
ବାସ୍ତବବ୍ୟୁରୋ: ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ(ଏଫ୍ଏସ୍ଆଇ) ପକ୍ଷରୁ ସୂଚନାନୁଯାଇ, ଆଜି ବି ରାଜ୍ୟର ୬୯୭ଟି ସ୍ଥାନରେ ଜଙ୍ଗଲ ଜଳୁଛି। ବନ କର୍ମଚାରୀଙ୍କ ଉଦ୍ୟମରେ କିଛି ମାତ୍ରାରେ ହ୍ରାସ ପାଇଛି । ହେଲେ ଦକ୍ଷିଣ ଓଡ଼ିଶାରେ ନିଆଁ ଏବେ ବି ବ୍ୟାପିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାର ଜଙ୍ଗଲକୁ ଡେଉଁଛି। ଆଜି ସୁଦ୍ଧା ରାଜ୍ୟର ୨୬ଟି ଜିଲ୍ଲାର ଜଙ୍ଗଲ ଜଳୁଛି |ମୟୂରଭଂଜ ଜିଲ୍ଲା ଅଧୀନ ଶିମିଳିପାଳରେ ଏବେବି ଜଙ୍ଗଲ ଜଳୁଛି । ସରକାରୀ କଳ ଓ ସ୍ବେଚ୍ଛାସେବୀମାନେ ନିଆଁ ଲିଭାଇବା ପାଇଁ ଆପ୍ରାଣ ଚେଷ୍ଟା କରୁଛନ୍ତି।
ହେଲେ ଏମାନଙ୍କ ମଧ୍ୟରେ ଜଣେ ନିଆରା ବନ କର୍ମଚାରୀ ଅଛନ୍ତି, ଯିଏ ଆଜି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ ହେଉଛନ୍ତି, ବାରିପଦା ଦକ୍ଷିଣ ଫରେଷ୍ଟ ଡିଭିଜନ୍ ଅନ୍ତର୍ଗତ ପିଠାବଟା (ଉତ୍ତର) ବନ୍ୟପ୍ରାଣୀ ରେଞ୍ଜର ମହିଳା ବନପାଳ ଶ୍ରୀମତୀ ସ୍ନେହଲତା ଧଳ ଜଙ୍ଗଲ ଭିତରେ ନିଆଁ ଲିଭାଇବାପାଇଁ ପ୍ରତିଦିନ ଚାଲନ୍ତି ୧୦ କିଲୋମିଟର | ଆଜି ତାଙ୍କର ନିଆଁ ଲିଭାଇବାର ଏକ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି |ତାଙ୍କ କହିବାନୁଯାୟୀ ଗତ ୧ ତାରିଖରୁ ସେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏଥିପାଇଁ ସେ ଓ ତାଙ୍କର ୪ ଜଣ ସହଯୋଗୀ ଚାଲିଚାଲି ୧୦ କିଲୋମିଟର ଦୂର ଜଙ୍ଗଲ ଅତିକ୍ରମ କରନ୍ତି । ସ୍ନେହଲତାଙ୍କ ସ୍ୱାମୀ ତାରାକାନ୍ତ ମଧ୍ୟ ଖୁଣ୍ଟାରେ ବନରକ୍ଷୀ ଭାବେ କାର୍ଯ୍ୟ କରୁଛନ୍ତି ।
ଏଫ୍ଏସ୍ଆଇ ତଥ୍ୟ ଅନୁସାରେ ରବିବାର ୯୧୮ଟି ସ୍ଥାନରେ ଜଙ୍ଗଲ ଜଳୁଥିଲା। ହେଲେ ଆଜି ଅପରାହ୍ଣ ସୁଦ୍ଧା ଏହି ସଂଖ୍ୟା କମି ୬୯୭ରେ ପହଂଚିଛି । ବାରିପଦା ସର୍କଲରେ ନିଆଁ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଛି। ଏହି ସର୍କଲରେ ଗତକାଲି ୧୪୦ରୁ ଅଧିକ ସ୍ଥାନରେ ଜଙ୍ଗଲ ଜଳୁଥିବା ଚିହ୍ନଟ ହୋଇଥିଲା। ଯାହାକି ଆଜି ୯୦ ତଳକୁ ଖସିଛି।