ବାସ୍ତବବ୍ୟୁରୋ:(ଭୁବନେଶ୍ୱର)ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୧୫ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୭୬୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୪୧୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୭୨୬୨ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୫୧୦୪୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ହୀରକୁଦ ଜଳଭଣ୍ଡାରର ୨ଟି ସ୍ଲୁଇସ୍ ଗେଟ୍ ବନ୍ଦ ହେଲା । ବର୍ତ୍ତମାନ ୧୨ଟି ସ୍ଲୁଇସ୍ ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି । ତେବେ ବର୍ତ୍ତମାନ ଜଳଭଣ୍ଡାରର ଜଳସ୍ତର ୬୦୫.୫୪କୁ ଖସିଗଲାଣି ।
ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଜି ଉପକୂଳ ବାଂଲାଦେଶ ଓ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଆକାରରେ ରହିଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ପଶ୍ଚିମମୁହାଁ ହୋଇ ପଶ୍ଚିମବଙ୍ଗ, ଝାରଖଣ୍ଡ ତଥା ବିହାର ଆଡ଼କୁ ଗତି କରିବ। ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। କିଛି କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି । ଆସନ୍ତା ୩୦ ତାରିଖ ଯାଏ ଓଡ଼ିଶା ସଂଲଗ୍ନ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦ କିମି ରହିବ। ଏଣୁ ମତ୍ସ୍ୟଜୀବୀମାନଙ୍କୁ ଏହି ସମୟରେ ଗଭୀର ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି: ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।
୩୧ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳ । ୩୧ ତାରିଖ ସଂଧ୍ୟା ୬ଟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଉକ୍ତ ୨ ବିଭାଗରେ ମୋଟ ୧ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ। ସେଥିମଧ୍ୟରୁ ବିଜ୍ଞାନରେ ୯୫ ହଜାର ଓ ବାଣିଜ୍ୟରେ ୨୫ ହଜାର ଛାତ୍ରଛାତ୍ରୀ ଅଛନ୍ତି।
ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୫୦୯ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬୪୦ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୫ ଲକ୍ଷ ୨୮ହଜାର ୧୧୪ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୨ ହଜାର ୬୬୨ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୭ ଲକ୍ଷ ୧ ହଜାର ୬୧୨ରେ ପହଁଚିଥିବା ବେଳେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ୪୦୩୮୪୦।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଆଜି ଅଗଷ୍ଟ ୩୧ ପର୍ଯ୍ୟନ୍ତ ଦେଶରେ କୋଭିଡ୍ କଟକଣା ବୃଦ୍ଧି କରିଛନ୍ତି। ଅଧିକ ପଜିଟିଭ୍ ହାର ଥିବା ଜିଲ୍ଲାମାନଙ୍କରେ କଡ଼ା ପଦକ୍ଷେପ ଗ୍ରହଣ କରିବାପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆଜି (ଗୁରୁବାର) ନୂଆ ଜାତୀୟ ଶିକ୍ଷା ନୀତି -୨୦୨୦ର ପ୍ରଥମ ବର୍ଷ ପୂର୍ତ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଶିକ୍ଷା ଓ କୌଶଳ ବିକାଶ ସମ୍ପର୍କିତ ନୂଆ ପଦକ୍ଷେପ ସଂପର୍କରେ ଛାତ୍ରଛାତ୍ରୀ, ଶିକ୍ଷକ ,ଶିକ୍ଷୟିତ୍ରୀ ଓ ନୀତି ନିର୍ଦ୍ଧାରକଙ୍କୁ ସମ୍ବୋଧନ କରିବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ ।
ନାଗାଲାଣ୍ଡର କିଙ୍ଗ୍ ଚିଲି ବା ଭୁତ ଜାଲୋକିଆ ବିଶ୍ୱର ସବୁଠାରୁ ରାଗ ଲଙ୍କା । ଭାରତ ଏହି ଲଙ୍କାକୁ ପ୍ରଥମ ଥର ପାଇଁ ଲଣ୍ଡନ ରପ୍ତାନୀ କରାଯାଇଛି । ବାଣିଜ୍ୟ ମନ୍ତ୍ରାଳୟ ତରଫରୁ କୁହାଯାଇଛି ଯେ, ରାଜା ଲଙ୍କା ନାଗାଲାଣ୍ଡରୁ ବୁଧବାର ଲଣ୍ଡନରେ ପହଁଚିଛି । ଗୌହାଟୀ ହୋଇ ଏହି ପ୍ରଥମ ଥର ଲଣ୍ଡନ ଯାଇଛି ।
ଜୁନ ୧୪ରୁ ଜୁଲାଇ ୬ ଯାଏ ଓଡ଼ିଶା ସମେତ ୧୧ ରାଜ୍ୟକୁ ନେଇ ଆଇସିଏମଆର ଏକ ସେରୋ ସର୍ଭେ କରିଥିଲା । ଯେଉଁଥିରୁ ଜଣାପଡ଼ିଛି ଯେ ମଧ୍ୟପ୍ରଦେଶରେ ୭୯ ପ୍ରତିଶତ ସହିତ ସର୍ବାଧିକ ଆଣ୍ଟିବଡି ବିକଶିତ ହୋଇଥିବା ବେଳେ କେରଳରେ ୪୪.୪ ପ୍ରତିଶତ ସହିତ ସର୍ବନିମ୍ନ ଆଣ୍ଟିବଡି ବିକଶିତ ହୋଇଛି। ସେହିପରି ଆସାମାରେ ୫୦.୩ ଏବଂ ମହାରାଷ୍ଟ୍ରରେ ୫୮ ପ୍ରତିଶତ ରହିଛି ଆଣ୍ଟିବଡି। ଆଇସିଏମଆର ଦ୍ୱାରା ହୋଇଥିବା ଅଧ୍ୟୟନରୁ ଏହି ପ୍ରତିଶତ ଜଣାପଡ଼ିଛି।
ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଫଲୋଅର୍ସ ସଂଖ୍ୟା ୭ କୋଟି ବା ୭୦ ମିଲିଅନ୍ ଅତିକ୍ରମ କରିଛି। ବିଶ୍ୱରେ ବିଭିନ୍ନ ଦେଶରେ କ୍ଷମତାରେ ଥିବା ନେତାଙ୍କ ମଧ୍ୟରେ ମୋଦିଙ୍କର ସର୍ବାଧିକ ଫଲୋଅର୍ସ ରହିଛନ୍ତି।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୬୬ ଲକ୍ଷ ୨୦ ହଜାର ୩୭୧ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୨ ହଜାର ୫୩୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୭ କୋଟି ୮୦ ଲକ୍ଷ ୭୧ ହଜାର ୭୫୨ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୪୩ ଲକ୍ଷ ୪୬ ହଜାର ୮୨ ଜଣ ଲୋକ ସକ୍ରିୟ ଅଛନ୍ତି ।
ଆଜି ଟୋକିଓ ଅଲିମ୍ପିକର ସପ୍ତମ ଦିନ । ଭାରତର ସତୀଶ କୁମାର ବକ୍ସିଂ ସୁପର ହେଭି ୯୧ କେଜି ବର୍ଗର କ୍ବାର୍ଟରରେ ପ୍ରବେଶ କରିଛନ୍ତି । ପ୍ରତିଦ୍ୱନ୍ଦୀ ଜାମାଇକାର ରିକାର୍ଡୋ ବ୍ରାଉନଙ୍କୁ ୪-୧ରେ ପରାସ୍ତ କରିଛନ୍ତି ।
ଆମେରିକାରେ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆମେରିକାରେ ଏବେ ସୁଦ୍ଧା ୫ଲକ୍ଷରୁ ଅଧିକ କୋଭିଡ଼ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଦୈନିକ ସଂକ୍ରମଣ ୧୩୧ପ୍ରତିଶତ ବଢିଚାଲିଛି ।
ଇସ୍ରାଏଲ କିଣିଥିଲା ଆମେରିକାର କରୋନା ଭାକସିନ୍ । ତେବେ ଏହି ଟିକା କରୋନାର ସାମାନ୍ୟ କିମ୍ବା ମଧ୍ୟମ ଲକ୍ଷଣ ବିରୋଧରେ କାମ କରୁନି । ଇସ୍ରାଏଲ ସରକାରୀ ତଥ୍ୟ ଅନୁସାରେ, କରୋନାରେ ଯେଉଁମାନେ ଏବେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ମଧ୍ୟରୁ ୮୧ ପ୍ରତିଶତ ଟିକା ନେଇଛନ୍ତି । ଟିକା ନେଇଥିବା ୬୫ ପ୍ରତିଶତ ଗୁରୁତର ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି । ଏଥିରୁ ଭାକସିନର କାର୍ଯ୍ୟକାରିତା ମାତ୍ର ୩୯ ପ୍ରତିଶତ ବୋଲି କୁହାଯାଇଛି ।