ଆଜି ସାବିତ୍ରୀ ଅମାବସ୍ୟା। ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀମାନେ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି।
ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯୭ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୧୬୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୩୭୨୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯୩୩୩ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୬୪୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏସବୁ ଭିତରେ ରହିଛି ୪ଟି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ଓ ପ୍ରଶସ୍ତିକରଣ । ପଶ୍ଚିମ ଓଡ଼ିଶାରେ ଗମନାଗମନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆପଡ଼ାରୁ କଳାହାଣ୍ଡି ଯାଏଁ ବିଜୁ ଏକ୍ସପ୍ରେସ ୱେ ୪ ଲେନ୍ ହେବ । ୧୭୪ କିଲୋମିଟର ବିଶିଷ୍ଟ ରାସ୍ତାରେ ମୋଟ ୪୪୮ କୋଟି ଟଙ୍କା ଖର୍ଚ୍ଚ ହେବ ।
କେନ୍ଦ୍ରର ନୂଆ ଆଇଟି ନିୟମକୁ ସୋସିଆଲ ମିଡିଆ ସାଇଟ୍ ମାନିବା ପାଇଁ ପ୍ରସ୍ତୁତ ଅଛି । କମ୍ପାନୀ ପକ୍ଷରୁ ସରକାରଙ୍କୁ ଚିଠି ଲେଖି କୁହାଯାଇଛି ଯେ, ନିୟମ ଅନୁସାରେ ମୁଖ୍ୟ ଅନୁପାଳନ ଅଧିକାରୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ୧ ଲକ୍ଷ ତଳକୁ ଖସିଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୪୦୫୨ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୧୪୮ଜଣଙ୍କ ମୃତ୍ୟୁ ହୋଇଛି ।ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୧ଲକ୍ଷ ୮୩ ହଜାର ୧୨୧ରେ ପହଞ୍ଚିଛି।
ମୁମ୍ବାଇରେ ବର୍ଷା ଲାଗି ରହିଥିବାରୁ ସହରର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି । ଏପିରିକି ମୁମ୍ବାଇର ମାଲାଡ ଅଞ୍ଚଳରେ କୋଠା ଭୁଶୁଡ଼ି ୧୧ ଜଣଙ୍କର ମୃତ୍ୟୁ ହୋଇଛି । ୧୫ରୁ ଅଧିକ ମହିଳା ଏବଂ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭଙ୍ଗା କୋଠା ତଳେ ଆଉ କିଛି ଫଶି ରହିଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଆଜି (ଗୁରୁବାର) ଟିକଟକ୍, ଓ୍ୱି ଚାଟ୍ ସହ ଅନ୍ୟ ୮ଟି ଆପ୍ଲିକେସନ ଉପରୁ ବ୍ୟାନ୍ ବା ପ୍ରତିବନ୍ଧକ ହଟାଇଛନ୍ତି । ଏହି ସବୁ ଆପ୍ଲିକେସନ ଉପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିବନ୍ଧକ ଲଗାଇଥିଲେ ।



