
ବରଗଡ଼୧୪/୦୬(ନବୀନ କୁମାର ଦାଶ):ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସ୍ଥାନୀୟ ଯଦୁମଣି ପ୍ରଧାନ ଅଡିଟରୀୟମ ଠାରେ ଆୟୋଜିତ ହେଉଥିବା ଜିଲ୍ଲା ସ୍ତରୀୟ ବିକାଶ ମେଳର ତୃତୀୟ ଦିବସରେ ମାନ୍ୟବର ରାଜସ୍ୱ ଏବଂ ବିପର୍ଯୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଓରମାସ ପଲ୍ଲିଶ୍ରୀ ମେଳା, ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀ ବୁଲି ଦେଖିବା ପରେ ଜିଲ୍ଲାର ସମସ୍ତଗ୍ରାମ୍ୟ ଜଳ ପରିମଳ କମିଟିର ସଦସ୍ୟ ତଥା ସମସ୍ତ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପିଇଓ, ଏବଂ ଜେଇ ମାନଙ୍କୁ ନେଇ ଆୟୋଜିତ ହୋଇଥିବା ଏକ ସାଧାରଣ ସଭା ଓ ପ୍ରଶିକ୍ଷଣ ଶିବିରକୁ ସମ୍ବୋଧିତ କରିଛନ୍ତି।
ଏହି ଅବସରରେ ମାନ୍ୟବର ରାଜସ୍ୱ ମନ୍ତ୍ରୀ ବିକଶିତ ଓଡିଶା ଗଠନରେ ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧି ତଥା ବିଭିନ୍ନ ଯୁଗାନ୍ତକାରୀ ଯୋଜନା ବିଷୟରେ କହିବା ସହ ବରଗଡ଼ ତହସିଲ ଅନ୍ତର୍ଗତ ବରଗାଁ, ସାଲ୍ହେପାଲି ଏବଂ ସାଇଆନ ଗ୍ରାମର ମୋଟ ୩୮ ଜଣ ଭୂମିହୀନ ପରିବାରକୁ ବସୁନ୍ଧରା ପଟ୍ଟା ପ୍ରଦାନ କରିଛନ୍ତି। ଏତଦବ୍ୟତୀତ ମାନ୍ୟବର ମନ୍ତ୍ରୀ ବରଗଡ଼ ତହସିଲ ଅନ୍ତର୍ଗତ ୪ଗୋଟି ପ୍ରାଥମିକ ବିଦ୍ୟାଳୟ ସମେତ ଅତାବିରା ତହସିଲ ଅନ୍ତର୍ଗତ ମୋଟ ୧୬ ଗୋଟି ପ୍ରାଥମିକ ବିଦ୍ୟାଳୟର ନିଜସ୍ୱ ଜମିପଟ୍ଟା ପ୍ରଦାନ କରିଛନ୍ତି।
ଏହାପରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ଅବସରରେ ଆୟୋଜିତ ହୋଇଥିବା ଚିତ୍ରଶିଳ୍ପୀ ଶିବିରକୁ ଉଦଘାଟନ କରିବା ସହ ସମସ୍ତଙ୍କୁ ଉତ୍ସାହିତ କରିଥିଲେ ମାନ୍ୟବର ମନ୍ତ୍ରୀ। ମୋ ସ୍ୱପ୍ନର ବରଗଡ,ମୋ ସ୍ୱପ୍ନର ଓଡିଶା ତଥା ମୋ ସ୍ୱପ୍ନର ଭାରତ ଶୀର୍ଷକରେ ଆୟୋଜିତ ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୦ ଜଣ ଚିତ୍ରଶିଳ୍ପୀ ଯୋଗ ଦେଇ ନିଜ ତୁଳିରେ ଆଙ୍କିଥିଲେ ବିକାଶର ବାର୍ତ୍ତା ।
ଏହି ଅବସରରେ ମାନ୍ୟବର ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ଅତାବିରା ବିଧାୟକ ନିହାର ମହାନନ୍ଦ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ,ଜିଲ୍ଲାପାଳ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା ମଂଚାସୀନ ହୋଇ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା ଆମ ବରଗଡ଼ ଜିଲ୍ଲାର ସମସ୍ତ ଲୋକଙ୍କ ପାଖକୁ ପହଂଚାଇବା ପାଇଁ କାର୍ଯ୍ୟ କରିବାକୁ ମତ ରଖିଥିଲେ।
ଏତଦବ୍ୟତୀତ ରାଜ୍ୟ ସରକାରଙ୍କ ଏକ ବର୍ଷର ଉପଲବ୍ଧି ଗୁଡିକୁ ଲୋକଙ୍କ ନିକଟରେ ପହଂଚାଇବା ପାଇଁ ଆଜି ସକାଳ ୮ ଘଟିକା ସମରେ ଗାନ୍ଧିଛକ ଠାରୁ ବିକାଶ ମେଳା ପର୍ଯ୍ୟନ୍ତ ବିକାଶ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, କର୍ମଚାରୀ ଏବଂ ସ୍ଥାନୀୟ ଯୁବବର୍ଗ ଏହି ସଭାଯାତ୍ରରେ ସାମିଲ ହୋଇଥିବା ବେଳେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଏହାକୁ ଶୁଭାରମ୍ଭ କରିଥିଲେ ।
ଏହାପରେ ଯଦୁମଣି ପ୍ରଧାନ ଅଡିଟରୀୟମ ଠାରେ ଆୟୋଜିତ ଲୋକକଳା ଓ ବିଷୟବସ୍ତୁ ଭିତ୍ତିକ ସାଂସ୍କୃତିକ ବିଚିତ୍ରାରେ ତ୍ରୀଭୁବନ ବିଜୟୀ କଂସ ମହାରାଜ ରାଜ୍ୟ ସରକାରଙ୍କ ଏକବର୍ଷର ଉପଲବ୍ଧି ତଥା ଆମ ବରଗଡ଼ ଜିଲ୍ଲାରେ ବିଭିନ୍ନ ଫଳପ୍ରସୁ ଯୋଜନାର କାର୍ଯ୍ୟକାରିତା ବିଷୟରେ ସମୀକ୍ଷା କରି ଧନୁ ଏବଂ ଧାନର ମାଟିର ସର୍ବାଙ୍ଗୀନ ଉନ୍ନତି କ୍ଷେତ୍ରରେ ଓଡିଶା ସରକାରଙ୍କ ବିଭିନ୍ନ ପଦକ୍ଷେପ ବିଷୟରେ ଲୋକଙ୍କୁ କହି ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରି ଜିଲ୍ଲାର ବେଷ୍ଟ ଫ୍ରଣ୍ଟ ଲାଇନ ୱାର୍କର ଭାବେ ଜଣେ ଆଶାକର୍ମୀ ଏବଂ ସଫେଇ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ ମହାରାଜ କଂସ।