ବାସ୍ତବବ୍ୟୁରୋ: ସାରା ଦେଶରେ କରୋନାମହା ମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ନଜରରେ ରଖି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର କରୋନା ସ୍ଥିତିର ସମୀକ୍ଷା ବୈଠକ କରିଛନ୍ତି । ସଚେତନା ଏବଂ ଗାଇଡଲାଇନ୍ ପାଳନ ଉପରେ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସର୍ଭେଲାନ୍ସ ଓ ଟେଷ୍ଟିଂ ବଢାଇବାପାଇଁ ନିର୍ଦେଶ ଦେଇଛନ୍ତି ।
ଏହି ଉଚ୍ଚସ୍ତରୀୟ ବୈଠକରେ ବିଭିନ୍ନ ବିଭାଗର ସଚିବ, ଜିଲ୍ଳାପାଳ, ପୁଲିସ ବିଭାଗର ବରିଷ୍ଠ ଅଧିକାରୀ ଓ ଏସପିମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟ ଶାସନ ସଚିବଙ୍କୁ କରୋନା ସ୍ଥିତିକୁ ନେଇ ନିୟମିତ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | କୋଭିଡ୍ ଗାଇଡଲାଇନକୁ କଡାକଡି ଭାବେ ଲାଗୁ କରିବା ଉପରେ ଅଧିକ ଗୁରୁତ୍ବ ଦେବା ସହିତ, କଣ୍ଟାକ୍ଟ ଟ୍ରେସିଂ ଏବଂ ଟେଷ୍ଟିଂ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ପ୍ରଶସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଏହି ବୈଠକର ନିଷ୍ପତ୍ତି ଅନୁଯାଇ ପ୍ରତେକ ଜିଲ୍ଲାରେ କରୋନା କଟକଣା କଡାକଡି କରାଯିବ । ମୁଖ୍ୟତଃ ହାଟ ବଜାର, ଧର୍ମାନୁଷ୍ଠାନ ଓ ବିବାହ ଉତ୍ସବ ଉପରେ ସରକାରଙ୍କର ଦୃଷ୍ଟି ରହିବ । ନୂଆ ଗାଇଡ଼ ଲାଇନ ଅନୁଯାଇ ବିବାହ ଉତ୍ସବ, ସମାବେଶre ୫୦୦ ପରିବର୍ତେ ୨୦୦ ଲୋକଙ୍କୁ ଓ ଶୁଦ୍ଧିକ୍ରିୟାରେ ୨୦୦ ପରିବର୍ତେ ୫୦ ଜଣଙ୍କୁ ଏକାଠି ହେବାକୁ ଅନୁମତି, ମାସ୍କ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ |
ଆବଶ୍ୟକ ସ୍ଥଳେ ମିନି କଣ୍ଟେନମେଣ୍ଟ ଜୋନ୍ ପାଇଁ ପ୍ରସ୍ତାବ ଦେବାକୁ କୁହାଯାଇଛି। ପୋଲିସ ଯାଞ୍ଚ ଅଧିକ କଡାକଡି କରିବାକୁ କୁହାଯାଇଛି। ସହରାଞ୍ଚଳ ସମ୍ବେଦନଶୀଳ ଅଞ୍ଚଳ ଉପରେ ତୀକ୍ଷ୍ଣ ନଜର ରଖିବାକୁ ନିର୍ଦେଶ ଦିଆଯାଇଛି ।ହୋଲି ପାଇଁ ଏସଆରସିଙ୍କ ଗାଇଡ୍ଲାଇନ୍ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ, ଅଫିସିଆଲ ମିଟିଂ ଭର୍ଚୁଆଲ ମାଧ୍ୟମରେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।