ବାସ୍ତବ ବ୍ୟୁରୋ-ଆଜି ଭିଡିଓ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣର୍ ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ରେପୋ ରେଟ୍ ୪. ୪% ରୁ ୪%କୁ ହ୍ରାସ କରାଯାଇ ଅଛି । ଏବଂ ୩. ୭୫%ରୁ ୩. ୫୫%କୁ ହ୍ରାସ କରାଯାଇ ରିଜର୍ଭ ବ୍ୟାଙ୍କ୍ର ରିଜର୍ଭ ରୋପୋ ରେଟ୍ରେ ସମନ୍ବୟ ଅଣାଯାଇ ଅଛି ।
ଛଅଜଣ ସଦସ୍ୟବିଶିଷ୍ଟ ମନିଟାରି ପଲିସି କମିଟିରେ ରେପୋ ରେଟ୍ ୪୦ ବେସିସ୍ ପଏଣ୍ଟ୍ କାଟ ସପକ୍ଷରେ ୫:୧ ଭୋଟ୍ ମିଳିଛି ବୋଲି ସେ କହିଛନ୍ତି । ସେ ଆହୁରି କହିଛନ୍ତି କି, ଦେଶରେ କୋଭିଡ-୧୯ ଭାଇରସ୍ ସଙ୍କଟ ଯୋଗୁଁ ବିଜୁଳି, ପେଟ୍ରୋଲିୟମ୍ ଉତ୍ପାଦନ ବ୍ୟବହାରର ଚାହିଦା ହ୍ରାସ ପାଇଛି । ଘରୋଇ କ୍ଷେତ୍ରରେ ଚାହିଦା ମଧ୍ୟ ହ୍ରାସ ପାଇଛି । ବିନିଯୋଗ ଚାହିଦା ମଧ୍ୟ କମିଛି ।

ଏହାଛଡ଼ା ୯୦ ଦିନ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଏସ୍ଆଇଡିବିଆଇ ପାଇଁ ୧୫୦୦୦ କୋଟି ଟଙ୍କାର ଋଣ ବ୍ୟବସ୍ଥା କରିଛି । ଏକ୍ସପୋର୍ଟ କ୍ରେଡିଟ୍ ସମୟ ସୀମା ୧ ବର୍ଷରୁ ୧୫ ମାସ ଯାଏଁ ବୃଦ୍ଧି କରାଯାଇଛି । ଇଏକ୍ସଆଇଏମ୍ ବ୍ୟାଙ୍କ୍କୁ ୧୫୦୦୦ କୋଟି ଋଣ ଦିଆଯିବ ।
ପୁଣି ୩ମାସ ପାଇଁ ଇଏମଆଇ ଅବଧି ବଢ଼ିଛି । ଜୁନ ୧ରୁ ଅଗଷ୍ଟ ୩୧ ଯାଏଁ ସମୟସୀମାକୁ ବୃଦ୍ଧି କରାଯାଇଛି । ଏନେଇ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ପୂର୍ବରୁ ୩ମାସ ପାଇଁ ଘୋଷଣା କରିଥିଲା ଆରବିଆଇ । ପୂର୍ବରୁ ମାର୍ଚ୍ଚ ୨୭ରୁ ତିନି ମାସ ପାଇଁ ଘୋଷଣା ହୋଇଥିଲା । କରୋନା ପାଇଁ ମୋଟ ୬ ମାସ ବଢ଼ିଛି ଇଏମଆଇ ଅବଧି ।
୨୦୨୦-୨୧ ବର୍ଷରେ ଅଭିବୃଦ୍ଧି ହାର ବିଯୁକ୍ତାତ୍ମକ ବର୍ଗରେ ରହିବ। ବର୍ଷର ଦ୍ବିତୀୟାର୍ଦ୍ଧରେ ଅଭିବୃଦ୍ଧି ହାର କିଛିଟା ବୃଦ୍ଧି ପାଇପାରେ । ଆର୍ଥିକ ବର୍ଷର ଦ୍ବିତୀୟାର୍ଦ୍ଧରେ ଅର୍ଥନୈତିକ, ଆର୍ଥିକ ଏବଂ ପ୍ରଶାସନିକ ବ୍ୟବସ୍ଥାର ମିଳିତ ପଦକ୍ଷେପ ଆର୍ଥିକ ପୁନଃରୁତ୍ଥାନ ପାଇଁ ଅନୁକୂଳ ପରିସ୍ଥିତି ସୃଷ୍ଟି କରିବ ।
