ବାସ୍ତବ ବ୍ୟୁରୋ–ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଆଜି ମଧ୍ୟରାତ୍ର ଠାରୁ ଆମେ ଅନଲକ-୨ରେ ପ୍ରବେଶ କରିବାକୁ ଯାଉଛେ । ଦେଶରେ କରୋନା ପ୍ରଭାବ ଦିନ କୁ ଦିନ ବଢ଼ି ଚାଲି ଥିବାରୁ ଆହୁରି ସତର୍କ ରହିବାକୁ ହେବ । ଏହା ସହ ଲକଡାଉନ ସମୟରେ କେନ୍ଦ୍ର ସରକାରଙ୍କ ତରଫ ରୁ ଦେଶର ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ଲକଡାଉନ ସମୟରେ ଦେଶର ଗରିବ ନାଗରିକମାନଙ୍କ ପାଇଁ ଅର୍ଥ ଉପାର୍ଜନର ସମସ୍ତ ବାଟ ବନ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମଧ୍ୟରେ ଆମେ ୧.୭୫ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛୁ । ଗତ ୩ମାସ ମଧ୍ୟରେ ୨୦କୋଟି ଗରିବ ପରିବାର ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ୩୧,୦୦୦ କୋଟି ଟଙ୍କା ଜମା ହୋଇଛି । ଏଥିସହ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୧୮୦୦୦ କୋଟି ଜମା ହୋଇଛି ।

ଆଗାମୀ ପାଞ୍ଚ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ସରକାର ୮୦ କୋଟି ଗରିବ ଭାଇ-ଭଉଣୀଙ୍କୁ ମାଗଣା ରାସନ ପ୍ରଦାନ କରିବେ । ପରିବାରର ପ୍ରତ୍ୟେକ ସଦସ୍ୟ ୫ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଇବେ । ଏଥିସହ ପ୍ରତି ପରିବାରକୁ ମିଳିବ ୧ କିଲୋ ଡ଼ାଲି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଅନଲକ୍-୧ ଆରମ୍ଭ ହେବା ଦିନଠାରୁ ବ୍ୟକ୍ତିଗତ ଏବଂ ସାମାଜିକ ଆଚରଣରେ ଅବହେଳା ବଢ଼ିବାରେ ଲାଗିଛି । ବର୍ତ୍ତମାନ ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ପୁନର୍ବାର ସମାନ ସତର୍କତା ଦେଖାଇବାକୁ ପଡିବ । କଣ୍ଟେଣ୍ଟମେଣ୍ଟ ଜୋନ୍ ଉପରେ ଆମର ଏକ ବିଶେଷ ଧ୍ୟାନ ରହିବା ଆବଶ୍ୟକ । ଯଦି କେହି ନିୟମର ଅବମାନନା କରୁଥିବାର ଆପଣ ଦେଖନ୍ତି, ତେବେ ସେମାନଙ୍କୁ ତାହା ନକରିବାକୁ ସେମାନଙ୍କୁ କୁହନ୍ତୁ ।
