ରଥ ନିର୍ମାଣ ପାଇଁ ସୁପାରିଶ କରାଯାଇଛି |
ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ହିଁ ସବୁକିଛି ନିର୍ଭର କରୁଛି | ଆସନ୍ତାକାଲି ମଧ୍ୟରେ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶା ରହିଛି ବୋଲି ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି |
ରଥ ନିର୍ମାଣ କାର୍ଯ୍ୟ ପ୍ରସଙ୍ଗରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ଯେ ରଥଯାତ୍ରାର ୨ମାସ ପୂର୍ବରୁ ରଥ ନିର୍ମାଣ ହୋଇଥାଏ । ଚଳତବର୍ଷ କରୋନା ପାଇଁ ରଥ ନିର୍ମାଣରେ ବିଳମ୍ବ ହୋଇଛି । ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ କାର୍ଯ୍ୟ କରାଯିବ । ରଥ ନିର୍ମାଣ କାମ ଏକ ଧାର୍ମିକ ପର୍ବ ନୁହେଁ ବରଂ ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ଏକ ଧାର୍ମିକ କାର୍ଯ୍ୟକ୍ରମ ବୋଲି ଗଜପତି କହିଛନ୍ତି । ୩ଟି ଜୋନରେ ନିର୍ମାଣ କାମ ପାଇଁ ଅନୁମତି ସରକାର ଦେଇଛନ୍ତି । ପୁରୀ ଜିଲ୍ଲା ଗ୍ରୀନ ଜୋନରେ ଥିବାରୁ ରଥ ନିର୍ମାଣ କାମ ହୋଇପାରିବ । ଏହାସହ ରଥ ଖଳା ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଗଜପତି କହିଛନ୍ତି । କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟକୁ ଜଣାଇବାକୁ ନିଷ୍ପତ୍ତି ହୋଇଛି । ରାଜ୍ୟ ସରକାରଙ୍କ ଠାରେ କମିଟି ନିଜ ଦାବି ରଖିବ । ରଥ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି କିନ୍ତୁ ଆରମ୍ଭ କଲେ ହୋଇଯିବ । ସରକାର ପରିସ୍ଥିତିକୁ ଦେଖି ଯାହା ଯାହା ନିଷ୍ପତ୍ତି ନେବେ ଆମେ ତାହା ଗ୍ରହଣ କରିବୁ ବୋଲି ଗଜପତି କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ଥିବାବେଳେ ଏହି ସମ୍ପର୍କରେ ଆଜି ବଡ଼ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅପରାହ୍ନରେ ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟିରେ ଏହିପରି ନିଷ୍ପତ୍ତି ନିଆଯାଇଛି ।