ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୧୦୮ ଜଣ କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୪୫୬କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୭୯୫୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୬୩୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୫୬୭୩୮୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଜୟପୁର- କୋରାପୁଟ ଘାଟି ୨୬ ନମ୍ବର ଜାତୀୟ ରାଜପଥରେ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଏହା ସିମେଣ୍ଟ ବୋଝେଇ ଟ୍ରକକୁ ପଛପଟୁ ଧକ୍କା ଦେଇ ଓଲଟି ପଡିଛି। ଉଭୟ ଟ୍ରକ୍ର ଡ୍ରାଇଭର ଓ ହେଲପର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟଶ୍’ ଅତି ଭୀଷଣ (ଭେରି ସିଭିୟର୍ ସାଇକ୍ଲୋନିକ୍ ଷ୍ଟର୍ମ) ରୂପ ନେବ । ୧୬୦ କିଲୋମିଟର ପବନ ବହିବା ସହ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗ ଆକଳନ କହୁଛି, ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ୨୬ ତାରିଖରେ ମାଡ଼ ହୋଇପାରେ ।
ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଥଣ୍ଡା ପାଗ ଜାରି ରହିବ। ୩ ଦିନ ପରେ ସାମ୍ଭାବ୍ୟ ବାତ୍ୟା ଯୋଗୁଁ ହେବାକୁ ଥିବା ପ୍ରବଳ ବର୍ଷା ପାଇଁ ତାପମାତ୍ରା ପ୍ରାୟ ୪ ଡିଗ୍ରି ପର୍ଯ୍ୟନ୍ତ କମିବ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।
ସମ୍ଭାବ୍ୟ ବାତ୍ୟା ‘ୟଶ’କୁ ଦୃଷ୍ଟିରେ ରଖି ଆଜି (ଶନିବାର) ସମୀକ୍ଷା ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ବାତ୍ୟା ମୁକାବିଲା ନେଇ ମଧ୍ୟ ଆଲୋଚନା କରିବେ । ଏହି ବୈଠକରେ ୧୪ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିବେ । ସେହିପରି ମୁଖ୍ୟ ଶାସନ ସଚିବଙ୍କ ସହ ଏସଆରସି ଓ ଅନ୍ୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ରହିବେ ।
କୋଭିଡ୍ ପରିସ୍ଥିତି ଓ ସମ୍ଭାବ୍ୟ ବାତ୍ୟାକୁ ନଜର ରଖି ମାଟ୍ରିକ୍ ମାର୍କ ଅପ୍ଲୋଡ୍ ତାରିଖ ଘୁଞ୍ଚିଲା । ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) କର୍ତ୍ତୃପକ୍ଷ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ମାର୍କ ଅପ୍ଲୋଡ ପାଇଁ ପୂର୍ବ ନିର୍ଦ୍ଧାରିତ ମେ ୨୪ରୁ ୩୧ ତାରିଖ ପରିବର୍ତ୍ତେ ମେ ୨୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୭ ତାରିଖ ପର୍ଯ୍ୟନ୍ତ ଚାଲିବ। ସେହିପରି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ମେଣ୍ଟର ସ୍କୁଲ ପକ୍ଷରୁ ଦାଖଲ ହୋଇଥିବା ସ୍କୁଲ ମାର୍କ ରେଜିଷ୍ଟର ଓ ବୋର୍ଡ ପ୍ରଦତ୍ତ ଟାବୁଲେସନ୍ ରେଜିଷ୍ଟର ଯାଞ୍ଚ କାର୍ଯ୍ୟ ମେ ୨୮ତାରିଖ ମଧ୍ୟରେ ଶେଷ କରିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଆଜି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି । ସେଥିଲାଗି ଉକ୍ତ ୧୧ ଜିଲ୍ଲା ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଭାରତରେ କରୋନା ଟିକା ସ୍ପୁଟନିକ୍ ଭି ଉତ୍ପାଦନ ଚଳିତ ବର୍ଷ ଅଗଷ୍ଟରେ ଆରମ୍ଭ ହେବ । ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଭାରତରେ ୮୫୦ ନିୟୁତ ଡୋଜ ସ୍ପୁଟନିକ ଭି ଟିକା ଉତ୍ପାଦନ ହେବ : ଋଷର ଭାରତୀୟ ଦୂତ ଡି.ବି ଭେଙ୍କଟେଶ ଭର୍ମା ।
ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇ ଡିଏଲଏଫ ଲାଞ୍ଚ କାରବାର ମାମଲାରେ କ୍ଲିନଚିଟ୍ ଦେଇଛନ୍ତି । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରାୟ ୩ ବର୍ଷ ଜେଲରେ ରହିବା ପରେ ଏପ୍ରିଲ ମାସରେ ଜାମିନ ପାଇଥିଲେ।
ପାକିସ୍ତାନରେ ଅବସ୍ଥିତ ଖାଇବର ପଖ୍ତୁନଖ୍ୱା ସରକାର ବଲିଉଡର ମହାନ ଅଭିନେତା ରାଜ କପୁର ଏବଂ ଦିଲୀପ କୁମାରଙ୍କ ପେଶୱାରରେ ଥିବା ପୈତୃକ ବଙ୍ଗଳାକୁ କିଣି ଏହାକୁ ସଂଗ୍ରହାଳୟରେ ପରିଣତ କରିବା ପାଇଁ ୨.୩୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ଏହି ପରିମାଣ ପ୍ରତ୍ନତତ୍ତ୍ୱ ବିଭାଗ ପେଶୱାରର ଡେପୁଟି କମିଶନରଙ୍କୁ ହସ୍ତାନ୍ତର କରିଛି। ବଙ୍ଗଳାର ଉଭୟ ମାଲିକମାନଙ୍କୁ କ୍ରୟ ପାଇଁ ଅନ୍ତିମ ନୋଟିସ୍ ପ୍ରକାଶ କରିବା ପରେ ଏହି ପଦକ୍ଷେପ ନିଆଯାଇଛି ।
ଭାରତ ଓ ପାକିସ୍ତାନରୁ ଆସୁଥିବା ଯାତ୍ରୀବାହୀ ବିମାନଗୁଡ଼ିକ ଉପରେ କାନଡା ସରକାର ଜାରି କରିଥିବା ନିଷେଧାଜ୍ଞାକୁ ପୁଣି ଜୁନ୍ ୨୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।
ନେପାଳର ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ସଂସଦ ଭଙ୍ଗ କରି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଘୋଷଣା କରିଛନ୍ତି । ନେପାଳରେ ୧୨ ଏବଂ ୧୯ ନଭେମ୍ବରରେ ହେବ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ । ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଉଭୟ ନେପାଳ କଂଗ୍ରେସ ସଭାପତି ଶେର ବାହାଦୂର ଦେଉବା ଓ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ସରକାର ଗଠନ ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।
ଗତକାଲି ବିଳମ୍ୱିତ ରାତିରେ, ଚାଇନାର କିନଘାଇରେ ୭.୧ ତୀବ୍ରତାରେ ଭୂକମ୍ପ ଅନୁଭୂତ ହୋଇଛି । ଏହାପୂର୍ବରୁ ଚୀନ୍ର ଡାଲି ସହରର ୨୮ କିଲୋମିଟର ଉତ୍ତର-ପୂର୍ବରେ ଶୁକ୍ରବାର ସନ୍ଧ୍ୟାରେରେ କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂକମ୍ପ ୬.୧ ଥିଲା । କୌଣସି ଧନଜୀବନ କ୍ଷୟକ୍ଷତି ହୋଇନଥିବା ଖବର ନାହିଁ ।