ଆସନ୍ତା ପହିଲାରୁ ରାଜ୍ୟରେ ୧୮ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେବ । ରାଜ୍ୟବାସୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଟିକା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଟିକାକେନ୍ଦ୍ରରେ ଭିଡ଼କୁ ଦୃଷ୍ଟିରେ ରଖି ସରକାର ପ୍ରସ୍ତୁତିକୁ ଅଧିକ ବ୍ୟାପକ କରୁଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୦୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୨୦୧୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୫୦୯୫୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୬୭୧୧୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ବଢୁଥିବା କରୋନା ସଂକ୍ରମଣକୁ ଦେଖି କରଞ୍ଜିଆ ସହରର ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ କରଞ୍ଜିଆ ବ୍ୟବସାୟୀ ସଂଘ ନିଷ୍ପତ୍ତି ନେଇଛି ।
ରାଜ୍ୟର ୧୭ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ଉପରେ । ସେଥିରୁ ୬ ସହର ୪୨ ଡିଗ୍ରୀରୁ ଅଧିକ ତାତିରେ ସିଝିଛି । ବୌଦ୍ଧରେ ସର୍ବାଧିକ ତାପମାତ୍ରା ୪୩ ଡିଗ୍ରୀରେ ପହଞ୍ଚିଛି । ପାଣିପାଗ ପୂର୍ବାନୁମାନ ହେଲା, ଏଭଳି ସ୍ଥିତି ଆହୁରି ଦୁଇଦିନ ରହିବ ।
ରାଜ୍ୟର ସମସ୍ତ ବ୍ୟାଙ୍କ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଆଜିଠୁ ମାତ୍ର ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ବ୍ୟାଙ୍କ । ସଂକ୍ରମଣ କୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟରେ ପରିବର୍ତ୍ତନ କରାଯାଇଛି । ସକାଳ ୧୦ ଟାରୁ ଅପରାହ୍ନ ୨ ଟା ଯାଏଁ ଗ୍ରାହକ ସେବା ଯୋଗାଇବ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କ । ମାତ୍ର ୪ ଘଣ୍ଟାର ଗ୍ରାହକ ସେବା ସହିତ କର୍ମଚାରୀ ମାନଙ୍କ ଅଫିସ୍ ଆସିବା ଉପରେ ମଧ୍ୟ କଟକଣା ଲାଗିଛି ।
ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର ଅର୍ଥାତ୍ ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା ଉପରେ ଲାଗିଛି କରୋନା କଟକଣା । କରୋନା କଟକଣା ମଧ୍ୟରେ କେବଳ ରୀତିନୀତି ବଜାୟ ରଖିବା ପାଇଁ ପୂଜା କରାଯିବ ମାତ୍ର ଭକ୍ତଙ୍କ ସମାବେଶ ହେବ ନାହିଁ । ସ୍ଥିତି ଏଡାଇବାକୁ ଏବଂ ସଂକ୍ରମଣ ଦଅଷ୍ଟିରୁ ଆଜି କାକଟପୁର ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି ।
ସମସ୍ତ ସରକାରୀ ସ୍କୁଲ୍ରେ ଆଜିଠାରୁ ରାଜ୍ୟର ପ୍ରାଥମିକ ଓ ମାଧ୍ୟମିକ ସ୍କୁଲରେ ନାମଲେଖା ଆରମ୍ଭ ହେବାକୁ ଯାଉଛି ଯାହା ଆସନ୍ତା ମେ ୩୧ ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ବ୍ରହ୍ମପୁର ଏମକେସିଜି ମେଡିକାଲରେ ବେଡ଼ ମିଳୁନି । ରୋଗୀଙ୍କୁ ଚଟାଣରେ ବସାଇ ଦେଇ ଅକ୍ସିଜେନ ଲଗାଯାଇଛି ।ଦୀର୍ଘ ସାଢ଼େ ୬ ଘଣ୍ଟା ଚଟାଣ ରେ ବସେଇ ଦିଆଚାଲିଛି ଅକ୍ସିଜେନ ।
ଆଜି ଠାରୁ ଆସନ୍ତା ମେ ୧୫ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ପୂର୍ବରୁ ଶ୍ରୀମନ୍ଦିର ମଧ୍ୟ ସମାନ ଭାବରେ ସଂକ୍ରମଣ ଭୟରେ ଗତ କାଲି ( ସୋମବାର) ଠାରୁ ଭକ୍ତଙ୍କ ପାଇଁ ମନ୍ଦ ରହିଛି ।
ବରିଷ୍ଠ ବିଜେପି ନେତା ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ସୋମବାର ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି । ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିଲେ ସୁଦ୍ଧା ଅଧିକ ଚିକିତ୍ସା ପାଇଁ ସେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
କେନ୍ଦ୍ର ସରକାର ସେରମ୍ ଇନଷ୍ଟିଚ୍ୟୁଟ୍ ଏବଂ ଭାରତ ବୟୋଟେକ୍ ଦୁଇ କରୋନା ଟିକା ଉତ୍ପାଦନ କାରି କମ୍ପାନୀକୁ ଟିକାର ଦାମ୍ କମାଇବା ଲାଗି ପୁନଃ ବିଚାର କରିବାକୁ କହିଛନ୍ତି ।
ଭାରତକୁ ସହାନୁଭୂତି ଦେଖାଇବାକୁ ଯାଇ ସଂଯୁକ୍ତ ଆରବ ଭଳି ଦେଶ ରବିବାର ଏହାର ପ୍ରମୁଖ ଅଟ୍ଟାଳିକାଗୁଡ଼ିକୁ ତ୍ରିରଙ୍ଗା ଆଲୋକରେ ସଜ୍ଜିତ କରିଥିବା ଦେଖାଯାଇଛି । ଏଥିସହିତ ଦୁବାଇ ସ୍ଥିତ ବୁର୍ଜ ଖଲିଫା ଓ ଆବୁ ଧାବି ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଭାରତୀୟ ଜାତୀୟ ପତାକା ରଙ୍ଗରେ ଆଲୋକିତ କରାଯାଇଛି । ଏଥି ସହିତ ‘ଦୃଢ଼ ରୁହ ଭାରତ’ ବୋଲି ଏକ ବାର୍ତ୍ତା ମଧ୍ୟ ଏଥିରେ ପ୍ରଦର୍ଶିତ ହେଉଥିବା ଦେଖାଯାଇଛି । ସେହିପରି ଟ୍ୱିଟରରେ ମଧ୍ୟ ‘ସଂଯୁକ୍ତ ଆରବରେ ଭାରତ’ ପକ୍ଷରୁ ବିଭିନ୍ନ ଉତ୍ସାହପ୍ରଦ ପୋଷ୍ଟ ସେୟାର କରି ଏଭଳି ସଙ୍କଟ ସମୟରେ ଭାରତବାସୀଙ୍କ ମନୋବଳ ଦଅଢ କରିବାର ପ୍ରୟାସ କରାଯାଇଛି ।
କରୋନା ପାଇଁ ଜାରି କଟକଣାକୁ ଉଲ୍ଲଙ୍ଘନ କରିଥିବାରୁ ଥାଇଲ୍ୟାଣ୍ଡ ପ୍ରଧାନମନ୍ତ୍ରୀ ପ୍ରାୟୁଥ ଛାନ ଓକାଙ୍କ ନାଁରେ ଚାଲାଣ କଟାଯାଇଛି । କଟକଣା ଉଲ୍ଲଙ୍ଘନ ପାଇଁ ପ୍ରଧାନମନ୍ତ୍ରୀଙ୍କ ନାଁରେ ୧୯୦ ଡଲାରର ଫାଇନ କଟିଥିବା ବ୍ୟାଙ୍କକ ଗଭର୍ଣ୍ଣର ସୂଚନା ଦେଇଛନ୍ତି ।