
ପୂଣ୍ୟଭୂମି ଭାରତ ବର୍ଷର ରାଜ୍ୟ ମାନଙ୍କ ମଧ୍ୟରୁ ଆଧ୍ୟାତ୍ମିକ , ସାଂସ୍କୃତିକ ଓ ନୈତିକ ଚେତନାର ପ୍ରାଣକେନ୍ଦ୍ର ଦେବଭୂମି ଉତ୍କଳ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି । ଏହି ଭୂମିର ଐତିହାସିକ କେନ୍ଦ୍ରାପଡା ଜିଲ୍ଲାର ସଦର ମହକୁମାସ୍ଥ ଇଛାପୁରଠାରେ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ବିଦ୍ୟମାନ । ପ୍ରାୟ ୨ ଏକର ୮ ଡିସିମିଲ ବେଷ୍ଟିତ ଭୂମି ଉପରେ ଏହି ମନ୍ଦିର ଅବସ୍ଥିତ ମନ୍ଦିର ସମ୍ମୁଖରେ ୪୦ ଫୁଟ ଉଚ୍ଚର ବିରାଟ ଅରୁଣ ସ୍ତମ୍ବ ବିଦ୍ୟମାନ ମୁଖ୍ୟ ବଡ ଦେଉଳର ଉଚ୍ଚତା ୭୫ ଫୂଟ । ମନ୍ଦିର ମଧ୍ୟସ୍ଥ ରତ୍ନ ସିଂହାସନ ଉପରେ ପ୍ରଭୁ ବଳଦେବ , ସାନୁଜ ଜଗନ୍ନାଥ ଓ ଭଉଣି ସୁଭଦ୍ରା ବିରାଜମାନ । ମହାପ୍ରଭୁଙ୍କ ସହିତ ଚଳିତ ପ୍ରତିମା ଗୋବିନ୍ଦଜୀଉ ମହାଲକ୍ଷ୍ମୀ, ସୁର୍ଦଶନ, ବାଳଗୋପାଳ, ଓ ବୃହତ ଶାଳଗ୍ରାମ ପୂଜା ପାଉଛନ୍ତି । ନାଟମନ୍ଦିର ସମ୍ମୁଖରେ ସିଂହ ଓ ହସ୍ତିଙ୍କର ପ୍ରକାଣ୍ଡ ମୃତି ରହିଅଛି । ମନ୍ଦିର ବେଢା ମଧ୍ୟରେ କନକ ଦୁର୍ଗା , ବୈକୁଣ୍ଠନାଥ , ସୂର୍ଯ୍ୟ , ଚନ୍ଦ୍ର , ଜମ , ନବଗ୍ରହ ଏବଂ ଆହୁରି ଅନେକ ଦେବତା ପୂଜିତ । ଶ୍ରୀ ବଳଦେବଜୀଉ ମହାପ୍ରଭୂଙ୍କୁ ସିଧାସଳଖ ଭକ୍ତ ବଡଦାଣ୍ଡରେ ଠିଆ ହୋଇ ଦର୍ଶନ କରିବାର ଅପୂର୍ବ ସୁଯୋଗ ଏହି ମନ୍ଦିରରେ ଅଛି ।
ଦ୍ୱାପର ଯୁଗରେ ତାଳବଣ ମଧ୍ୟରେ ଧେନୁକା ନାମକ ଦୁର୍ଦାନ୍ତ ରାକ୍ଷସକୁ ବିନାଶ କରିବାପାଇଁ ଦେବତା ମାନେ ବଳଦେବଙ୍କୁ ଯେଊଁ ରଥ ପ୍ରଦାନ କରିଥିଲେ ସେହି ରଥର ଧ୍ୱଜାରେ ତାଳ ଚିହ୍ନ ଥିବାରୁ ଏହାର ନାମ ତାଳଧ୍ୱଜ ରଥ ବୋଲି କୁହାଯାଏ । ତେବେ ତୁଳସୀ କ୍ଷେତ୍ରର ଅଧିପତି ଶ୍ରୀ ବଳଦେବ ଦାରୂଦେବତା ବା ଦାରୂବ୍ରହ୍ମ ନ ହୋଇ ତାଙ୍କର ସମସ୍ତ କଳେବର ମଣି ବିଗ୍ରହ ବ୍ରହ୍ମ ହୋଇଥିବାରୁ ତାଙ୍କ ରଥକୁ ବ୍ରହ୍ମ ତାଳଧ୍ୱଜ ରଥ ଏବଂ ନିବାସ ସ୍ଥଳୀକୁ ବ୍ରହ୍ମ କ୍ଷେତ୍ର ବୋଲି କୁହାଯାଏ । ଚଉଦ ବ୍ରହ୍ମାଣ୍ଡର ଅଧିପତି ଭାବେ ରଥର ଚକ ସଂଖ୍ୟା ୧୪ । ଚକ ଗୁଡିକର ଉଚ୍ଚତା ୬ ଫୁଟ୍ ଅଧେ ଚକ ଗୁଡିକର ଅର ସଂଯୁକ୍ତରେ ନିର୍ମାଣ ନ ହୋଇ ୭ ଇଂଚ ମୋଟା ବିଶିଷ୍ଟ ତିନି ଖଣ୍ଡ ନିଦା ଶାଳ କାଠରେ ତିଆରି ହୋଇଥାଏ ।

ଏହି ରଥ ୧୦୧୩ ଖଣ୍ଡ କାଠରେ ନିର୍ମିତ ଓ ଭୂମି ଠାରୁ ରଥର ଉଚ୍ଚତା ୪୩ ହାତ ୯ ଆଙ୍ଗୁଳି ବା ୭୫ ଫୁଟ । ଭୂମି ଠାରୁ ରଥ ସ୍ଥିତ ସିଂହାସନର ଉଚ୍ଚତା ୧୨ଫୁଟ ଅଧେ । ସମଗ୍ର ବିଶ୍ୱରେ ଏହା ହେଉଛି ସବୋର୍ଚ୍ଚ ଓ ସର୍ବୋ ବୃହତମ ରଥ । ସାରଥିର ନାମ ପ୍ରଦୁ୍ୟମ୍ନ । ୭ ଗୋଟି ଅଖ ସପ୍ତତତ୍ୱର ପରି•ୟକ । ୯ ବରାନ୍ଦ ନବଗ୍ରହର ପ୍ରତୀକ । ରଥରେ ଦୁଇଟି ଧଳା ଦୁଇଟି କଳା ଘୋଡା ବନ୍ଧା ହୋଇଥାନ୍ତି । ଏମାନେ ହେଲେ ତିବ୍ର, ଘୋର, ଦୀର୍ଘଶ୍ରମ ଓ ସ୍ୱର୍ଣ୍ଣନାମ । ରଥ ରଜୁର ନାମ ବାସୁକି । ରଥର ଆବରଣ ନାମ ସପ୍ତରଙ୍ଗ, ଦଉଡି ୭ଟି ପ୍ରତିଟି ୪୦ଫୁଟ ଲମ୍ବ ନେତର ନାମ ଉର୍ଣ୍ଣନୀ, ରଥ ସମ୍ମୁଖରେ ଗରୁଡ ଓ ହନୁମାନ , ଦ୍ୱାରପାଳ ସୂର୍ଯ୍ୟ ଓ ଚନ୍ଦ୍ର ଦ୍ୱାରଦେଶରେ ରୁଦ୍ର , ରଥର ରକ୍ଷକ ସ୍ୱୟଂ ବାସୁଦେବ ଶଙ୍କର୍ଷଣ, ପାଶ୍ୱ ଦେବତା ହେଲେ ହରିହର , ତ୍ରିପୁରାରୀ, ଲକ୍ଷ୍ମଣ ସିଦ୍ଧ, ବିନାୟକ ନୃସିଂହ, ବାସୁଦେବ, •ମୁଣ୍ଡା, ଭଦ୍ରକାଳୀ, ମଙ୍ଗଳା ଆଦି ଋଷିପଟ୍ଟାରେ ଅଙ୍ଗିରା, ପୌଲ୍ୟସ୍ତ, ପୁଲଃ, ଅଗସ୍ଥି, ଆତ୍ରେୟ ଓ କାଷ୍ୟପ, ରଥ କୁମ୍ଭର ନାମ ଭୁବନ,ବିଶ୍ୱ, ପୃଥିବୀ, ରକ୍ଷା କର୍ତା ନନ୍ଦ ଓ ସୁନନ୍ଦ ।
କେନ୍ଦ୍ରାପଡାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥ ନିର୍ମାଣରେ ୪୦ ଜଣ ମହାରଣା ସେବକ ଓ ୮ ଜଣ କମାର ସେବକ ନିଧାରିତ ସମୟରେ ରଥ କାମରେ ଲାଗିଥାନ୍ତି । ତୁଳସୀ କ୍ଷେତ୍ର ଅଧିପତି ଶ୍ରୀ ବଳଦେବଜୀଉ ରତ୍ନସିଂହାସନ ତ୍ୟାଗ କରି ଘୋଷଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ବର୍ଷକରେ ଥରେ ଶ୍ରୀ ଗୁଣ୍ଡିଚାରେ ମାନବ ସମାଜକୁ ଶାନ୍ତି , ମୈତ୍ରୀ ତଥା ଭାତୃଭାବରେ ବାନ୍ଧି ରଖିବା ନିମନ୍ତେ ମହାପ୍ରଭୁ ଏହି ବ୍ରହ୍ମତାଳଧ୍ୱଜ ରଥରେ ରଥାରୁଢ ହୋଇଥାନ୍ତି । ଆଷାଢ ମାସରେ ରଥରେ ବସି ମାଉସୀ ଘରକୁ ଯାତ୍ରା କରିବା ପରମ୍ପରା ରହିଛି । ଏହି ସଂସ୍କୃତି ଓ ପରମ୍ପରାକୁ ନେଇ ଓଡିଆ ଜାତି ଗର୍ବ କରୁଥିବା ବେଳେ ପୃଥିବୀର ବିଭିନ୍ନ କୋଣରୁ ଧର୍ମାବଲମ୍ବୀମାନେ ମଧ୍ୟ ଉକôଳୀୟ ସଂସ୍କୃତି ଉପରେ ବିଶ୍ୱାସ ରଖିଥାନ୍ତି ।
ତୁଳସୀ କ୍ଷେତ୍ରର ପରମ୍ପରା ଧାଡି ପହୁଣ୍ଡି
ତୁଳସୀ କ୍ଷେତ୍ରାଧିପତିଙ୍କ ଶ୍ରୀଗୁଣ୍ଡିଚାରେ ଧାଡି ପହଁଣ୍ଡିରେ ତିନି ଠାକୁର ବ୍ରହ୍ମ ତାଳଧ୍ୱଜ ରଥକୁ ଆସିଥାନ୍ତି । ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀ ଜଗନ୍ନାଥଙ୍କ ଘୋଷଯାତ୍ରାରେ ନିର୍ମିତ ୩ ରଥକୁ ଶ୍ରୀ ଜଗନ୍ନାଥ , ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଏକା ସଙ୍ଗରେ ରତ୍ନସିଂହାସନ ଛାଡି ପହଁଣ୍ଡି ହୋଇ ୩ ରଥକୁ ଆସିଥାନ୍ତି । କିନ୍ତୁ ତୁଳସୀକ୍ଷେତ୍ରରେ ୩ ଠାକୁର ଜଣେ ପରେ ଜଣେ ବ୍ରହ୍ମ ତାଳଧ୍ୱଜ ରଥକୁ ପହଁଣ୍ଡି ହୋଇ ଆସିଥାନ୍ତି । ଏହି ବିରଳ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦର ସୀମା ବଢିଯାଇଥାଏ । ଏହା ହିଁ ହେଉଛି ତୁଳସୀ କ୍ଷେତ୍ରାଧିପତି ବଳଦେବଜୀଉଙ୍କ ରଥଯାତ୍ରାର ସ୍ୱତନ୍ତ୍ର ପରମ୍ପରା ।

ଏହି ବିଶାଳକାୟ ରଥ ଯେତେବେଳେ ବଡଦାଣ୍ଡରେ ଚାଲେ ସେତେବେଳେ ଏକ ଚଳନ୍ତି ମନ୍ଦିରର ଭ୍ରମ ସୃଷ୍ଟି କରିଥାଏ । ଏହି ରଥ ପ୍ରତିବର୍ଷ ଶ୍ରୀ କ୍ଷେତ୍ରପରି ସମ୍ପୂର୍ଣ୍ଣ ନୂତନ ଭାବେ ନିର୍ମାଣ ନ ହୋଇ ପ୍ରତିବର୍ଷ ଦୁଇ ଗୋଟି ଚକ ଓ ଆବଶ୍ୟକ ସ୍ଥଳରେ ଅନ୍ୟାନ୍ୟ ଅଂଶ ବଦଳାଇ ଦିଆଯାଇଥାଏ । ରଥ କାର୍ଯ୍ୟ ମୁଖ୍ୟତଃ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇ ଶ୍ରୀଗୁଣ୍ଡିଚା ଦିନ ରଥ ଉପରେ ନେତ ପଡିବା ପରେ ସମ୍ପୂର୍ଣ୍ଣ ହୋଇଥାଏ ।