
କଟକ:(ସଂଜୟ ଶତପଥୀ):କଟକ ସଦର ବ୍ଲକରେ ୪ଦିନିଆ ଗ୍ରାମ୍ୟ ସାଧନାକର୍ମୀଙ୍କ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ କଟକ ସଦର ବ୍ଲକ ସମେତ ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକର ୨୬ ଜଣ ଗ୍ରାମ୍ୟ ସାଧନାକର୍ମୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି।
ସାଲେପୁରର ୧୦ ଜଣ ଓ ନିଶ୍ଚିନ୍ତକୋଇଲି ବ୍ଲକର ୩ ଜଣଙ୍କ ସମେତ କଟକ ସଦର ବ୍ଲକର ୧୩ ଜଣ କର୍ମୀଙ୍କୁ ଏହି ପ୍ରଶିକ୍ଷଣ ଦିଆଯାଇଛି। ଗ୍ରାମ୍ୟ ସାଧନାକର୍ମୀଙ୍କ ପ୍ରଶିକ୍ଷଣ କର୍ମଶାଳା ସଦର ବିଡ଼ିଓ ପ୍ରତୀକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ପ୍ରଶିକ୍ଷଣ କାର୍ଯକ୍ରମ ଜାନୁଆରୀ ୬ରୁ ୯ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା, ଗ୍ରାମୀଣ ଗୃହ ନିର୍ମାଣରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପଞ୍ଚଦଶ ଅର୍ଥକମିଶନ ଯୋଜନା, ଏନଏସଏପି ଇତ୍ୟାଦି ସଂପର୍କରେ ପ୍ରଶିକ୍ଷାର୍ଥଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା।
କାର୍ଯ୍ୟକ୍ରମରେ ଏବିଡିଓ ଗିରିଜା ପ୍ରସାଦ ବାରିକ୍, ଡିଏସଏ କଳ୍ପନା ବିଶ୍ଵାଳ, ଟାଙ୍ଗୀ ଚୌଦ୍ବାର ବ୍ଲକ ସୋସିଆଲ ଅଡିଟର ମନୋଜ କୁମାର ବାରିକ, ସଦର ବ୍ଲକ ସୋସିଆଲ ଅଡିଟର ରଶ୍ମୀ ନାୟକ,ସଦର ଏପିଓ, ବିଏସଏସଓ, ଜିପିଡିଓ, ଜେଇ, ବିପିସିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ବ୍ଲକ ସୋସିଆଲ ଅଡିଟରମାନେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।କାର୍ଯକ୍ରମ ଶେଷରେ ପ୍ରଶିକ୍ଷାର୍ଥଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଲାଗି ଏଭଳି ପ୍ରଶିକ୍ଷଣ ଦିଆଯାଉଛି ବୋଲି ଅଧିକାରୀମାନେ କହିଛନ୍ତି।



