ବାଲେଶ୍ୱରରେ ଲଗାଣ ବର୍ଷା ଫଳରେ ବଢୁଛି ନଦୀର ଜଳସ୍ତର : ନୁଣିଆଯୋଡ଼ି ପୋଲ ଉପରେ ଜଳ ପ୍ରବାହିତ

  • ବାଲେଶ୍ୱର ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି

ବାଲେଶ୍ୱର,୨୬/୯(କୃଷ୍ଣ କୁମାର ମହାନ୍ତି): ଲଘୁଚାପଜନିତ ଲଗାଣ ବର୍ଷାରେ ବାଲେଶ୍ୱର ଜିଲ୍ଲାରେ ବନ୍ୟା ଆଶଙ୍କା ପୁଣି ଘନୀଭୂତ ହୋଇଛି। ବୁଢ଼ାବଳଙ୍ଗ, ଜଳକା, ସୁବର୍ଣ୍ଣରେଖା ସମେତ ବିଭିନ୍ନ ନଦୀର ଜଳସ୍ତର ବଢ଼ିଚାଲିଥିବା ବେଳେ ତଳିଆ ଅଞ୍ଚଳରେ ଜଳ ପଶିବା ଆରମ୍ଭ ହୋଇଛି।

ରାଜ୍ୟର ଉତ୍ତର ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ଜଳକା ନଦୀ ମଥାନୀ ଠାରେ ବିପଦସଙ୍କେତ ଅତିକ୍ରମ କରିଥିବା ସୂଚନା ମିଳିଛି।

ଏହି ପରିସ୍ଥିତିକୁ ନେଇ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ନୁଣିଆଯୋଡ଼ି ପୋଲ ଉପରେ ଜଳ ପ୍ରବାହିତ ହେଉଥିବାରୁ ଏହି ପୋଲ ଦେଇ କୌଣସି ପ୍ରକାର ଯାତାୟାତ ନ କରିବାକୁ ଜିଲ୍ଲାବାସୀଙ୍କୁ ଅନୁରୋଧ କରାଯାଇଛି। ଅତ୍ୟାବଶ୍ୟକ କିମ୍ବା ଜରୁରୀ କାର୍ଯ୍ୟ ନଥିଲେ ଘରୁ ବାହାରକୁ ନ ଆସିବାକୁ ମଧ୍ୟ ପ୍ରଶାସନ ପରାମର୍ଶ ଦେଇଛି।
ଆଜି ୧ଟା ସୁଦ୍ଧା ନଦୀଗୁଡ଼ିକର ଜଳସ୍ତର ଏହି ପରି ରେକର୍ଡ କରାଯାଇଛି।
ରାଜଘାଟ: ବିପଦସଙ୍କେତ ୧୦.୩୬ ମିଟର, ସତର୍କସଙ୍କେତ ୯.୪୫ ମିଟର; ଗେଜ୍‌ ଜଳସ୍ତର ୧୦.୬୨ ମିଟର।
ଜାତୀୟ ରାଜପଥ-୫: ବିପଦସଙ୍କେତ ୮.୧୩ ମିଟର, ସତର୍କସଙ୍କେତ ୭.୨୧ ମିଟର; ଗେଜ୍‌ ଜଳସ୍ତର ୮.୮୦ ମିଟର।
ଜଳକା: ବିପଦସଙ୍କେତ ୬.୫୦ ମିଟର, ସତର୍କସଙ୍କେତ ୬.୦୦ ମିଟର; ଗେଜ୍‌ ଜଳସ୍ତର ୬.୭୬ ମିଟର।
ଜାମଶୋଳା ଘାଟ: ବିପଦସଙ୍କେତ ୪୯.୧୬୦ ମିଟର, ସତର୍କସଙ୍କେତ ୪୮.୩୨୦ ମିଟର; ଗେଜ୍‌ ଜଳସ୍ତର ୫୧.୭୨୦ ମିଟର।

ଏହି ଜଳସ୍ତର ତଥ୍ୟରୁ ଅନେକ ସ୍ଥାନରେ ନଦୀର ଜଳ ବିପଦ ସଙ୍କେତ ଅତିକ୍ରମ କରିଥିବା ସ୍ପଷ୍ଟ ହେଉଛି। ଗତ କିଛି ଦିନ ଧରି ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ ନଦୀର ଜଳସ୍ତର ମଧ୍ୟ ବଢ଼ିଥିବା ନେଇ ସ୍ଥାନୀୟ ଭାବେ ସତର୍କତା ଜାରି କରାହୋଇଛି।

ତଳିଆ ଅଞ୍ଚଳ ପ୍ରତି ସତର୍କ ନଜର

ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ ଅଞ୍ଚଳରେ ବନ୍ୟାପାଣି ପଶିବାର ଆଶଙ୍କା ବଢ଼ିଛି। ପୂର୍ବରୁ ମଧ୍ୟ ସୁବର୍ଣ୍ଣରେଖା ଓ ଜଳକା ନଦୀର ବନ୍ୟାରେ ବାଲେଶ୍ୱରର ଅନେକ ଅଞ୍ଚଳ ପ୍ରଭାବିତ ହୋଇଥିବାରୁ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛି। ନଦୀର ଜଳସ୍ତର, ବର୍ଷା ଓ ତଳିଆ ଅଞ୍ଚଳର ସ୍ଥିତିକୁ ଆଧାର କରି ଆବଶ୍ୟକ ପଦକ୍ଷେପ ନିଆଯାଉଛି।

ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଜାରି ରହିବା ସହ ବନ୍ୟା ଆଶଙ୍କା ନେଇ ସରକାରୀ ସ୍ତରରେ ମଧ୍ୟ ସତର୍କତା ରହିଛି।
ପ୍ରଶାସନ ପକ୍ଷରୁ ଜାରି ହେଉଥିବା ସମସ୍ତ ସତର୍କତାମୂଳକ ନିର୍ଦ୍ଦେଶ ପାଳନ କରିବା ସହ ନଦୀ, ପୋଲ, ନାଳ ଓ ଜଳମଗ୍ନ ରାସ୍ତା ନିକଟକୁ ନ ଯିବା ପାଇଁ ଲୋକଙ୍କୁ ଅନୁରୋଧ କରାଯାଇଛି। ବର୍ତ୍ତମାନର ପରିସ୍ଥିତିରେ ସତର୍କତା ଓ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦେବାକୁ ପ୍ରଶାସନ ଆହ୍ୱାନ ଜଣାଇଛି।

ସେୟାର କରନ୍ତୁ

You May Like

Pin It on Pinterest