ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୫୨ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୨୫୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮୪୭୩୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୨୫୧୫ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୭୮୧୪୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
କରୋନା ମହାମାରୀ ଯୋଗୁଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାବେଳେ ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର (ପିଜି)ର ନାମଲେଖା, ପାଠପଢା ଓ ପରୀକ୍ଷା ନେଇ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ରାଜ୍ୟର ସମସ୍ତ ବଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ ହେବ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏହି ବୈଠକରେ ଅଧ୍ୟକ୍ଷତା କରିବେ ।
ପୂର୍ବ ବର୍ଷ ଭଳି ଚଳିତ ବର୍ଷ ବି କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ର୍ନିଘଣ୍ଟର ସମସ୍ତ ମଧ୍ୟ ସ୍ଥିର କରାଯାଇଛି । ଏହା ଉପରେ କେବଳ ଛତିଶା ନିଯୋଗର ଅନୁମୋଦନ ବାକି ରହିଛି ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଓଡ଼ିଶା ମଧ୍ୟ ଦେଇ ଗତି କରିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ୧୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବ। କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାକୁ ଥିବାବେଳେ ଆଉ କିଛି ସ୍ଥାନରେ ଅତିରୁ ଅତି ପ୍ରବଳ ବର୍ଷା ହୋଇପାରେ। ଆଜି ସମ୍ବଲପୁର, ସୋନପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ ଏବଂ ଅନୁଗୋଳ ଭଳି ୬ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଏଠାରେ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି : ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ମିଳିତ ଜାତିସଂଘର ବିକାଶ କାର୍ଯ୍ୟକ୍ରମ ଦ୍ବାରା ପ୍ରକାଶିତ ଏକ ରିପୋର୍ଟରେ କରୋନା ପରିସ୍ଥିତି ମୁକାବିଲା ପାଇଁ ମାଲକାନଗିରି ଜିଲ୍ଲାକୁ ପ୍ରଶଂସା କରାଯାଇଛି।
ଦେଶରେ ଦୈନିକ ଆକ୍ରାନ୍ତ ସଂଖ୍ୟା ଏବେ ୧ ଲକ୍ଷ ତଳକୁ ଖସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ୮୪୩୩୨ ଆକ୍ରାନ୍ତ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟା ମଧ୍ୟରେ ୪୦୦୨ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୩ଲକ୍ଷ ୫୯ ହଜାର ୧୫୫ରେ ପହଞ୍ଚିଛି।
ଆଜିଠାରୁ ମଧ୍ୟପ୍ରଦେଶର ଇନ୍ଦୋର ସହର ଅନଲକ୍ ହେବାକୁ ଯାଉଛି । ଆଜିଠାରୁ ସହରର ସମସ୍ତ ଧାର୍ମିକ ସ୍ଥାନ, ହୋଟେଲ, ମଲ୍, ରେଷ୍ଟୁରାଣ୍ଟ ଖୋଲିବ । ତେବେ ସରକାର ଶିକ୍ଷାନୁଷ୍ଠାନ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ତାମିଲନାଡୁର ଏମ.କେ. ଷ୍ଟାଲିନ୍ ସରକାର ଜୁନ୍ ୨୧ ଅର୍ଥାତ ଏକ ସପ୍ତାହ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି କରିଛନ୍ତି । ତେବେ ଏହି ସମୟ ମଧ୍ୟରେ କିଛି କୋହଳ ମଧ୍ୟ କରାଯାଇଛି । ଜୁନ୍ ୧୪ରୁ ସେଲୁନ୍, ପାର୍କ ଏବଂ ମଦ ଦୋକାନ ଖୋଲିବ । ଜୁନ୍ ୧୪ରୁ ଚେନ୍ନାଇ ସମେତ ୨୭ଟି ଜିଲ୍ଲାରେ ସେଲୁନ୍, ବିୟୁଟି ପାର୍ଲର ଏବଂ ସ୍ପା ବିନା ଏସିରେ ସକାଳ ୬ଟାରୁ ୫ଟା ପର୍ଯ୍ୟନ୍ତ ଚାଲିପାରିବ ଏବଂ ଗୋଟିଏ ସମୟରେ ୫୦ ପ୍ରତିଶତ ଗ୍ରାହକଙ୍କୁ ଅନୁମତି ଦିଆଯିବ ।
ଆମେରିକାର ୟୁଏସ୍ ଫୁଡ୍ ଓ ଆଡମିନିଷ୍ଟ୍ରେସନ୍ ଅର୍ଥାତ ଏଫଡିଏ ଭାରତ ବାୟୋଟେକର କୋଭାକ୍ସିନ୍ ଟିକାକୁ ଜରୁରୀକାଳିନ ବ୍ୟବହାର ଆବେଦନକୁ ଖାରଜ କରିଦେଇଛି ।
ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ୍ ମାଧ୍ୟମରେ G7 ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ୧୨ ଏବଂ ୧୩ ଜୁନ୍ ରେ G7 ଶିଖର ସମ୍ମିଳନୀର ଡିଜିଟାଲ୍ ଆଉଟ୍ରିକ୍ ଅଧିବେଶନରେ ଅଂଶଗ୍ରହଣ କରିବେ । G7 ସମିଟ୍ ରେ ବ୍ରିଟେନ, କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଜାପାନ ଏବଂ ଆମେରିକା ପ୍ରବୃତି ରାଷ୍ଟ୍ର ସାମିଲ ହେବେ । G7 ର ଚେୟାରମ୍ୟାନ୍ ଭାବରେ ବ୍ରିଟେନ ଭାରତ, ଅଷ୍ଟ୍ରେଲିଆ, ଦକ୍ଷିଣ କୋରିଆ ଏବଂ ଦକ୍ଷିଣ ଆଫ୍ରିକାକୁ ଏହି ସମ୍ମିଳନୀକୁ ନିମନ୍ତ୍ରଣ କରିଛନ୍ତି ।



