
ଭୁବନେଶ୍ୱର (ମନୋଜ ମହାନ୍ତି): ଆଉ ନାହାନ୍ତି ଓଲିଉଡ୍ର କାକା ଓରଫ ବରିଷ୍ଠ ସିନେ ଅଭିନେତା ମିହିର ଦାସ।ଓଡ଼ିଶାର ପୁରପଲ୍ଲୀରେ ଲୋକପ୍ରିୟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ଅଭିନେତା ମିହିର ଦାସଙ୍କ ଆଜି ପରଲୋକ ହୋଇଛି। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ତାଙ୍କ ପରଲୋକରେ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି ।
ମିହିର ଦାସ ୧୯୫୯ ମସିହା ଫେବୃଆରୀ ୧୧ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ଜନ୍ମଗ୍ରହଣ କରିଥିଲେ। ମିହିର କଳାତ୍ମକ ସିନେମାରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସିନେମାଟି ଥିଲା ‘ସ୍କୁଲ୍ ମାଷ୍ଟର’। ମିହିର ଦାସ ୧୯୭୯ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ମିହିର ଦାସଙ୍କ ପ୍ରଥମ ବ୍ୟବସାୟିକ ଫିଲ୍ମ ‘ମଥୁରା ବିଜୟ’ ଯାହାକି ୧୯୭୯ ମସିହାରେ ରିଲିଜ ହୋଇଥିଲା। ସେ ପ୍ରାୟ ୧୫୦ଟିରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ ‘ଲକ୍ଷ୍ମୀ ପ୍ରତିମା’, ‘ପୁଅ ମୋର ଭୋଳା ଶଙ୍କର’,‘ଟାର୍ଗେଟ୍’, ‘ଗୁଣ୍ଡା’, ‘ମାଇଁ ଲଭ୍ ଷ୍ଟୋରୀ’, ‘ପହିଲି ରାଜା’, ‘ଚୋରି ଚାରି ମନ ଚୋରି’, ‘ବାଜି’, ‘ଧଉଳି ଏକ୍ସପ୍ରେସ୍’ ଅନ୍ୟତମ ।
ଅଭିନୟ ପାଇଁ ଏକାଧିକ ପୁରସ୍କାର ପାଇଛନ୍ତି ସେ । ୧୯୯୯ରେ ‘ବିଧାତା’ ଓ ୨୦୦୫ରେ ‘ଫେରିଆ ମୋ’ ସୁନା ଭଉଣୀ’ ଚଳଚ୍ଚିତ୍ର ପାଇଁ ତାଙ୍କୁ ଶ୍ରେଷ୍ଠ କଳାକାର ସମ୍ମାନ ମିଳିଥିଲା ।ଅଭିନୟରେ ସମସ୍ତଙ୍କୁ ହସାଇ, ରସାଇ ଆଜି ଜୀବନ ଅଭିନୟରେ ସେ ହାରି ଯାଇଛନ୍ତି । ବାସ୍ତବ ଟିଭି ପରିବାର ସେହି ମହାନ ଆତ୍ମାର ଅମରତ୍ୱ କାମନା କରୁଛି ।



