
ବାସ୍ତବବ୍ୟୁରୋ(ଭୁବନେଶ୍ବର):ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର ଖୁବ ଜୋରରେ ବ୍ୟାପି ଚାଲିଛି । ଓଡିଶାରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢୁଛି । ତେଣୁ ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ବର୍ଣ୍ଣନା କରି ସତର୍କ ରହିବା ପାଇଁ ଉଭୟ ଜନସାଧାରଣ ଓ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।ଏହି ପରିପ୍ରେକ୍ଷୀରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ତୃତୀୟ ଲହରରେ ବର୍ତ୍ତମାନ ସୁଦ୍ଧା ବହୁତ କମ୍ ଲୋକ ହସ୍ପିଟାଲରେ ରହିଛି, ତଥାପି ଆମକୁ ଭବିଷ୍ୟତ ପାଇଁ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟରେ ଟିକାକରଣ କାର୍ଯ୍ୟକ୍ରମ ସନ୍ତୋଷଜନକ ରହିଥିଲେ ମଧ୍ୟ ଆଦୌ ଟିକା ନେଇ ନ ଥିବା ତଥା ଦ୍ବିତୀୟ ଡୋଜ ନେଇ ନ ଥିବା ଲୋକମାନଙ୍କର ଟିକାକରଣକୁ ଜୋରଦାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହିସହିତ ବରିଷ୍ଠ ନାଗରିକ ତଥା ସମୂଖ ଯୋଦ୍ଧା ମାନଙ୍କର ଟିକାକରଣ ଖୁବ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥଲେ ।
ପୂର୍ବ ଥର ଭଳି ଏଥର ମଧ୍ୟ ସଚେତନତା କାର୍ଯ୍ୟକ୍ରମ ବ୍ୟାପକ କରାଯିବା ଏବଂ ଏଥିରେ ମିଶନ ଶକ୍ତି ଗ୍ରୁପ ମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିପରି କୋଭିଡ ନିୟମର କଡାକଡି ଅନୁପାଳନ ପ୍ରତି ସ୍ବତନ୍ତ୍ର ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଯେହେତୁ ବର୍ତ୍ତମାନର ଲହରରେ ସଂକ୍ରମିତ ଅଧିକାଂଶ ବ୍ୟକ୍ତି ନିଜ ଘରେ ପୃଥକୀକରଣ ରହିଛନ୍ତି, ତେଣୁ ଆମକୁ ତଦାରଖ ବ୍ୟବସ୍ଥାକୁ ସୁଦୃଢ କରିବାକୁ ପଡିବ ଏବଂ ଏଥିପାଇଁ ରାପିଡ଼ ରେସ୍ପନ୍ସ ଟିମ୍ ଓ କ୍ଷେତ୍ରସ୍ତରୀୟ କର୍ମଚାରୀମାନେ ନିଜ ଘରେ ପୃଥକୀକରଣରେ ଥିବା ରୋଗୀ ମାନଙ୍କୁ ନିୟମିତ ଯୋଗାଯୋଗରେ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।



