
ପରମାନନ୍ଦ କହଁର (ଫୁଲବାଣୀ):ଫୁଲବାଣୀ ଜିଲ୍ଲା ସବୁ ଜିଲ୍ଲା ଠାରୁ ଟିକେ ନିଆରା । ଏହି କ୍ରମରେ ଫୁଲବାଣୀ ଜିଲ୍ଲାର ଶୀତ ବି ନିଆରା । ଏବର୍ଷ ମଧ୍ୟ ଫୁଲବାଣୀରେ ମଧ୍ୟ ହାଡଭଙ୍ଗା ଶୀତ ପଡିବା ଆରମ୍ଭ ହୋଇଛି । ଜିଲ୍ଲାର ସଦର ମହକୁମା ଫୁଲବାଣୀ ସହିତ ଦାରିଙ୍ଗବାଡି, ବାଲିଗୁଡା, ଖଜୁରିପଡା, ଜି ଉଦୟଗିରି ଓ ଅନ୍ୟାନ୍ୟ ସହରରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

ପ୍ରତି ବର୍ଷ ତୁଳନାରେ ଚଳିତ ବର୍ଷ ତାପମାତ୍ରା ସାମାନ୍ୟ ତାପମାତ୍ରା ଠାରୁ ୨ରୁ ୩ ଡିଗ୍ରୀ କମ ରହୁଛି । ଗତକାଲି ସଦର ମହକୁମା ଫୁଲବାଣୀ ସହିତ ୫ଟି ସ୍ଥାନରେ ତାପମାତ୍ରା ୧୦ଡିଗ୍ରୀ ତଳେ ରହିଛି । ଏ ବର୍ଷ କିନ୍ତୁ ଓଡିଶା ର କାଶ୍ମୀର କୁହାଯାଉଥିବା ଦାରିଙ୍ଗିବାଡି କୁ ପଛରେ ପକାଇ ଜି ଉଦୟଗିରି ରେ ସର୍ବ ନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି । ଗତ କାଲି ଫୁଲବାଣୀର ତାପମାତ୍ରା ୧୦.୪ ଡିଗ୍ରୀ ଥିବାବେଳେ ଦାରିଙ୍ଗିବାଡି ରେ ୭.୬, ବାଲିଗୁଡା ରେ ୮.୯, ଖଜୁରିପଡା ରେ ୮.୭ ଓ ଜି ଉଦୟଗିରି ରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି ।

ଏହି ସବୁ ଅଞ୍ଚଳରେ ଲୋକ ମାନେ ରାତି ତମାମ ନିଆଁ ଜଳାଇ ଶୀତ ପ୍ରକୋପରୁ ରକ୍ଷା ପାଇବାର ଚେଷ୍ଟା କରୁଛନ୍ତି । ସ୍ଥାନୀୟ ବାସିନ୍ଦା ଙ୍କ କହିବା ଅନୁଯାୟୀ ଏ ବର୍ଷ ଶୀତ ପୂର୍ବ ବର୍ଷ ମାନଙ୍କର ରେକର୍ଡ ଭାଙ୍ଗିବ ।ରାତିରେ ଏବେଠାରୁ ଗଛ ପତ୍ରରେ ପତଳା ବରଫ ଆସ୍ତରଣ ଦେଖିବାକୁ ମିଳୁଛି ।