ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୭ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୬୯୭କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୧୧୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୮୫୩ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୯୭୩୫୭୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ସାମ୍ସ ପୋର୍ଟାଲରେ ଛାତ୍ରଛାତ୍ରୀମାନେ ନାମ ଲେଖାଇବାକୁ ଆବେଦନ କରିପାରିବେ। ଏଥିପାଇଁ ପୂର୍ବାହ୍ନ ୧୧ଟାରୁ ୱେବସାଇଟରେ ଆବେଦନପତ୍ର ମିଳିବ। ସେପ୍ଟେମ୍ବର ୫ ତାରିଖ ଆବେଦନର ଶେଷ ତାରିଖ ରଖାଯାଇଛି।
ଆଜିଠୁ ଖୋଲିଲା ଶ୍ରୀମନ୍ଦିର । ଆଜି ଓ କାଲି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ସେବାୟତଙ୍କ ପରିବାର । ଏଥିପାଇଁ ନିଜର ଭୋଟର କାର୍ଡ, ଆଧାର କାର୍ଡ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଯେକୌଣସି ପରିଚୟ ପତ୍ର ଦେଖାଇ ଶ୍ରୀମନ୍ଦିରକୁ ଯାଇପାରିବେ ସେବକ ପରିବାର । ସେହିପରି ଆସନ୍ତା ୧୬ରୁ ୨୦ ତାରିଖ ଭିତରେ ପୁରୀ ମୁନିସିପାଲିଟି ଅଂଚଳର ଲୋକେ ପର୍ଯ୍ୟାୟକ୍ରମେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ୨୩ ତାରିଖରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଯେଉଁ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବେ ସେମାନେ କୋଭିଡ କଟକଣା ମାନିବା ସହ କୋଭିଡ ନେଗେଟିଭ ରିପୋର୍ଟ କିମ୍ବା ଡବଲ ଡୋଜ ଟିକାର ପ୍ରମାଣପତ୍ର ସାଙ୍ଗରେ ଧରି ଆସିବେ।
ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକର ଟିକା କୋଭାକ୍ସିନକୁ ଚଳିତମାସ ଶେଷ ସୁଦ୍ଧା ଅର୍ନ୍ତରାଷ୍ଟ୍ରୀୟ ମଞ୍ଜୁରୀ ମିଳିପାରେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ପ୍ରତିନିଧୀ ମଣ୍ଡଳୀ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବେ । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀକାଳୀନ ବ୍ୟବହାର ତାଲିକାରେ ସ୍ଥାନ ପାଇବାକୁ ଭାରତ ବାୟୋଟେକ ବହୁପୂର୍ବରୁ ଆବେଦନ କରିଛି ।
ହିମାଚଳ ପ୍ରଦେଶର କିନ୍ନୋର ଜିଲ୍ଲାର ନିଗୁଲସରିରେ ଅଚାନକ ବଡ଼ ବଡ଼ ପଥର ଖଣ୍ଡ ରେକଙ୍ଗ୍ ପିଓ-ଶିମ୍ଲା ଜାତୀୟ ରାଜପଥରେ ପଡ଼ିବା ଦ୍ବାରା ଯାତ୍ରୀ ବସ୍, ଟ୍ରକ୍ ଏବଂ କେତେକ କାର୍ ପୋତି ହୋଇଯାଇଥିଲା। ଏନେଇ ଖବର ମିଳିବା ପରେ ଉଦ୍ଧାର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଆଇଟିବିପି, ସ୍ଥାନୀୟ ପୁଲିସ ଏବଂ ଏନ୍ଡିଆରଏଫ୍ ଟିମ। ଗତକାଲି ୧୧ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଆଉ ୨ଜଣଙ୍କୁ ଉଦ୍ଧାର କରାଯାଇଛି। ଫଳରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି ।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା ‘ଇସ୍ରୋ’ର ଚଳିତ ବର୍ଷର ଦ୍ବିତୀୟ ମିସନ୍ ବୈଷୟିକ ତୃଟି ଯୋଗୁଁ ବିଫଳ ହୋଇଯାଇଛି । ଜିଏସଏଲଭି ଏଫ୍ ୧୦ ରକେଟ୍ ମାଧ୍ୟମରେ ଏକ ପର୍ଯ୍ୟବେକ୍ଷଣ ଉପଗ୍ରହକୁ ପୃଥିବୀର କକ୍ଷପଥରେ ଅବସ୍ଥାପିତ କରିବା ସମ୍ଭବ ହୋଇ ପାରିନାହିଁ। ଆଜି ଇସ୍ରୋ ଅଧ୍ୟକ୍ଷ କେ.ଶିବନ୍ ଏହି ସୂଚନା ଦେଇଛନ୍ତି।
ହିମାଚଳ ପ୍ରଦେଶରେ ଭୀଷଣ ବର୍ଷା ଓ ଭୂସ୍ଖଳନ ମଧ୍ୟରେ ଭୂକମ୍ପ ଝଟକା ଲାଗିଛି। ରାଜଧାନୀ ଶିମଲାରେ ସକାଳେ ୮ଟା ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଶିମଲା ପାଣିପାଗ ବିଭାଗ ଏନେଇ ସ୍ପଷ୍ଟ କରିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୮ ଥିଲା। ଭୂକମ୍ପ କେନ୍ଦ୍ର ଶିମଲାଠୁ ୧୦ କିଲୋମିଟର ଦୂର ଥିଲା ବୋଲି କୁହାଯାଇଛି।
ବିଶ୍ବରେ ଓଡ଼ିଶା ଷଷ୍ଠ ସାମୁଦ୍ରିକ ବାତ୍ୟା ପ୍ରବଣ ରାଜ୍ୟ। ଦେଶରେ ସମୁଦାୟ ଉପକୂଳର ପ୍ରାୟ ୧୭ ପ୍ରତିଶତ ଓଡ଼ିଶାରେ ଥିଲେ ହେଁ, ରାଜ୍ୟ କିନ୍ତୁ ୩୫ ପ୍ରତିଶତ ବାତ୍ୟା ଓ ଜୁଆରର ସମ୍ମୁଖୀନ ହେଉଛି। ଗତ ୧୦ବର୍ଷରେ ୭ଟି ପ୍ରବଳରୁ ଅତି ପ୍ରବଳ ସାମୁଦ୍ରିକ ବାତ୍ୟା ଓଡ଼ିଶା ଉପକୂଳ ଦେଇ ଗତି କରିଛି। ଏସବୁ ବାତ୍ୟା ସମୟରେ ପ୍ରାୟ ୩.୫ ମିଟରରୁ ୪.୫ ମିଟର ସାମୁଦ୍ରିକ ଜୁଆର ଆସିଛି। ବହୁ ଅଞ୍ଚଳରେ ଲୁଣାପାଣି ମାଡ଼ି ଯାଇଛି। ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭେଦୀ ପ୍ରକଳ୍ପ ପ୍ରସ୍ତୁତ କରିବା ଲାଗି ଜଳ ସଂପଦ ବିଭାଗକୁ ନିର୍ଦେଶ ଦିଆଯାଇଛି।
ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨୦ କୋଟି ୪୪ ଲକ୍ଷ ୧୧ ହଜାର ୬୨୩ ଜଣ ଲୋକ କରୋନା ରେ ସଂକ୍ରମିତ ହୋଇସାରିଥିବା ବେଳେ ୪୩ ଲକ୍ଷ ୩୬ ହଜାର ୪୩୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ୧୮ କୋଟି ୪୪ ଲକ୍ଷ ୨୫ ହଜାର ୨୩୭ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୬୬ ଲକ୍ଷ ୪୯ ହଜାର ୯୫୬ ଜଣ ଲୋକ ସକ୍ରିୟ ଅଛନ୍ତି ।
ଜଳବାୟୁ ପରିବର୍ତ୍ତନ ଉପରେ ଜାତିସଂଘର ଆନ୍ତଃସରକାରୀ ପ୍ୟାନେଲ୍ (ଆଇପିସିସି)ର ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ, ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ବ ତାପମାତ୍ରା ୧.୫ ଡିଗ୍ରୀ ସେଲ୍ସିୟସ୍ ବା ତତୋଽଧିକ ବୃଦ୍ଧି ପାଇବ। ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ଅନେକ ଅନୁକୂଳ ଦୃଶ୍ୟପଟ ପରିଦୃଶ୍ୟ ହେଲେ ମଧ୍ୟ ଏହା ଭାରତ ପାଇଁ ଚରମ ଚେତାବନୀ। କାରଣ ଅନେକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଗତ ଶତାବ୍ଦୀ ଭିତରେ ମାତ୍ର ୦.୬ ଡିଗ୍ରୀ ଉତ୍ତାପ ବୃଦ୍ଧି ଯୋଗୁ ୧୯୫୦ ପରଠାରୁ ମାତ୍ରାଧିକ ବର୍ଷା ଓ ବନ୍ୟା ତିନିଗୁଣ ବୃଦ୍ଧି ପାଇଛି । ଅନ୍ତର୍ଜାତୀୟ ବିପର୍ଯ୍ୟୟ ଡାଟାବେସ୍ (ଇଏମ୍-ଡିଏଟି) ଅନୁସାରେ ୧୯୫୦ରୁ ୨୦୧୦ ଭିତରେ ଭାରତରେ ବନ୍ୟା ସଂଖ୍ୟା ପାଞ୍ଚରୁ ଛଅଗୁଣ ଏବଂ ଅବଶିଷ୍ଟ ଦକ୍ଷିଣ ଏସିଆରେ ଆଠରୁ ଦଶଗୁଣ ବୃଦ୍ଧି ପାଇଛି।
ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଦଖଲ କରୁଛି ତାଲିବାନ ସଂଗଠନ । ଏହିକ୍ରମରେ ଆସନ୍ତା ୩୦ ଦିନ ମଧ୍ୟରେ ସଂଗଠନ ଆଫଗାନିସ୍ତାନର ରାଜଧାନୀ କାବୁଲରେ ନିଜର ଦବଦବା ଦେଖାଇବ। ଏହାପରେ ୯୦ ଦିନ ମଧ୍ୟରେ ପୂରା କାବୁଲକୁ ନିଜ ନିୟନ୍ତ୍ରଣକୁ ନେଇଯିବ ବୋଲି ଆମେରିକା ଗୁଇନ୍ଦା ବିଭାଗର ରିପୋର୍ଟରେ ଆଶଙ୍କା ପ୍ରକାଶ କରାଯାଇଛି।
ଆଫଗାନିସ୍ତାନର ୮ ପ୍ରାଦେଶିକ ସହରକୁ ନିଜ ନିୟନ୍ତ୍ରଣକୁ ନେଇ ସାରିଥିବା ତାଲିବାନ୍ ଏବେ ଭାରତ ଆଫଗାନିସ୍ତାନକୁ ଉପହାର ଦେଇଥିବା ଏମ-୩୫ ଚପରକୁ ନିଜ ଅକ୍ତିଆରକୁ ନେଇଥିବା ଜଣାପଡ଼ିଛି । ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେଉଛି, ଯେଉଁଥିରୁ ଏହି ଖବର ସାମ୍ନାକୁ ଆସିଛି । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।