ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୭୦ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୨୪୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୨୪୬୯୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୯୬୨୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୮୯୦୭୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆସନ୍ତା ୫ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୪ ଘଣ୍ଟାରେ ମଧ୍ୟରେ ରାଜ୍ୟର ୭ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଉକ୍ତ ଜିଲ୍ଲାଗୁଡ଼ିକ ହେଲା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଓ କଳାହାଣ୍ଡି ଜିଲ୍ଲା। ଏହାଛଡ଼ା ୨୩ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହି ବିଜୁଳି, ଘଡ଼ଘଡ଼ିଜନିତ ବର୍ଷା ଆଜିଠାରୁ ଆରମ୍ଭ ହୋଇ ଆଗାମୀ ୫ ଦିନ ଅର୍ଥାତ ୮ ତାରିଖ ଯାଏ ଓଡ଼ିଶାରେ ଜାରି ରହିବ । ୭ ଓ ୮ ତାରିଖରେ ରାଜ୍ୟର କିଛି କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
ଆଜି ଅନଵସରର ଏକାଦଶୀ ତିଥିରେ ଶ୍ରୀଜୀଉଙ୍କ ଲାଗି ହେବ ଦଶମୂଳ ମୋଦକ । ଆଜି ଲାଗି ହେବ ରାଜବୈଦ୍ୟଙ୍କ ଦ୍ବାରା ପ୍ରସ୍ତୁତ ମୋଦକ । ଏହି ସେବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ୮ ଜଣ ବୈଦ୍ୟଙ୍କୁ ନିୟୋଜିତ କରିଛନ୍ତି । ଏକାଦଶୀ ତିଥିରେ ମହାପ୍ରଭୁଙ୍କ ସର୍ବାଙ୍ଗ ପରେ ମୋଦକାଦି ଔଷଧି ଲାଗି କରାଯିବ ।
ଆଜିଠୁ ମାଟ୍ରିକ ଅଫଲାଇନ୍ ପରୀକ୍ଷା ପାଇଁ ଆରମ୍ଭ ହେଉଛି ଅନ୍ଲାଇନ୍ ଫର୍ମ ଫିଲଅପ୍ । ପରୀକ୍ଷାଫଳକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ଏହାର ସୁଯୋଗ ନେଇପାରିବେ। ଚଳିତ ବର୍ଷ ଫର୍ମ ପୂରଣ ଲାଗି କୌଣସି ଫି ଦେବାକୁ ପଡ଼ିବ ନାହିଁ । ଆସନ୍ତା ୧୪ ତାରିଖ ସୁଦ୍ଧା ଫର୍ମ ଫିଲଅପ୍ ଶେଷ କରିବା ଲାଗି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।ଜୁଲାଇ ୩୦ରୁ ଅଗଷ୍ଟ ୫ ଯାଏଁ ପରୀକ୍ଷା ହେବ । ପରୀକ୍ଷାର ୧୫ ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।
ଆଜି (ସୋମବାର) ଠାରୁ ଗଞ୍ଜାମ ଜିଲ୍ଲାରେ ଦିଆଯିବ କୋଭାକ୍ସିନ୍ ଟିକା । ପ୍ରଥମ ପର୍ଯ୍ୟୟରେ ଜିଲ୍ଲାରେ ୧ ଲକ୍ଷ ୪୦ ହଜାର ଡୋଜ୍ ଟିକା ପହଞ୍ଚି ସାରିଛି । ଆଜିଠୁ ଗଞ୍ଜାମ ଜିଲ୍ଲାର ୨୫୦ କେନ୍ଦ୍ରରେ କୋଭାକ୍ସିନ୍ ଟିକା ଦିଆଯିବ ।
ରାଜଧାନୀ ଭୁବନେଶ୍ବରରେ ୫୦ରୁ ଅଧିକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଡେଙ୍ଗୁ ନିୟନ୍ତ୍ରଣ ପାଇଁ ସଚେତନ ଓ ସଫେଇ କାର୍ଯ୍ୟକ୍ରମ ଆରମ୍ଭ କରିଛି ବିଏମସି । ନିଳାଦ୍ରୀ ବିହାର ଓ ଶୈଳଶ୍ରୀ ବିହାରରେ ଅଧିକାଂଶ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟର କୋଭିଡ୍ କଟକଣା କୋହଳ ହେବାରୁ ଆଜି (ସୋମବାର) କୋରାପୁଟ ଜିଲ୍ଲାରେ ବସ୍ ଚଳାଚଳ ସ୍ବାଭାବିକ ହୋଇଛି । ତେବେ ଆଜିଠାରୁ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଘରୋଇ ବସ୍ ଚଳାଚଳ କରିଛି । ଅନ୍ୟପଟେ ସରକାରୀ ବସ୍ ଚଳାଚଳ ବନ୍ଦ ରହିଛି।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୯୭୯୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୭୨୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୫ ଲକ୍ଷ ୮୫ ହଜାର ୨୨୯ରେ ପହଞ୍ଚିଛି । ମୃତ୍ୟୁସଂଖ୍ୟା ୪ ଲକ୍ଷ ୨ ହଜାର ୭୨୮ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୨ କୋଟି ୯୬ ଲକ୍ଷ ୫ ହଜାର ୭୭୯ରେ ପହଁଚିଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୮୨୦୭୧ ।
ଆଜି ଅପରାହ୍ନ ୩ଟାରେ କୋଓ୍ୱିନ ଗ୍ଲୋବାଲ କନ୍କ୍ଲେଭରେ ନିଜର ଅଭିଜ୍ଞତା ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ମହାମାରୀ ସମୟରେ କୋୱିନ ପୋର୍ଟାଲ ଲୋକଙ୍କ କାମରେ କିପରି ଆସୁଛି, ସେନେଇ ଭାରତ ସରକାର ଅନ୍ୟ ଦେଶକୁ ବୁଝାଇବେ । ଏହି ଡିଜିଟାଲ ସମ୍ମିଳନୀକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ଉଦଘାଟନ କରିବେ ।ସୂଚନାନୁଯାୟୀ, କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା ଏବଂ ଉଗାଣ୍ଡା ସମେତ ପ୍ରାୟ ୫୦ଟି ଦେଶ ଟୀକାକରଣ ଅଭିଯାନ ପାଇଁ ଡିଜିଟାଲ ପ୍ଲାଟଫର୍ମ କୋଓ୍ୱିନ ଆପକୁ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
ଆଜି ମଧ୍ୟାହ୍ନ ୧୨ଟାରେ ‘ନିପୁଣ ଭାରତର’ (ନ୍ୟାସନାଲ୍ ଇନିସିଏଟିଭ୍ ଫର ପ୍ରୋଫିସିଏନ୍ସି ଇନ ରିଡିଂ ୱିଥ୍ ଅଣ୍ଡରଷ୍ଟାଣ୍ଡିଂ ଆଣ୍ଡ ନ୍ୟୁମେରାସି) ଶୁଭାରମ୍ଭ କରିବେ ଦିନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡ. ରମେଶ ପୋଖରିଆଲ୍ ନିଶଙ୍କ । ଏହି ଅବସରରେ ‘ନିପୁଣ ଭାରତ’ ସମ୍ପର୍କିିତ ଏକ କ୍ଷୁଦ୍ର ଭିଡିଓ, ସଂଗୀତ ଏବଂ ନିର୍ଦ୍ଦେଶାବଳୀ ମଧ୍ୟ ଜାରି ହେବ । ୨୦୨୦ ଜୁଲାଇ ୨୯ରେ ଆରମ୍ଭ ହୋଇଥିବା ନୂଆ ଜାତୀୟ ଶିକ୍ଷାନୀତି ଅନ୍ତର୍ଗତ ଏହା ଏକ ନୂଆ ଯୋଜନା ।
ଆଜି ରାମବିଲାସ ପାସଓ୍ୱାନଙ୍କ ଜନ୍ମବାର୍ଷିକୀ । ଏହି ଅବସରରେ ଲୋକସଭା ପାର୍ଟି (ଏଲଜେପି) ସାଂସଦ ଚିରାଗ ପାସୱାନ ବିହାରର ହାଜିପୁରରୁ ‘ଆଶୀର୍ବାଦ ଯାତ୍ରା’ ଆରମ୍ଭ କରୁଛନ୍ତି ।
ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ତୃତୀୟ ଲହର ଶୀର୍ଷ ସଂକ୍ରମଣ ଦେଖାଯିବ ବୋଲି ସରକାରୀ ପ୍ୟାନେଲର ବରିଷ୍ଠ ବୈଜ୍ଞାନିକ ସଦସ୍ୟ ଡ. ମଣିନ୍ଦ୍ର ଅଗ୍ରୱାଲ କହିଛନ୍ତି । କୋଭିଡ କଟକଣା ଠିକ୍ ରୂପେ ପାଳନ କରା ନଗଲେ ଏପରି ପରିସ୍ଥିତି ସୃଷ୍ଟି ହେବା ନିଶ୍ଚିତ । ତେବେ ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହରରେ ମୃତ୍ୟୁ ସଂଖ୍ୟା ଅପେକ୍ଷାକୃତ କମ ରହିବ ।
ଆଜି(ସୋମବାର) ରାଷ୍ଟ୍ରୀୟ ଜନତା ଦଳ ବା ଆରଜେଡିର ସିଲଭର ଜୁବଲି । ଆରଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ଦିଲ୍ଲୀରୁ ଭର୍ଚ୍ଚୁଆଲ ମୋଡ଼୍ ରେ ଦଳର ନେତା ଓ କର୍ମୀଙ୍କୁ ଉଦବୋଧନ କରିବେ ଦଳର ରାଷ୍ଟୀୟ ସଭାପତି ଲାଲୁ ପ୍ରସାଦ ଯାଦବ। ଦିନ ପ୍ରାୟ ୨ଟାରେ କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଆଜି ପର୍ଯ୍ୟନ୍ତ ବିଶ୍ୱରେ ୧୮ କୋଟି ୪୫ ଲକ୍ଷ ୪୬ ହଜାର ୧୦୧ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୩୯ ଲକ୍ଷ ୯୩ ହଜାର ୩୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୬ କୋଟି ୮୮ ଲକ୍ଷ ୯୩ ହଜାର ୨୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୧୬ ଲକ୍ଷ ୬୦ ହଜାର ୪୪ ଜଣ ଲୋକ ସକ୍ରିୟ ଅଛନ୍ତି ।
ଆଉ ଏକ ମହାମାରୀ ଆସୁଛି । ଆଗକୁ ଆସୁଥିବା ମହାମାରୀ ପାଇଁ ଆମେ ପ୍ରସ୍ତୁତ ନୁହେଁ : ଆମେରିକାନ୍ କୁବେର ଓ୍ୱାରେନ୍ ବୋଫେଟ୍ । ବଫେଟ ଯେଉଁ ମହାମାରୀ କଥା ଉଲ୍ଲେଖ କରିଛନ୍ତି ତାହା ମଣିଷକୁ ମରଣ ମୁହଁକୁ ଯଦିଓ ଠେଲି ନପାରେ ହେଲେ କାଙ୍ଗାଳ କରିବା ସହିତ ସାରା ଦୁନିଆରେ ଚାଲିଥିବା ସିଷ୍ଟମକୁ ଅଚଳ କରି ଦେବାରେ ସକ୍ଷମ ହୋଇପାରିବ । ଏବେ ସାଇବର ବିପଦ ସବୁଠୁ ଅଧିକ । ସମସ୍ତେ ସାଇବର ଦୁନିଆ ସହ ପ୍ରାୟତଃ ଜଡିତ । ହେଲେ ଆଗାମୀ ଦିନରେ ଆସିବାକୁ ଥିବା ଏହି ସାଇବର ଆଟାକ ବାବଦରେ କେହି ସଚେତନ ନୁହଁନ୍ତି ।