ବାସ୍ତବବ୍ୟୁରୋ :(ଭୁବନେଶ୍ବର) ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆଜି ଜାରିହୋଇଥିବା ସୂଚନାନୁଯାଇ, ଓଡ଼ିଶାର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ପାରଦ ହ୍ରାସ ପାଇଛି। ତାପମାତ୍ରା ପାଖାପାଖି ୭ ଡିଗ୍ରି ପର୍ଯ୍ୟନ୍ତ ଖସିଚି | ବଲାଙ୍ଗୀରରେ ରାତି ତାପମାତ୍ରା ସର୍ବାଧିକ ୭.୪ଡିଗ୍ରି ଖସି ଯାଇଥିବା ବେଳେ ସୋନପୁରଠାରେ ୬.୬ ଡିଗ୍ରି ତଳକୁ ଖସିଛି। ସେହିଭଳି ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୫.୨ଡିଗ୍ରି ଖସିଥିବା ବେଳେ କଟକରେ ୪.୪ ଡିଗ୍ରି ଖସିଛି। ଫଳରେ ରାଜ୍ୟରେ ପୁଣିଥରେ ଶୀତ ଅନୁଭୂତ ହୋଇଛି। ଗତରାତିରୁ ଆରମ୍ଭ ହୋଇଥିବାକିନ୍ତୁ ଏହି ପ୍ରକ୍ରିୟା ବେଶିଦିନ ପାଇଁ ନୁହେଁ।ଆସନ୍ତା ୨୪ ତାରିଖରୁ ରାଜ୍ୟର ତାପମାତ୍ରା ପୁଣି ବଢ଼ିବା ଆରମ୍ଭ କରିବ। ୨୪ ପରଠାରୁ ୩ରୁ ୪ଦିନ ପର୍ଯ୍ୟନ୍ତ ତାପମାତ୍ରା ପ୍ରାୟ ୫ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳତ ଶୀତ ପ୍ରକୋପ କମିବ। ଦକ୍ଷିଣ ଓଡ଼ିଶାର ଉପକୂଳବର୍ତୀ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ହାଲ୍କାରୁ ମଧ୍ୟମ ଧରଣର କୁହୁଡ଼ି ହେବାର ସମ୍ଭାବନା ରହିଛି।

ଗତ ୨୪ ଘଣ୍ଟାରେ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ଥିଲା।ରାତ୍ରି ତାପମାତ୍ରା ଫୁଲବାଣୀଠାରେ ୭ ଡିଗ୍ରି ସେଲ୍ସିୟସ୍ ରେକର୍ଡ ହୋଇଥିବାବେଳେ,ରାଜ୍ୟର ଆଉ ଦୁଇଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ ହୋଇଛି। ଝାରସୁଗୁଡ଼ା ୮.୬ ଡିଗ୍ରି ଓ ଦାରିଂବାଡ଼ିଠାରେ ୧୦ଡିଗ୍ରି ରେକର୍ଡ ହୋଇଛି। ରାତ୍ରି ତାପମାତ୍ରାରେ ଆସନ୍ତା ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଆଜି ସକାଳେ ଭୁବନେଶ୍ବରଠାରେ ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରି ରେକର୍ଡ ହୋଇଥିବା ବେଳେ କଟକରେ ୧୩.୫ଡିଗ୍ରି ରେକର୍ଡ ହୋଇଥିବାର ସୂଚନା ମିଳିଛି ।