ଆଜିର ଖାସ୍ ଖବର…

ବାସ୍ତବବ୍ୟୁରୋ:ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୪୧ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୫୬୫କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୮୮୯୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୯୮୮ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୧୩୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅଗଷ୍ଟ ୨୩ ତାରିଖରୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲିବ । କୋଭିଡ୍ ପ୍ରୋଟୋକଲ୍ ଭିତରେ ଏହି ସମସ୍ତ ଧର୍ମାନୁଷ୍ଠାନ ଖୋଲିବ। ଏନେଇ ବିଏମ୍‌ସି ପକ୍ଷରୁ ଗାଇଡ୍‌ଲାଇନ୍ ଜାରି କରାଯାଇଛି।

ଆଜିଠୁ ଖୋଲିବ ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ । ବୁର୍ଲାର ଡ.ଏପିଜେ ଅବଦୁଲ କଲାମ ପ୍ଲାନେଟାରିୟମ୍‌ ଏବଂ ଖଣ୍ଡପଡ଼ାର ପଠାଣି ସାମନ୍ତ ସଂଗ୍ରହାଳୟ ମଧ୍ୟ ଖୋଲିବ । କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ସର୍ବସାଧାରଣଙ୍କ ପାଇଁ ଖୋଲିବ ।

  ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ଘଟଗାଁର ମା’ ତାରିଣୀ ମନ୍ଦିର ଆଜି (ମଙ୍ଗଳବାର)ଠୁ ଖୋଲିଛି । ଶ୍ରଦ୍ଧାଳୁମାନେ କରୋନା କଟକଣା ମାନି ମାଆଙ୍କୁ ଦର୍ଶନ କରୁଛନ୍ତି । ମନ୍ଦିର ମଧ୍ୟକୁ ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନା କରା ଯାଇଛି। ଶ୍ରଦ୍ଧାଳୁ ମାନେ ମନ୍ଦିର ମଧ୍ୟକୁ ଭୋଗ ନଡ଼ିଆ, ଧୂପ, ଦୀପ ଆଦି ନେଇପାରିବେ ନାହିଁ। ଏହା ଛଡା ଅନ୍ୟାଦେଶ ପର୍ଯ୍ୟନ୍ତ ମନ୍ଦିରରେ ବିବାହ ଓ ବ୍ରତ ଆଦି ମଧ୍ୟ ବନ୍ଦ ରହିବ। ସକାଳ ସାଢେ଼ ୭ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୪ଟାରୁ ୭ଟା ଯାଏଁ ମନ୍ଦିର ଖୋଲା ରହିବ।

କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ଯୁବପ୍ରତିଭାମାନଙ୍କୁ ତୃଣମୂଳସ୍ତରରୁ ପ୍ରତିପୋଷଣ କରି ଆନ୍ତର୍ଜାତିକ ମାନର କ୍ରୀଡ଼ାବିତ୍ କରି ଗଢ଼ି ତୋଳିବାକୁ, ରାଜ୍ୟର ୧୧୪ଟି ଅର୍ବାନ ଲୋକାଲ ବଡିରେ ୮୯ଟି ସ୍ଥାନରେ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍ ର ମଞ୍ଜୁରୀ ମିଳିଛି । ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଏହି ବଳିଷ୍ଠ ପଦକ୍ଷେପକୁ ବିଭିନ୍ନ ଜିଲ୍ଲାରେ ସ୍ବାଗତ କରାଯାଇଛି ।

 ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୨୦୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୭୩ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୯ ଲକ୍ଷ ୯୮ହଜାର ୧୫୮ରେ ପହଞ୍ଚିଛି। ହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୨୮ ହଜାର ୬୮୨ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୧ ଲକ୍ଷ ୮୦ହଜାର ୯୬୮ରେ ପହଁଚିଥିବା ବେଳେ ୩୮୮୫୦୮ଟି ସକ୍ରିୟ ମାମଲା ରହିଛି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଜ୍ଜଳା ଯୋଜନା-୨ର ଶୁଭାରମ୍ଭ କରିବେ । ଆର୍ଥିକ ଭାବେ ଅନଗ୍ରସର ପରିବାରକୁ କେନ୍ଦ୍ର ସରକାରଙ୍କ ଏହି ଯୋଜନା ଲାଭ ପହଂଚାଇବ । ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାର ଶୁଭାରମ୍ଭ ଉତ୍ତରପ୍ରଦେଶର ମହୋବାରୁ ଆଜି ଅପରାହ୍ନ ୧୨ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ କରିବେ । ଏହି କାର୍ଯ୍ୟକ୍ରମରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ ।

ଦେଶରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ବୁଲେଟ୍‌ ଟ୍ରେନ ସେବା । ଦିଲ୍ଲୀ ରୁ ବାରଣାସୀ ପର୍ଯ୍ୟନ୍ତ ଆରମ୍ଭ ହେବ ଏହି ସେବା । ଦେଶରେ ବୁଲେଟ୍ ଟ୍ରେନ୍‌ ଚଳାଇବାକୁ କାମ ଜାରି ରଖିଥିବା ସଂସ୍ଥା ନେସନାଲ ହାଇ ସ୍ପିଡ୍‌ ରେଲ୍‌ କର୍ପୋରେସେନ୍ ଲିମିଟେଡ୍‌ (NHSRCL) କହିବା ମୁତାବକ ସେପ୍ଟେମ୍ବର ମାସ ସୁଦ୍ଧା ଦିଲ୍ଲୀ-ବାରଣାସୀ କରିଡର କାମ ଶେଷ ହୋଇଯିବ । ଦିଲ୍ଲୀର ଖାନ ମାର୍କେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ପର୍ଯ୍ୟନ୍ତ ପ୍ରାୟ ୮୬୫ କି.ମି ରୁଟ୍‌ରେ ବୁଲେଟ ଟ୍ରେନ୍‌ ଚଳାଚଳ ହେବ ।

ହାଇଦ୍ରାବାଦ ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା କୁଳପତି ଏବଂ ବିଖ୍ୟାତ ପଦାର୍ଥବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ କହିଛନ୍ତି ଯେ କୋଭିଡ୍-୧୯ ସାରା ଦେଶରେ ଏବେ ଏକ ଭୟଙ୍କର ମୋଡ଼ ନେଉଛି। ଦୈନିକ ମୃତ୍ୟୁର ତଥ୍ୟକୁ ନେଇ ଡ. ଶ୍ରୀବାସ୍ତବ ଯେଉଁ କୋଭିଡ୍‌-୧୯ କର୍ଭ ବା ଗ୍ରାଫ୍ ପ୍ରସ୍ତୁତ କରିଛନ୍ତି, ତାହା ଏବେ ଦୁଇ ସପ୍ତାହ ହେଲା ଅଧିକ ଖରାପ ହେବାର ଜଣାଯାଇଛି। ଜୁଲାଇ ୨୪ରୁ ଅଗଷ୍ଟ ୭ ଏହି ୧୫ ଦିନ ଭିତରେ ଏହା ୧୦ଟି ମାମଲାରେ ପଜିଟିଭ୍ ହୋଇଥିଲା ବେଳେ ପରବର୍ତ୍ତୀ ୧୦ ଦିନ ଭିତରେ ୭ ଗୁଣ ଅଧିକ ପଜିଟିଭ୍ ହୋଇଥିଲା। ଏହାର ଅର୍ଥ ହେଉଛି, ସରକାରୀ ତଥ୍ୟ ଯାହା ବି ହେଉ ନାହା କାହିଁକି, ତୃତୀୟ ଲହର ଅଧିକ ଖରାପ ହେବାକୁ ଆରମ୍ଭ କରିଛି।

ମହାରାଷ୍ଟ୍ର ବିଭିନ୍ନ ଅଞ୍ଚଳରେ କରୋନା ପରେ ଏବେ ଭୟଙ୍କର ହେବାରେ ଲାଗିଛି ଜିକା ଭାଇରସ । ଜିକା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପୁଣେରେ ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ତତ୍ପର ହୋଇଉଠିଛି ପ୍ରଶାସନ । ଜିଲ୍ଲା ପ୍ରଶାସନ ପକ୍ଷରୁ ୭୯ଟି ଗାଁ ରେ ଜିକା ଭାଇରସ ଆଶଙ୍କା ରହିଥିବା କୁହାଯାଇଛି । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ  ଏହି ଗାଁ ଗୁଡିକରେ ଜରୁରୀକାଳୀନ ସେବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି ।

 ଜାମ୍ମୁ କାଶ୍ମୀର ଦକ୍ଷିଣ କାଶ୍ମୀର ସୋପିଆନରେ CRPF ଟିମ୍ ଉପରେ ଆକ୍ରମଣ କରିଛନ୍ତି ଆତଙ୍କବାଦୀ । ହମଲାରେ ଜଣେ ଯବାନ ଆହତ ହୋଇଛି । ଚିକିତ୍ସା ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥିସହିତ ଆକ୍ରମଣ ପରେ ତୁରନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଆତଙ୍କବାଦୀ । ସେମାନଙ୍କୁ ଖୋଜିବାକୁ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୪- ଲକ୍ଷ ୮୫ ହଜାର ୯୬୧ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୧୫ ହଜାର ୪୩୯ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୩୨ ଲକ୍ଷ ୬୯ ହଜାର ୮୭୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୬୫ ଲକ୍ଷ ୬୫୨ ଜଣ ଲୋକ ସକ୍ରିୟ ଅଛନ୍ତି ।

ଆମେରିକାରେ ସ୍ଥିତି ଜଟିଳ ହୋଇଛି। କରୋନାର ଡେଲ୍‌ଟା ଭାରିଆଣ୍ଟ ପାଇଁ ଆମେରିକାରେ ସଂକ୍ରମଣ ଭୟଙ୍କର ଭାବେ ବଢ଼ି ଚାଲିଛି। ଅଷ୍ଟିନ୍‌ରେ ସ୍ଥିତି ଅତ୍ୟନ୍ତ ସାଂଘାତିକ ହୋଇଯାଇଛି। ପ୍ରାୟ ୨.୪ ନିୟୁତ ଜନସଂଖ୍ୟା ବିଶିଷ୍ଟ ଅଷ୍ଟିନ୍‌ରେ ଏବେ ମାତ୍ର ୬ଟି ଆଇସିୟୁ ବେଡ୍‌ ଖାଲି ଅଛି। ମୋଟ୍‌ ୩୧୩ ଟି ଭେଣ୍ଟିଲେଟର ଉପଲବ୍ଧ ଅଛି। ଅଷ୍ଟିନ୍‌ରେ ଅତି ଖରାପ୍‌ ସ୍ଥିତି। ହସ୍ପିଟାଲ୍‌ ‌ଖୋଲା ଅଛି। କିନ୍ତୁ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ନାହିଁ। ଆମେରିକାରେ ଏବେ ଦୈନିକ ସଂକ୍ରମଣ ୧ ଲକ୍ଷରୁ ଅଧିକ ରହୁଥିବାବେଳେ ହସ୍ପିଟାଲ୍‌ରେ ଖୁବ୍‌ କମ୍‌ ବେଡ୍‌ ଉପଲବ୍ଧ ଅଛି।

ଜଳଚକ୍ରରେ ଘଟିବ ବଡ଼ ଧରଣର ପରିବର୍ତ୍ତନ। ଏହା ପ୍ରଭାବରେ ହେବ ମୂଷଳ ଧାରାର ବର୍ଷା ଏବଂ ଏହାପରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବ। କିଛି ସ୍ଥାନରେ ମରୁଡ଼ି ଦେଖାଦେବ। ସମୁଦ୍ର ପତନ ଲଗାତାର ବୃଦ୍ଧିପାଇବ ଯେଉଁଥିପାଇଁ ତଳିଆ ଅଞ୍ଚଳରେ ବଡ଼ଧରଣର ବନ୍ୟା ଏବଂ ମୃର୍ତ୍ତିକା କ୍ଷୟ ହେବ। ଯେଉଁ ଘଟଣା ଶହେ ବର୍ଷରେ ଥରେ ଲେଖାଏଁ ଘଟୁଥିଲା ତାହା ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ତାହା ପ୍ରତିବର୍ଷ ଦେଖାଦେଇ ପାରେ। ପୃଥିବୀରେ ରହିଥିବା ବରଫ ଚାଦର ତରଳିବା, ବାରମ୍ବାର ହିମସ୍ଖଳନ ଯୋଗୁ ସମୁଦ୍ରରେ ବ୍ୟାପକ ପରିବର୍ତ୍ତନ ଆଣିବ : ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‌ । ‌

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ଭୁବନେଶ୍ୱର ମହାନଗର ନିଗମର ସମସ୍ତ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଗୁଡିକ,ଅଗଷ୍ଟ ୨୩ ତାରିଖରୁ ଖୋଲିବ...

Tue Aug 10 , 2021
ସନ୍ତୋଷ ପଣ୍ଡା(ଭୁବନେଶ୍ୱର) ଭୁବନେଶ୍ୱର ମହାନଗର ନିଗମର ସମସ୍ତ ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଗୁଡିକ,ଅଗଷ୍ଟ ୨୩ ତାରିଖରୁ ଖୋଲିବ। ବିଏମ୍‌ସି ପକ୍ଷରୁ ଜାରି କରାଯାଇଥିବା ଗାଇଡ୍‌ଲାଇନ୍ ଅନୁଯାଇ କୋଭିଡ୍ ପ୍ରୋଟୋକଲ୍ ଭିତରେ ଏହି ସମସ୍ତ ଧର୍ମାନୁଷ୍ଠାନ ଖୋଲିଯିବ । ହେଲେ ଶ୍ରୀ ଲିଙ୍ଗରାଜ ମନ୍ଦିର ଖୋଲାଯିବା ନେଇ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେବେ । ଜାରି ଗାଇଡ୍‌ଲାଇନ୍ ଅନୁଯାଇ,ମନ୍ଦିର ଭିତରକୁ ଦର୍ଶନ ପାଇଁ ଭକ୍ତମାନେ ଯାଇ ପାରିବେ, ହେଲେ ଗର୍ଭଗୃହ ଭିତରକୁ […]

You May Like

Pin It on Pinterest