
ଢେଙ୍କାନାଳ(ନି.ପ୍ର):ଢେଙ୍କାନାଳ ଜିଲ୍ଲା ମହାବିରରୋଡ ରେଞ୍ଜ ଅଞ୍ଚଳରେ ଗୋଠଛଡା ଦନ୍ତାର ଉତ୍ପାତ ଦିନକୁ ଦିନ ବଢ଼ି ଚାଲିଛି । ପ୍ରତି ଗାଁ ରେ ପଶି ଘର ଭାଙ୍ଗିବା ,ଲୋକଙ୍କୁ ଆକ୍ରମଣ କରିବା ଦେଖିବାକୁ ମିଳିଛି।
ଏହି ଅଞ୍ଚଳରେ କିଛି ଦିନ ହେଲା ହାତୀ ଉପଦ୍ରବ କମି ଥିବା ବେଳେ ଲୋକ ମାନେ ବିଭିନ୍ନ ସ୍ଥାନକୁ ନିର୍ଭୟରେ ଯାତାୟାତ କରୁଥଲେ । ବର୍ତ୍ତମାନ ପୁନର୍ବାର ଏହି ଅଞ୍ଚଳରେ ଏକ ଗୋଠଛଡା ହାତୀ ଉପଦ୍ରବ କରୁଥିବାରୁ ସନ୍ଧ୍ୟା ହେଲେ ଜନପୂର୍ଣ୍ଣ ରାସ୍ତା ଶୁନଶାନ୍ ଅବସ୍ଥାରେ ଦେଖାଦେଇଛି । ଏପରି ଏକ ଦୃଷ୍ଟାନ୍ତ ଦୃଶ୍ୟ ଦେଖିବାକୁ ମିଳିଛି ରବିବାର ଭୋର୍ ସମୟରେ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ । ଏହି ଅଞ୍ଚଳର ପୃଥକ ପୃଥକ ତିନୋଟି ସ୍ଥାନରେ ଗୋଠ ଛଡା ହାତୀର ଉତ୍ପାତ ଯୋଗୁଁ ୩ ଜଣ ଗୁରୁତର ହୋଇଥିବା ବେଳେ ଜଣଙ୍କ ଘର ଭାଙ୍ଗି ଧାନ ଚାଉଳ ଖାଇ ଆସବାବ ପତ୍ର ନଷ୍ଟ କରିଦେଇଥିବା ସୂଚନା ମିଳିଛି ।
ପ୍ରଥମେ ପରଜଙ୍ଗ ଥାନା ଅନ୍ତର୍ଗତ ଦଦରାଘାଟି ଫରେଷ୍ଟ ବିଟ ର ଆଖୁଆପାଳ ଗାଁରେ ସନ୍ଧ୍ୟା ପ୍ରାୟ ସାଢ଼େ ୭ ଟା ସମୟରେ ଏକ ଦନ୍ତା ଶ୍ରୀ ସହରାଇ ମାରାଣ୍ଡି ଙ୍କ ପୁଅ ଶ୍ରୀ ଠାକୁର ମାରାଣ୍ଡିଙ୍କ ଚାଳ ଛପର ଘର ଭାଙ୍ଗି ଧାନ ଚାଉଳ ଖାଇ ଦେଇ ଘରର ଆସବାବ ପତ୍ର ଦଳିଚକଟି ନଷ୍ଟ କରିଦେଇଥିବା ଜଣାପଡିଛି ।ଗାଁର ଲୋକ ଓ ବନ କର୍ମଚାରୀ ହୋହାଲ୍ଲା କରିବାରୁ ସେଠାରୁ ଗୋଠ ଛଡା ଦନ୍ତା ପଳାଇ ଆସି ଡିହଡୋଳ ଫରେଷ୍ଟ ସେକ୍ସନ କନ୍ତୋର ଗାଁରେ ପହଞ୍ଚିଥିଲା। ଉକ୍ତ ଗାଁର ଚଣ୍ଡିକତଇଳା ସାହିର ଶ୍ରୀମତୀ ସାବିତ୍ରୀ ସାହୁ ୪୭ ବର୍ଷ ନାମକ ମହିଳା ଭୋର୍ ସମୟରେ ଘର ପାଖରେ ଥିବା ମହୁଲ ଗଛକୁ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇ ଦନ୍ତା ହାବୁଡ଼ରେ ପଡ଼ି ଗୁରୁତର ହୋଇଥିବା ବେଳେ ଏହି ଗାଁର ଖଇରା ସାହିର ଶ୍ରୀ ଦେବରାଜ ସାହୁ ୬୫ ନାମକ ବୃଦ୍ଧ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇ ଦନ୍ତା ହାବୁଡ଼ରେ ପଡ଼ି ଗୁରୁତର ହୋଇଛନ୍ତି ।
ସେହିପରି ବାରିହାପୁର ଗାଁର ଶ୍ରୀ ଶଙ୍କର ସାହୁଙ୍କ ପୁଅ ଶ୍ରୀ ଆଦିତ୍ୟ ସାହୁ ୩୭ ବର୍ଷ ନାମକ ଯୁବକ ଦନ୍ତା ଆକ୍ରମଣରେ ଗୁରୁତର ହୋଇଥିବା ଜଣାପଡିଛି । ଏମାନେ ସମସ୍ତେ ହାତୀ ମୁଁହରୁ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କ୍ଷତାକ୍ତ ଆହାତ ମାନଙ୍କୁ ପରଜଙ୍ଗ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଆଶୁ ଚିକିତ୍ସା କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।


