ବାସ୍ତବ ବ୍ୟୁରୋ: ପ୍ରକାଶ ପାଇଲା ଯୁକ୍ତ ୨ ପରୀକ୍ଷା ଫଳ । ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏକା ସଙ୍ଗେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ଫଳାଫଳ ବାହାର କରିଛି।
ମୋଟ୍ ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ ଲକ୍ଷ ୧୬ ହଜାର ୭୮୭ ଜଣ ଯୁକ୍ତ ୨ ପରୀକ୍ଷାରେ କୃତକାର୍ଯ୍ୟ କରିଛନ୍ତି। ପାସ୍ ହାର ୮୨.୭୭ ପ୍ରତିଶତ ରହିଛି। ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଏଥିରୁ ୧,୪୨,୫୧୨ ଛାତ୍ର ଏବଂ ୧,୭୪, ୨୫୧ ଜଣ ଛାତ୍ରୀ ପାସ୍ କରିଛନ୍ତି। ଝିଅଙ୍କ ପାସ ହାର ୮୭.୨୪ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ପାସ ହାର ୭୭.୮୮ ପ୍ରତିଶତ ରହିଛି।
କଳାରେ ୮୦.୫୧ ପ୍ରତିଶତ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ବିଜ୍ଞାନରେ ୮୭.୪୯ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ବାଣିଜ୍ୟରେ ୮୩.୨ ପ୍ରତିଶତ ଏବଂ ଧନ୍ଦାମୂଳକରେ ୬୦ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ କରିଛନ୍ତି।
ସୂଚନାନୁଯାୟୀ, ଆଜି ଅପରାହ୍ନ ୪ଟାରେ ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସଚିବ ଶାଳିନୀ ପଣ୍ଡିତ, ପରିଷଦର ଅଧ୍ୟକ୍ଷ ମୁଣାଳକାନ୍ତି ଦାସ, ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ଏହାର ଘଣ୍ଟାଏ ପରେ ଅର୍ଥାତ ଅପରାହ୍ନ ୫ଟାରେ ପରୀକ୍ଷାର୍ଥୀ result.odisha.gov.in କିମ୍ବା results.digilocker.gov.in ମାଧ୍ୟମରେ ନିଜର ପରୀକ୍ଷା ଫଳ ଜାଣି ପାରିବେ।
ଚଳିତ ବର୍ଷ ୩ ଲକ୍ଷ ୯୩ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଛନ୍ତି। ସେମାନଙ୍କ ମଧ୍ୟରେ କଳା ବିଭାଗରେ ୨ ଲକ୍ଷ ୪୭ ହଜାର, ବିଜ୍ଞାନରେ ୧ ଲକ୍ଷ ୧୪ ହଜାର, ବାଣିଜ୍ୟରେ ୨୫ ହଜାର ଓ ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।