ଆଜିଠାରୁ ରାଜ୍ୟରେ ଲକଡାଉନ୍ ଆରମ୍ଭ ହୋଇଛି। ନିର୍ଦ୍ଦିଷ୍ଟ କିଛି ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ୧୯ ତାରିଖ ଯାଏ ସାରା ରାଜ୍ୟ ବନ୍ଦ ରହିବ।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୧୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୧୦୪କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୮୯୬୪୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୭୭୨୫୭ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୪୧୦୨୨୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଓଡ଼ିଶାକୁ ଆନ୍ଧ୍ର ଷ୍ଟ୍ରେନ୍ ଭୟ । ଅନ୍ୟ ଷ୍ଟ୍ରେନଠାରୁ ୧୫ ଗୁଣା ଅଧିକ ସଂକ୍ରମିତ କରୁଛି ଆନ୍ଧ୍ର ଷ୍ଟ୍ରେନ୍ । ଖୁବ ଦ୍ରୁତ ଗତିରେ ଏହା ମଣିଷ ଶରୀରକୁ ଆକ୍ରାନ୍ତ କରୁଛି । ଏମିତିକି ୩-୪ ଦିନ ଭିତରେ ସଂକ୍ରମିତ ରୋଗୀଙ୍କ ଗୁରୁତର କରିଦେଉଛି । ଯାହାକୁ ନେଇ ଆଗୁଆ ସତର୍କ ହୋଇଛି ସୀମାବର୍ତ୍ତୀ ଜିଲ୍ଲା ପ୍ରଶାସନ ।
ଆନ୍ଧ୍ର ଏବଂ ତେଲେଙ୍ଗାନ ସୀମାରେ ଥିବା ଛୋଟ-ବଡ଼ ରାସ୍ତାରେ ପୋଲିସ ମୁତୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ୨ ରାଜ୍ୟରୁ ଓଡ଼ିଶା ଆସୁଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ କରୋନା ସ୍ବାସ୍ଥ୍ୟ କେନ୍ଦ୍ରରେ ୧୪ ଦିନିଆ ଇନଷ୍ଟିଚ୍ୟୁସନାଲ୍ କ୍ବାରେଣ୍ଟାଇନ୍ ବାଧ୍ୟତାମୂଳକ ।
ସପ୍ତାହାନ୍ତ ସଟ୍ଡାଉନ୍ ସମୟରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ରନ୍ଧା ଅବଢ଼ା ବିକ୍ରି ନ ହେବାରୁ ଶନିବାର ପୋତା ହୋଇଥିବା ବେଳେ ରବିବାର ବସ୍ତିବାସିନ୍ଦାଙ୍କୁ ବଣ୍ଟା ହୋଇଛି।
ଲକ୍ଡାଉନ୍ରେ ମଦ ଦୋକାନ ବନ୍ଦ ରହୁଥିବା ବେଳେ ୮୦ କୋଟି ଟଙ୍କାର ମଦ ବୋହି ନେଇଛନ୍ତି ଲୋକ ।
କରୋନା ଟିକା ଅଭାବ ହେତୁ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି ସ୍ଥାନରେ ଟିକାକରଣ ସ୍ଥଗିତ ରଖାଯାଇଛି । ଆଜି ବୌଦ୍ଧ,ବାଲେଶ୍ବର,ବରଗଡ,ଅନୁଗୁଳ,କଟକ, ଦେଓଗଡ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, କେଉଁଝର, କୋରାପୁଟ, ନବରଙ୍ଗପୁର, ରାୟଗଡା, ସମ୍ବଲପୁର ଏବଂ ସୋନପୁରରେ ଟିକା ଦିଆଯିବନାହିଁ ବୋଲି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
ଦିବଙ୍ଗତ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର ରାଜ୍ୟସରକାର ଘୋଷଣା କରିଛନ୍ତି ।
ଲକଡାଉନ ସମୟରେ ମୋ ବସ ସେବା ସାମୟିକ ବନ୍ଦ ରହିବ ବୋଲି କ୍ରୁଟ ପକ୍ଷରୁ ସୂଚନା ମିଳିଛି । ଆଜିଠାରୁ ୧୯ ତାରିଖ ପର୍ଯ୍ୟନ୍ତ ମୋ ବସ୍ ସେବା ବନ୍ଦ ରହିବ ।
କୋଭିଡ୍ ପରୀକ୍ଷା ପାଇଁ ନୂଆ ନିୟମ ଜାରି କଲେ କେନ୍ଦ୍ର ସରକାର । ଦ୍ରୁତ ବେଗରେ ସଂକ୍ରମଣ ତେଜୁଥିବା କାରଣରୁ ଦେଶବ୍ୟାପୀ ଥିବା ୨,୫୦୦ରୁ ଊର୍ଦ୍ଧ୍ବ ଲ୍ୟାବ୍ ପ୍ରବଳ ଚାପରେ କାମ କରୁଛନ୍ତି। ରାଜ୍ୟମାନଙ୍କ ପ୍ରତି ଜାରି ଏକ ସର୍କ୍ୟୁଲାର୍ରେ କେନ୍ଦ୍ର ସରକାର କହିଛନ୍ତି ଯେ, ଲ୍ୟାବ୍ମାନଙ୍କ ଉପରୁ ଚାପ ହ୍ରାସ କରିବା ନିମନ୍ତେ ଆନ୍ତରାଜ୍ୟ ଘରୋଇ ଯାତ୍ରାରେ ଗମନାଗମନ କରୁଥିବା ସୁସ୍ଥ ବ୍ୟକ୍ତି ବିଶେଷଙ୍କ ପାଇଁ ଥିବା ‘ଆର୍ଟି-ପିସିଆର୍’ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଉଠାଇ ଦିଆଯାଉ। ସେହିଭଳି, ସୁସ୍ଥ ହେବା ପରେ ହସ୍ପିଟାଲ୍ରୁ ବିଦାୟ ନେଇ ଆସୁଥିବା କୋଭିଡ୍ ରୋଗୀମାଙ୍କର ମଧ୍ୟ ପୁନର୍ବାର ‘ଆର୍ଟି-ପିସିଆର୍’ କରା ନ ଯାଉ ।
ଗତକାଲି ଅନୁଷ୍ଠିତ ଭର୍ଚ୍ୟୁଆଲ୍ ଶିଖର ବୈଠକରେ ବିଜୟ ମାଲ୍ୟା ଓ ନିରବ ମୋଦୀଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ପ୍ରସଙ୍ଗରେ ମଙ୍ଗଳବାର ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଂଲଣ୍ଡ୍ର ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ ଆଲୋଚନା କରିଛନ୍ତି ।
ଆହ୍ଲାବାଦ ହାଇକୋର୍ଟ : ହସ୍ପିଟାଲରେ ଅକ୍ସିଜେନ ଯୋଗାଣ ନ ହେବାରୁ କୋଭିଡ ରୋଗୀଙ୍କ ମୃତ୍ୟୁକୁ ଅପରାଧିକ ଦର୍ଶାଇ ନରସଂହାର ବୋଲି କହିଛନ୍ତି । କୋର୍ଟ କହିଛନ୍ତି ଯେ, ନରସଂହାର ପାଇଁ ସେହିମାନେ ଦାୟୀ, ଯେଉଁମାନଙ୍କ ହାତରେ ଅକ୍ସିଜେନ ଯୋଗାଇବା ପାଇଁ ଦାୟିତ୍ୱ ରହିଛି । ଅକ୍ସିଜେନ ଅଭାବରୁ ଲକ୍ଷ୍ନୌ ଏବଂ ମେରଠ ଜିଲ୍ଲାରେ କୋଭିଡ ରୋଗୀଙ୍କ ଜୀବନ ଯାଇଛି ।
ଦିଲ୍ଲୀର ବିକାଶପୁରୀରେ ଥିବା ୟୁକେ ନର୍ସିଂହୋମରେ ଅଗ୍ନିକାଣ୍ଡ ଘଟିଛି । ୭ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନର୍ସିଂହୋମର ପ୍ରଥମ ମହଲାରେ ଥିବା ଷ୍ଟୋର ରୁମରେ ନିଆଁ ଲାଗିଯାଇଥିବା ଜଣାପଡିଛି । ନର୍ସିଂହୋମରେ ଥିବା ରୋଗୀଙ୍କୁ ଦିଲ୍ଲୀ ପୋଲିସ ଏବଂ ଡାକ୍ତରଖାନା କର୍ମଚାରୀମାନେ ଅନ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି ।
ଉତ୍ତର ପ୍ରଦେଶର ଗାଜିଆବାଦର ଏକ ସୋସାଇଟିରେ ୩୦୦ ପରିବାର କରୋନା ସଂକ୍ରମିତ ହୋଇଛନ୍ତି । ସହାୟତ ପାଇଁ ସୋସାଇଟି ପକ୍ଷରୁ ଉତ୍ତର ପ୍ରଦେଶ ସରକାରଙ୍କୁ ପତ୍ର ଲେଖାଯାଇଛି ।
ମେଘାଳୟର ପଶ୍ଚିମ ଖାସି ଜିଲ୍ଲା ନିକଟରେ ଏକ ଅଂଚଳରୁ ପାଖାପାଖି ୧୦ କୋଟି ବର୍ଷ ପୂର୍ବରୁ ସରୋପୋର୍ଡ ଡାଇନୋସରର ଅସ୍ଥିର ଜୀବାଶ୍ମ ମିଳିଛି ।
ଆଜି ପୂର୍ବାହ୍ନ ୧୦ଟା ୪୫ରେ ରାଜଭବନରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ ମମତା ବାନାର୍ଜୀ ।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୫ କୋଟି ୪୯ ଲକ୍ଷ ୫୮ ହଜାର ୨୪୭ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୨ ଲକ୍ଷ ୪୦ ହଜାର ୧୫୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି। ୧୩ କୋଟି ୩୧ ଲକ୍ଷ ୬୨ ହଜାର ୫୪୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୮୫ ଲକ୍ଷ ୫୫ ହଜାର ୫୫୭ ଜଣ ଲୋକ ସକ୍ରିୟ ଅଛନ୍ତି ।
ଭାରତରେ କରୋନାର ପ୍ରକୋପକୁ ଦୃଷ୍ଟିରେ ରଖି ସଂଯୁକ୍ତ ଆରବ ଇମିରାତ ଟ୍ରାଭେଲ କଟକଣାକୁ ଅନିଶ୍ଚିତକାଳ ପାଇଁ ବଢ଼ାଇ ଦେଇଛି ।
ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ସ୍ଥଗିତ ହେବା ପରେ ଚିନ୍ତାରେ ଅଷ୍ଟ୍ରେଲିଆର ଖେଳାଳିମାନେ । ଅଷ୍ଟ୍ରେଲିଆ ସରକାର ଭାରତରୁ ଆସିବାକୁ ଥିବା ଯାତ୍ରୀଙ୍କୁ ପୂରାପୁରି କଟକଣା ଲଗାଇ ଦେଇଛନ୍ତି । ତେଣୁ କଂଗାରୁ ଦେଶର ଖେଳାଳିମାନଙ୍କର ଚିନ୍ତା ଯେ, ଘରକୁ ଫେରିବେ କେମିତି । କିନ୍ତୁ ଏସବୁ ମଧ୍ୟରେ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି ଯେ, ଖେଳାଳିମାନେ ମାଳଦୀପ ରାସ୍ତାରେ ସ୍ୱଦେଶ ପହଂଚି ପାରିବେ । ଏଥିରେ କ୍ରିକେଟରଙ୍କ ବ୍ୟତୀତ ଅନ୍ୟ ସହଯୋଗୀ କର୍ମଚାରୀ ମଧ୍ୟ ସାମିଲ ହୋଇପାରିବେ ।