ବାସ୍ତବ ବ୍ୟୁରୋ-ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ କହିଛନ୍ତି ଯେ, ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ସ୍ନାନ ଯାତ୍ରା ରେ ଭକ୍ତମାନଙ୍କୁ ଦୁରେଇ ରଖିବା ନେଇ ଆଜି ରାତିରୁ ପୁରୀରେ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ପୁରୀରେ ସ୍ନାନଯାତ୍ରା ପାଇଁ ୩୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ଅନ୍ୟପକ୍ଷରେ ଭକ୍ତମାନଙ୍କୁ ବଡଦାଣ୍ଡକୁ ନ ଛାଡ଼ିବା ପାଇଁ ବଡଦାଣ୍ଡର ବିଭିନ୍ନ ପ୍ରବେଶ ସ୍ଥାନମାନଙ୍କରେ ତିଆରି ହୋଇଛି ବ୍ୟାରିକେଡ ।

ଡିଆଇଜି ସିଂହଙ୍କ ସୂଚନା ମୁତାବକ ୧୪୪ ଧାରାକୁ କଡ଼ାକଡ଼ି ପାଳନ ପାଇଁ ପୁଲିସ ମୁଖ୍ୟତଃ ଦୃଷ୍ଟି ରଖିବେ । ୨ କମାଣ୍ଡାଣ୍ଟ ଅଫିସର, ୬ ଏଏସପି, ୧୬ ଡିଏସପି ଓ ୪୪ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ । ପୁଲିସ କର୍ମଚାରୀମାନେ ୨୪ ଘଣ୍ଟା ଦାୟିତ୍ୱରେ ରହିବେ । ନିରବଚ୍ଛିନ୍ନ ଦାୟିତ୍ୱ ରହିଥିବାରୁ ୪ଟି ସିଫ୍ଟରେ ବିଭକ୍ତ କରାଯାଇଛି । ସିସିଟିଭି ଲାଗିଛି, ତା ସହ ୨୦ଟି କ୍ୟାମେରାରେ ଭିଡିଓଗ୍ରାଫି ବି କରାଯିବ ।
