ଆଜିର ଖାସ୍ ଖବର…

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୪୯୮ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୦୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୫୫୮୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୬୮୧୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫୪୬୬୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 

ଆସୁଛି ବାତ୍ୟା ୟଶ୍ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟଶ୍’ ଓଡ଼ିଶାରେ ପ୍ରଭାବ ପକାଇବା ସମ୍ଭାବନା ଅଛି । ବିଶେଷ କରି ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ । ଆସନ୍ତା ୨୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ । ୭୨ ଘଣ୍ଟା ଭିତରେ (୨୫ ତାରିଖବେଳକୁ) ଏହା ଘନୀଭୂତ ହୋଇ ବାତ୍ୟା ରୂପ ନେବ । ଉତ୍ତର ପଶ୍ଚିମ ଦିଗରେ ଗତି କରି ୨୬ ତାରିଖ ସନ୍ଧ୍ୟାରେ ଓଡ଼ିଶା-ପଶ୍ଚିମ ବଙ୍ଗ ଉପକୂଳ ପାଖରେ ପହଞ୍ଚିବ । ତେବେ ଆସନ୍ତା ୨୨ ତାରିଖବେଳକୁ ଏ ବାବଦରେ ଅଧିକ ତଥା ସ୍ପଷ୍ଟ ଆକଳନ କରିହେବ ।

ଆଜି (ଗୁରୁବାର) ପୂର୍ବାହ୍ନ ସାଢ଼େ ୧୧ରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଇସ୍ପାତ ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ୍ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲରେ ୧୦୦ଟି ଭେଣ୍ଟିଲେଟର ସହ ଆଇସିୟୁ ବେଡର ଭର୍ଚୁଆଲ ମୋଡରେ ଲୋକାର୍ପଣ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କରୋନା ମହାମାରୀ ସମୟରେ ରୋଗୀଙ୍କ ସ୍ୱାସ୍ଥ୍ୟର ସଠିକ୍ ପରିଚାଳନା ପାଇଁ ବିଏମ୍‌ସି ପକ୍ଷରୁ ନିଜ ଘରେ ସଙ୍ଗରୋଧ ଥିବା ରୋଗୀଙ୍କ ଉପରେ ନଜର ରଖିବା ପାଇଁ ବର୍ଗୀକରଣ କରାଯାଇଛି । ମହାନଗର ନିଗମର ୩ ଜୋନ୍ ମାଧ୍ୟମରେ ସେବା ଯୋଗାଣକୁ ତ୍ୱରାନ୍ବିତ କରାଯାଉଥିବାବେଳେ ଜୋନ୍‌ର ଜୋନାଲ୍ ଡେପୁଟି କମିଶନରଙ୍କଠାରୁ ଗୃହ ସଙ୍ଗରୋଧରେ ଥିବା ରୋଗୀଙ୍କ ସୂଚନା ପାଇବା ପରେ ରେଡ୍ ଫ୍ଲାଗ୍ ତାଲିକା ପ୍ରସ୍ତୁତ କରାଯାଉଛି

ଓଡିଶା ମାନବ ଅଧିକାର ଆୟୋଗ (ଓଏଚଆରସି) କଟକ ଜିଲ୍ଲାପାଳ ଓ ମହାନଗର ନିଗମ (ସିଏମସି) କୁ ରାସ୍ତା ବିସ୍ତାର ହେତୁ ପ୍ରଭାବିତ ହୋଇଥିବା ନୂଆପଡା ଅଞ୍ଚଳ ନିକଟସ୍ଥ ବାଲିସାହି ବସ୍ତିର ଲୋକଙ୍କୁ ପୁନଃ ଥଇଥାନ ଏବଂ ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛି ।

ଆସନ୍ତା ମେ ୨୪ ତାରିଖରୁ ୩ ମାସ ପର୍ଯ୍ୟନ୍ତ ଘରକୁ ଘର କରୋନା ସର୍ଭେ ପାଇଁ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରାଯାଇଛି। ଏହି କୋଭିଡ୍ ପରିଚାଳନା ପାଇଁ ଆଶାକର୍ମୀମାନଙ୍କୁ ଗୁରୁଦାୟିତ୍ବ ଦିଆଯିବ । ଏହି କାର୍ଯ୍ୟ ପାଇଁ ଆଶାକର୍ମୀମାନଙ୍କୁ ୧୦ ହଜାର ଟଙ୍କା ମିଳିବ ବୋଲି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା କରିଛନ୍ତି । ଏକକାଳୀନ ଏହି ଅର୍ଥ କାର୍ଯ୍ୟରତ ଆଶାକର୍ମୀଙ୍କୁ ପ୍ରଦାନ କରାଯିବ ।

 ସୂତ୍ର ମଡେଲକୁ ଉପଯୋଗ କରି ବୈଜ୍ଞାନିକମାନେ ଭବିଷ୍ୟତବାଣୀ କରିଛନ୍ତି ଯେ,ଭାରତରେ କରୋନାର ଦ୍ୱିତୀୟ ଲହର ଜୁଲାଇ ମାସରେ କମିଯିବ । କିନ୍ତୁ ୬ରୁ ୮ ମାସ ପରେ ଆସିବ ତୃତୀୟ ଲହର । ଭାରତ ସରକାରଙ୍କ ବିଜ୍ଞାନ ମନ୍ତ୍ରାଳୟର ତିନି ବୈଜ୍ଞାନିକଙ୍କୁ ନେଇ ଗଠିତ ଏକ କମିଟି ଏହି ଅନୁମାନ କରିଛି । ଏହାସହ ଭାରତ ସରକାରଙ୍କୁ ମଧ୍ୟ ସତର୍କ କରାଇଛି ।

ରାଜସ୍ଥାନ କଂଗ୍ରେସ ସମ୍ପାଦକ ଯଶବନ୍ତ ଗୁରଜର ଜୟପୁରର ବାଜାଜ ନଗର ପୁଲିସ୍‌ ଷ୍ଟେସନରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ଓ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିରୋଧରେ ଏଫଆଇଆର ଦେଇଛନ୍ତି । ବିଜେପି ମିଛି ଓ ଛଳନାର ରାଜନୀତି କରୁଥିବା କଂଗ୍ରେସ ଅଭିଯୋଗ କରିଛି। ନିକଟରେ ବିଜେପି ପକ୍ଷରୁ ଗୋଟିଏ ଟୁଲକିଟ୍‌ ଜାରି କରାଯାଇଥିଲା। ଏହି ଟୁଲକିଟ୍‌କୁ କଂଗ୍ରେସ ମହାମାରୀ ସମୟରେ ପ୍ରସ୍ତୁତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସରକାରଙ୍କ ଛବିକୁ ଖରାପ କରିବାକୁ ଚାହୁଁଥିବା ଦଳ ଦାବି କରିଥିଲା । ତେବେ କଂଗ୍ରେସ ଏହାକୁ ମିଛ ଓ ଦଳ ପକ୍ଷରୁ ସେମିତି କୌଣସି ଟୁଲକିଟ୍‌ ପ୍ରସ୍ତୁତ କରାଯାଇନଥିବା କୁହାଯାଇଛି।

 ଝାଡ଼ଖଣ୍ଡରେ ରାଂଚୀର ଗ୍ରାମାଂଚଳରେ ମଣ୍ଡା ପୂଜାର ଆୟୋଜନ କରାଯାଇଥିଲା । ଏହି ପୂଜା ୧୫ ଦିନ ପର୍ଯ୍ୟନ୍ତ ଚାଲିଥାଏ। ମାତ୍ର କରୋନା ସଂକ୍ରମଣ ଯୋଗୁଁ ଚଳିତ ଥର ଗୋଟିଏ ଦିନରେ ଶେଷ କରି ଦିଆଯାଇଛି । କିନ୍ତୁ ଏହି ସମୟ ମଧ୍ୟରେ ପୁରୁଣା ପରଂପରା ଅନୁସାରେ ଏକାଧିକ ଶ୍ରଦ୍ଧାଳୁ ଜଳନ୍ତା ଅଙ୍ଗାର ଉପରେ ଚାଲୁଥିବା ନଜର ଆସିଥିଲା । ଲୋକେ ଈଶ୍ୱରଙ୍କୁ ପ୍ରାର୍ଥନା କରିଥିଲେ କରୋନା ମହାମାରୀ ଶୀଘ୍ର ଶେଷ ହୋଇଯାଉ । 

ସିଙ୍ଗାପୁରରେ ଠାବ ହୋଇଥିବା ନୂଆ ଷ୍ଟ୍ରେନ ଭାରତରେ ତୃତୀୟ ଲହରର କାରଣ ପାଲଟିପାରେ । ଯାହା ପିଲାଙ୍କୁ ଅଧିକ ପ୍ରଭାବିତ କରିବ । ଏଭଳି ଭୁଲ ସୂଚନା ପ୍ରଦାନ କରିଥିବାରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ସିଙ୍ଗାପୁର ସରକାର ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆଣ୍ଟି ମିସ୍ ଇନଫରମେସନ୍ ଆଇନ ଅର୍ଥାତ ପ୍ରୋଟେକ୍ସନ ଫ୍ରମ୍ ଅନଲାଇନ୍ ଫଲ୍ସହୁଡ୍ ଓ ମାନିପୁଲେସନ୍ ଆଇନ ଲାଗୁ କରିଛନ୍ତି । ଏହି ନିୟମ ଅନଲାଇନରେ ପ୍ରସାର କରାଯାଉଥିବା ମିଛକୁ ନେଇ ଲାଗିଥାଏ ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୬ କୋଟି ୫୫ ଲକ୍ଷ ୩୫ ହଜାର ୧୨୮ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୪ ଲକ୍ଷ ୩୦ ହଜାର ୯୮୮ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୪ କୋଟି ୫୭ ଲକ୍ଷ ୮୮ ହଜାର ୫୧୬ ଜଣ ସୁସ୍ଥ ହୋଇଥିବା ବେଳେ ୧ ​​କୋଟି ୬୩ ଲକ୍ଷ ୧୫ ହଜାର ୬୨୪ଜଣ ଲୋକ ସକ୍ରିୟ ଅଛନ୍ତି

 ପାକିସ୍ତାନୀ ସାଂସଦ ମୌଲାନା ଚିତ୍ରାଳୀ ବିବାଦୀୟ ମନ୍ତବ୍ୟ : ଇସ୍ରାଏଲ ବିପକ୍ଷରେ ଜିହାଦୀ ହିଁ ଏକମାତ୍ର ଉପାୟ । ଏହାସହ ପାଲେଷ୍ଟାଇନ୍ ଓ କାଶ୍ମୀରର ସ୍ୱାଧିନତା ପାଇଁ ପରମାଣୁ ବୋମା ଓ ମିସାଇଲର ବ୍ୟବହାର ସରକାର କରନ୍ତୁ ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ସିଏମ ଗେହଲୋଟ୍ ଶୋକ ବ୍ୟକ୍ତ କରିଛନ୍ତି...

Thu May 20 , 2021
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତ ହୋଇଛି। ଏଥି ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଏମ ଅଶୋକ ଗେହଲୋଟ ତାଙ୍କ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି। ବାସ୍ତବବ୍ୟୁରୋ:ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ୍ନାଥ ପାହାଡିଆଙ୍କ ଦେହାନ୍ତ ହୋଇଛି। ଏହି ଦୁଖଦଃ ଖବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସିଏମ ଅଶୋକ ଗେହଲୋଟ ଶୋକ ବ୍ୟକ୍ତ କରିଛନ୍ତି। ତାଙ୍କର ଦୀର୍ଘ ରାଜନୈତିକ ଏବଂ ପ୍ରଶାସନିକ କ୍ୟାରିୟରରେ ସାମାଜିକ ସଶକ୍ତିକରଣ […]

You May Like

Pin It on Pinterest