ବାସ୍ତବ ବ୍ୟୁରୋ-ଅନଲକ୍ ୩ ପାଇଁ ରାଜ୍ୟ ସରକାର ଜାରି କଲେ ଗାଇଡଲାଇନ୍ । ଆଜି ସାମ୍ବାଦିକ ସମ୍ମିଳନୀରେ, ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ,କରୋନା ଯୋଦ୍ଧା ଯେଭଳି କାମ କରୁଛନ୍ତି ତାହା ପ୍ରଶଂସନୀୟ । ଜୀବିକାକୁ ମଧ୍ୟ ଗୁରୁତ୍ୱ ଦେବାକୁ ପଡିବ ।
ସେ କହିଛନ୍ତି ଯେ, ପୂର୍ବଭଳି ସାଧାରଣ ସ୍ଥାନରେ ଛେପ ପକାଇଲେ ଫାଇନ୍ ପଡିବ । ଏପରିକି ମାସ୍କ ନପିନ୍ଧିଲେ ପ୍ରଥମ ଦୁଇଥରରେ ୧୦୦୦ ଟଙ୍କା ଓ ତୃତୀୟ ଥର ୫୦୦୦ ଟଙ୍କା ଫାଇନ୍ ପଡିବ । ବିବାହ ପାଇଁ ଏବେ ଆଇନ ନମାନିଲେ ୧୦ ହଜାର ଟଙ୍କା ଫାଇନ ଦେବାକୁ ପଡିବ । ଏପରିକି ବିବାହ ମଣ୍ଡପ ସିଲ୍ ହେବା ନେଇ ମଧ୍ୟ ନିୟମ ହେବ । ୧୦ ଜଣଠୁ ବେଶୀ କୌଣସି ସାଧାରଣ ସ୍ଥାନରେ ଗହଳି କରିପାରିବେ ନାହିଁ । ନିୟମ ନମାନିଲେ ୧୦ ହଜାର ଟଙ୍କା ଫାଇନ୍ ଲାଗିବ । ତେବେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବା ଜରୁରୀ । ନଚେତ ୧୦ ହଜାର ଟଙ୍କା ଫାଇନ୍ ଓ ଦୋକାନକୁ ଗୋଟିଏ ମାସ ଯାଏଁ ସିଲ୍ ହେବ ।
- କଣ୍ଟେନମେଣ୍ଟ୍ ଜୋନରେ କେବଳ ଲକଡାଉନ୍ ରହିବ । ଏହି ଅଞ୍ଚଳରେ ସାଧାରଣ ଚଳାଚଳ ଉପରେ ରୋକ୍ ଲାଗିବ ।
- ରାଜ୍ୟରେ ସବୁଠି ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।
- ଆନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସ୍ୱିମିଂ ପୁଲ , ସାମାଜିକ, ରାଜନୈତିକ, ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିବ । ଅଗଷ୍ଟ ୩୧ ଯାଏଁ ସ୍କୁଲ, କଲେଜ ଆଦି ବନ୍ଦ ରହିବ । କିନ୍ତୁ ଏହି ସମୟରେ ପରୀକ୍ଷା ହେବ, ଖାତା ଦେଖା ହେବ ।
- ଅଗଷ୍ଟ ୫ରୁ ଯୋଗ ସେଣ୍ଟର, ଜିମ୍ ଖୋଲିବ । ତେବେ ଗାଇଡଲାଇନ୍ ପାଳନ ବାଧ୍ୟତାମୂଳକ ।
- ରାତି ୯ରୁ ସକାଳ ୫ଟା ଯାଏଁ ଦୋକାନ, ବଜାର, ସାଧାରଣ ଚଳାଚଳ ଉପରେ କଟକଣା ଲାଗିଛି । କେବଳ ଜରୁରୀକାଳିନ ସେବା ଜାରି ରହିବ ।
- ନାଇଟ୍ କର୍ଫ୍ୟୁ ପାଇଁ ରାସ୍ତା କଡ ଢାବା ଖୋଲା ରହିବ । ତେବେ ବସିକି ଖାଇ ହେବ ନାହିଁ ।
- ଗଣମାଧ୍ୟମ କର୍ମଚାରୀଙ୍କୁ ପାସ୍ ମିଳିବ ।
- ସାଧାରଣ ସ୍ୱାସ୍ଥ୍ୟକୁ ନଜରରେ ରଖି ଗଞ୍ଜାମ, ଖୋର୍ଧା, କଟକ ଓ ରାଉରକେଲା ମ୍ୟୁନିସିପାଲରେ ଅଗଷ୍ଟର ଶନିବାର ଓ ରବିବାର ସଟଡାଉନ୍ ରହିବ । କେବଳ ୧ ଓ ୨ ତାରିଖରେ ଦିନ ୧ଟାରୁ ସଟଡାଉନ୍ ରହିବ । ଏହି ଦୁଇଦିନ ସକାଳ ୫ରୁ ଦିନ ୧ଟା ଯାଏଁ ଦୋକାନ ବଜାର ଅଫିସ୍ ଚାଲିବ ।
- ସଟଡାଉନରେ ଜରୁରୀକାଳିନ ସେବା ଜାରି ରହିବ । ଜରୁରୀକାଳିନ ସେବା ଯୋଗାଉଥିବା କର୍ମଚାରୀ ମଧ୍ୟ ଯାତାୟାତ କରିପାରିବେ ।
- ପେଟ୍ରୋଲ ପମ୍ପ ଖୋଲା ରହିବ । ସଟଡାଉନ୍ ସମୟରେ ଟେଲିକମ୍, ବିଜୁଳି ସେବା, ସରକାରୀ ଅଧିକାରୀ ଆଦି ନାଇଟ୍ କର୍ଫ୍ୟୁ ସମୟରେ ଯାଇପାରିବେ । ସାଧାରଣ ବ୍ୟକ୍ତି କେବଳ ଜରୁରୀକାଳିନ କାମରେ ଯାଇପାରିବେ ।
- ଔଷଧ ଦୋକାନର କର୍ମଚାରୀମାନେ ଯାଇପାରିବେ ।
- ଓଲା, ଉବେର ଆଦି ବିମାନ ବନ୍ଦର ଓ ଷ୍ଟେସନରୁ ଗନ୍ତବ୍ୟସ୍ଥଳୀକୁ ଯାଇପାରିବେ । ତେବେ ବୋର୍ଡିଂ ପାସ୍କୁ ମୁଭମେଣ୍ଟ୍ ପାସ୍ ବିବେଚନା ହେବ ।
- ପରିବହନ ସେବା ଜାରି ରହିବ । ବସ୍ ଟର୍ମିନାଲ, ଷ୍ଟେସନ, ବିମାନ ବନ୍ଦର କର୍ମଚାରୀ କାମ କରିପାରିବେ । ସଟଡାଉନ୍ ବେଳେ ଖାଦ୍ୟ ଓ ରାସନ ସାମଗ୍ରୀର ହୋମ୍ ଡେଲିଭରୀ ହେବ ।
ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ତାଙ୍କ ବିବୃତିରେ କହିଛନ୍ତି ଯେ,କୋଭିଡ୍ ମୁକାବିଲା ସହ ରାଜ୍ୟରେ ଜୀବନ ଓ ଜୀବିକାକୁ ମଧ୍ୟ ସ୍ୱାଭାବିକ କରିବାର ଆବଶ୍ୟକତା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନର ଅନେକ ନିୟମକୁ କୋହଳ କରିଛନ୍ତି । ଦୈନିକ ୬ ହଜାର ଯାତ୍ରୀ ଟ୍ରେନରେ ଓଡ଼ିଶାକୁ ଆସୁଛନ୍ତି, ଜୀବନ ଜୀବିକାକୁ ସ୍ୱାଭାବିକ କରିବାକୁ ଆମକୁ କୋହଳ କରିବାକୁ ପଡ଼ିବ, ୯୦ ପ୍ରତିଶତ ଲୋକ କଟକଣା ମାନୁଥିଲେ ବି କିଛି ମାନୁନାହାନ୍ତି, ୧୦ ପ୍ରତିଶତ ଅମାନିଆଙ୍କ ପାଇଁ ୯୦ ପ୍ରତିଶତ ଲୋକ ବିପଦରେ ପଡୁଛନ୍ତି ।




