ପୁରୀ–କୋରାପୁଟ ନୂଆ ଏକ୍ସପ୍ରେସ ଟ୍ରେନ୍‌ର ଶୁଭାରମ୍ଭ ୬ ତାରିଖରେ:ବରଗଡ଼ରେ ସ୍ୱାଗତ କରିବେ ସାଂସଦ ପ୍ରଦୀପ ପୁରୋହିତ…

ବରଗଡ଼(ବାସ୍ତବକଥା): ୪/୭ ପୂର୍ବତଟ ରେଳପଥ (ECOR)ର ପ୍ରସ୍ତାବକୁ ଅନୁମୋଦନ କରି ଭାରତ ସରକାରଙ୍କ ରେଳ ମନ୍ତ୍ରଣାଳୟ ପୁରୀ–କୋରାପୁଟ–ପୁରୀ ମଧ୍ୟରେ ନୂତନ ୧୮୪୦୭/୧୮୪୦୮ ପୁରୀ–କୋରାପୁଟ ଏକ୍ସପ୍ରେସ ଚଳାଚଳ ପାଇଁ ସବୁଜ ସଙ୍କେତ ଦେଇଛି।

ରେଳ ବୋର୍ଡ ପକ୍ଷରୁ ଜାରି ହୋଇଥିବା ପତ୍ର ଅନୁଯାୟୀ, ୧୮୪୦୭ “ପୁରୀ – କୋରାପୁଟ” ଏକ୍ସପ୍ରେସ ଟ୍ରେନ୍ ପୁରୀରୁ ସକାଳ ୭ଟାରୁ ବାହାରି ଭୁବନେଶ୍ୱର, ସମ୍ବଲପୁର, ବରଗଡ଼ ରୋଡ଼, ବଲାଙ୍ଗୀର, ଟିଟିଲାଗଡ଼, କେସିଙ୍ଗା, ରାୟଗଡ଼ା ଆଦି ଷ୍ଟେସନ ଦେଇ ରାତି ୧୧.୩୦ରେ କୋରାପୁଟ ପହଞ୍ଚିବ । ଏହି ଟ୍ରେନଟି ସପ୍ତାହରେ ତିନି ଦିନ ଅର୍ଥାତ ସୋମବାର, ଗୁରୁବାର ଓ ଶନିବାର ଚାଲିବ । ସେହିପରି ୧୮୪୦୮ “କୋରାପୁଟ- ପୁରୀ” ଏକ୍ସପ୍ରେସ ଟ୍ରେନ୍ କୋରାପୁଟ ଷ୍ଟେସନରୁ ଭୋର୍ ୫ଟାରେ ବାହାରି ରାତି ୧୦.୨୦ ମିନିଟରେ ପୁରୀ ଷ୍ଟେସନରେ ପହଞ୍ଚିବ ।

ପୂର୍ବ ଟ୍ରେନ ଭଳି ଏହା ମଧ୍ୟ ସପ୍ତାହରେ ମଙ୍ଗଳବାର, ଶୁକ୍ରବାର ଓ ରବିବାର ତିନି ଦିନ ଚାଲିବ । ଆସନ୍ତା ୬ ତାରିଖ ସକାଳେ ପୁରୀ ରେଳ ଷ୍ଟେସନରେ କେନ୍ଦ୍ର ରେଳ, ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ପତାକା ଦେଖାଇ ଏହି ନୂତନ ଟ୍ରେନ୍‌ର ଶୁଭାରମ୍ଭ କରିବେ। ଏହାପରେ ଟ୍ରେନ୍‌ଟି ପ୍ରାୟ ୨ଟାରେ ବରଗଡ଼ ରୋଡ଼ ଷ୍ଟେସନରେ ପହଞ୍ଚିବା ସମୟରେ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ଯାତ୍ରୀମାନଙ୍କୁ ସ୍ୱାଗତ କରିବେ ଓ ଟ୍ରେନ୍‌କୁ ଅଭିନନ୍ଦନ ଜଣାଇବେ। ଏହି ଅବସରରେ ଡିଆରଏମଙ୍କ ସମେତ ରେଳ ବିଭାଗର କତୃପକ୍ଷ ତଥା କର୍ମଚାରୀ ମାନେ ଉପସ୍ଥିତ ରହିବେ ।

ଏହି ନୂତନ ରେଳ ସେବା ପଶ୍ଚିମ ଓଡ଼ିଶା ଏବଂ ଦକ୍ଷିଣ ଓଡ଼ିଶା ମଧ୍ୟରେ ଯାତାୟାତକୁ ଅଧିକ ସୁଗମ କରିବା ସହ ପର୍ଯ୍ୟଟନ, ବ୍ୟବସାୟ, ଶିକ୍ଷା ଓ ରୋଜଗାର କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ବିଶେଷ କରି ବରଗଡ଼ ସମେତ ପଶ୍ଚିମ ଓଡ଼ିଶାର ଯାତ୍ରୀମାନେ ଶ୍ରୀକ୍ଷେତ୍ର ପୁରୀ ଓ ଶବରୀ ଶ୍ରୀକ୍ଷେତ୍ର କୋରାପୁଟକୁ ସିଧାସଳଖ ରେଳ ସଂଯୋଗ ପାଇବେ।

ଏହି ଐତିହାସିକ ପଦକ୍ଷେପ ପାଇଁ ବରଗଡ଼ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେ କହିଛନ୍ତି ଯେ, ଏହି ଟ୍ରେନ୍ ପଶ୍ଚିମ ଓଡ଼ିଶାର ଦୀର୍ଘଦିନର ଦାବି ପୂରଣ କରିବା ସହ ଅଞ୍ଚଳର ସାମଗ୍ରିକ ବିକାଶରେ ମଧ୍ୟ ସହାୟକ ହେବ।

ସେୟାର କରନ୍ତୁ

You May Like

Pin It on Pinterest