ଆଜିର ଖାସ୍ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୬୮ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୬୯୫୩କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୯୫୪୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୧୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୯୭୮୨୪୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ବରଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି । ଶ୍ରଦ୍ଧାଳୁମାନେ କୋଭିଡର ସମସ୍ତ କଟକଣାରେ ଠାକୁରଙ୍କୁ ଦର୍ଶନ କରୁଛନ୍ତି ।

ଆସନ୍ତା ୪୮ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲ୍ଲା ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର ଓ ମୟୁରଭଞ୍ଜଠାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳବର୍ତ୍ତୀ ଅଞ୍ଚଳ, କନ୍ଧମାଳ, ଢେଙ୍କାନାଳ, ନୁଆପଡ଼ା, ବଲାଙ୍ଗିର ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ୧୬ , ୧୭ ଓ ୧୮ , ତିନି ଦିନ ଧରି ବର୍ଷା ହେବ: ଆଞ୍ଚଳିକ ପାଣିପାଗ ବିଭାଗ ।

ନନ୍ଦନକାନନ ପ୍ରାଣୀଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଚାଲିବ ସଫାରୀ ବସ। ପର୍ଯ୍ୟଟକମାନେ ନନ୍ଦନକାନନର ପଛପଟ ୯ ନମ୍ବର ଗେଟ ସଫାରୀ ବସ ଷ୍ଟାଣ୍ଡ ଠାରେ ଟିକେଟ କାଟି ୪ ଟି ସଫାରୀର ମଜା ନେଇପାରିବେ। ପ୍ରଥମେ ୩୪ଟି ସିଟ ବିଶିଷ୍ଟ ୨ଟି ସଫାରୀ ବସକୁ ଚାଲୁ କରାଯିବ। ପ୍ରତି ପଯ୍ୟଟକଙ୍କ ପାଇଁ ୬୦ଟଙ୍କା ସଫାରୀ ଟିକେଟ ଧାର୍ଯ୍ୟ ରଖାଯାଇଛି ।

ଆଜିଠୁ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ କ୍ଲାସ୍ ଆରମ୍ଭ ହୋଇଛି। ସକାଳ ୯ଟାରୁ ଦିନ ୧୨ଟା ୩୦ ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ହେବ। ବିଦ୍ୟାଳୟରେ କରୋନା କଟକଣା ମଧ୍ୟରେ ଶିକ୍ଷାଦାନ କରାଯାଉଛି । ବିଏସଇ, ସିବିଏସଇ ଓ ଆଇସିଏସଇ ଏବଂ ରାଜ୍ୟ ସରକାରଙ୍କ ଅନୁମୋଦିତ ଅନ୍ୟାନ୍ୟ ବୋର୍ଡ ଅନ୍ତର୍ଗତ ସମସ୍ତ ସ୍କୁଲରେ ଆରମ୍ଭ ହୋଇଛି ନବମ ଶ୍ରେଣୀର ପାଠପଢ଼ା ।

କୋଟିଆରେ ଜଟିଳ ହେଉଛି ପରିସ୍ଥିତି । ଆଜି କୋଟିଆର ଫାଟୁସେନେରି ଓ ଫଗୁଣ ସେନେରିରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବୃକ୍ଷରୋପଣ, ଅଙ୍ଗନବାଡି କେନ୍ଦ୍ର ଉଦଘାଟନ ଭଳି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ରହିଛି । ତେବେ କୋଟିଆରେ ଆନ୍ଧ୍ରର ଏପରି ଯୋଜନାକୁ ବିରୋଧ କରିଛନ୍ତି ଓଡିଶାର ବିଭିନ୍ନ ସାମାଜିକ ସଙ୍ଗଠନ ଓ ରାଜନୈତିକ ଦଳ । କୌଣସି ପରିସ୍ଥିତିରେ ଆନ୍ଧ୍ରର ଅଧିକାରୀମାନଙ୍କୁ କୋଟିଆରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ଚେତାବନୀ ଦିଆଯାଇଛି । ତେଣୁ ଆନ୍ଧ୍ରର ଏପରି ଚାଲ୍‌କୁ କାଉଣ୍ଟର କରିବାକୁ ଆଜି କୋଟିଆ ଗସ୍ତ କରୁଛନ୍ତି ସର୍ବଦଳିୟ କମିଟି ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୯୩୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୧୭ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୨୨ ଲକ୍ଷ ୨୫ହଜାର ୫୧୩ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୩୧ ହଜାର ୬୪୨ରେ ପହଞ୍ଚିଛି। ସମୁଦାୟ ଆରୋଗ୍ୟ ସଂଖ୍ୟା ୩ କୋଟି ୧୪ ଲକ୍ଷ ୧୧ହଜାର ୯୨୪ରେ ପହଁଚିଥିବା ବେଳେ ୩୮୧୯୪୭ଟି ସକ୍ରିୟ ମାମଲା ରହିଛି ।

ମେଘାଳୟ ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମାଙ୍କ ଘର ଉପରେ ପେଟ୍ରୋଲ ବୋମା ଫିଙ୍ଗାଯାଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ । ମେଘାଳୟର ପୂର୍ବତନ ବିଦ୍ରୋହୀ ନେତା ଚେରିଶଷ୍ଟାରଫିଲ୍ଡ ଥାଙ୍ଗଖ୍ୟୁଙ୍କ ମୃତ୍ୟୁ ପରେ କିଛି ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଥିବା ଆଶଙ୍କା କରାଯାଉଛି । ଏହାମଧ୍ୟରେ ଦୁର୍ବୃତ୍ତମାନେ ଥ୍ରୀମାଇଲ୍ ସିଲଂ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ବାସଭାବନ ଉପରେ ପେଟ୍ରୋଲ ବମ୍ ମାଡ କରିଛନ୍ତି । ତେବେ ଏହି ଘଟଣା ପରେ ସିଲଂରେ କର୍ଫ୍ୟୁ ଲଗାଯାଇଛି । ରାଜ୍ୟର ଅନେକ ସହରରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି । ଏହି କର୍ଫ୍ୟୁ ଅଗଷ୍ଟ ୧୭ ଯାଏଁ ଜାରି ରହିବ ବୋଲି ସରକାର କହିଛନ୍ତି ।

ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ତାଙ୍କ ସ୍ମୃତିରେ ଅଟଳ ସମାଦୀରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ମ୍ୟୁଜିକ ରିୟଲିଟି ସୋ’ ‘ଇଣ୍ଡିଆନ୍ ଆଇଡଲ୍’ର ୧୨ତମ ସଂସ୍କରଣର ବିଜେତା ହୋଇଛନ୍ତି ସୁଗାୟକ ପୱନଦୀପ୍ ରାଜନ୍। ସେ ପୁରସ୍କାର ସ୍ବରୂପ ‘ଇଣ୍ଡିଆନ୍ ଆଇଡଲ୍’ ଟ୍ରଫି ସହ ୨୫ଲକ୍ଷ ଟଙ୍କା ଏବଂ ମାରୁତୀ ସୁଇଫ୍ଟ କାର ପାଇଛନ୍ତି । ଏହି ସୋ’ରେ ଅରୁଣିତା କାଞ୍ଜିଲାଲ୍ ଓ ସାୟଲି କମ୍ବଲେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ରନର୍ସ-ଅପ୍ ହୋଇ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଛନ୍ତି।

ଶନିବାର ହାଇତିରେ ଶକ୍ତିଶାଳୀ ଭୂକମ୍ପରେ ଅନେକ ସହର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ୭.୨ ତୀବ୍ରତାରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିବାରୁ ବଡ ବଡ ଅଟ୍ଟାଳିକା ଭୂଷୁଡି ପଡିଥିଲା । ଫଳରେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି । ଏଯାଏଁ ୧୨୦୦ ଲୋକ ମୃତ୍ୟୁ ହୋଇ ସାରିଛି । ଅତିକମରେ ୨୮୦୦ ଲୋକ ଆହତ ବି ହୋଇଛନ୍ତି ।

ଆଫଗାନିସ୍ତାନ ଉପରେ ତାଲିବାନ ସଂପୂର୍ଣ୍ଣ ଭାବେ ନିଜର ଆଧିପତ୍ୟ ବିସ୍ତାର କରିଛି । ରବିବାର ବିଳମ୍ବିତ ରାତିରେ ସରକାର ଗଢ଼ିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛି । ଏହି ଘୋଷଣା ପରେ ବିଶ୍ୱ ପାଇଁ ସତର୍କ ଘଣ୍ଟି ବାଜିଛି । ଆଫଗାନିସ୍ତାନରେ ଫସିଥିବା ନିଜ ନିଜ ନାଗରିକଙ୍କୁ ଏବଂ ରାଷ୍ଟ୍ରଦୂତଙ୍କ ବାହାର କରିବା ପାଇଁ ଯୋଜନା ଆରମ୍ଭ କରିଦେଇଛନ୍ତି ବିଭିନ୍ନ ଦେଶ । 

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଦେଶ ଛାଡି ପଳାଇଥିବା ରାଷ୍ଟ୍ରପତି ଅଶରଫ ଘନି ବିଳମ୍ବିତ ରାତିରେ ଫେସବୁକରେ ପୋଷ୍ଟ କରି ନିଜ ଦେଶ ଛାଡିବାର କାରଣ ସ୍ପଷ୍ଟ କରିଛନ୍ତି। ସେ ଥିଲେ ଆଫଗାନିସ୍ତାନରେ ରକ୍ତପାତ ପରିସ୍ଥିତି ଉପୁଜିଥାନ୍ତା ସେ କିନ୍ତୁ ଏଭଳି ହଉ ବୋଲି ଚାହୁଁନଥିଲେ । ସେଥିପାଇଁ ସେ ଦେଶ ଛାଡ଼ି ପଳାଇ ଆସିଛନ୍ତି ବୋଲି ଫେସବୁକ ପୋଷ୍ଟ ଜରିଆରେ ଅଶରଫ ଘନି ଲେଖିଛନ୍ତି।

ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରିବା ପରେ ରାଷ୍ଟ୍ରପତି ଭବନକୁ ନିଜ ଅକ୍ତିଆରକୁ ନେଇଛି । ଏବେ ରାଷ୍ଟ୍ରପତି ଭବନକୁ ନିଜ କବଜାକୁ ନେଇ ତାଲିବାନ ଖୁବ ଶୀଘ୍ର ଦେଶକୁ ‘ଇସଲାମିକ୍ ଏମିରେଟ୍ ଅଫ୍ ଆଫଗାନିସ୍ତାନ’ ନାମରେ ନାମିତ କରିବ । ଏହା ସହ ୨୦ବର୍ଷ ପରେ ପୁଣି କ୍ଷମତାକୁ ଫେରିଛି ତାଲିବାନ। ୧୯୯୬-୨୦୦୧ ପର୍ଯ୍ୟନ୍ତ ତାଲିବାନ ଆଫଗାନିସ୍ତାନରେ କ୍ଷମତାରେ ଥିଲା ।

ଆଫଗାନିସ୍ତାନ ଏବେ ତାଲିବାନ ହାତରେ ଥିବା ବେଳେ ଆମେରିକା ଆଫଗାନିସ୍ତାନରେ ଫସି ରହିଥିବା ନିଜ ନାଗରିକ ତଥା ଏହାର ବନ୍ଧୁ ତଥା ସହଯୋଗୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତତର କରିବା ପାଇଁ କାବୁଲ ବିମାନବନ୍ଦରରେ ପ୍ରାୟ ୬,୦୦୦ ସୈନ୍ୟ ନିୟୋଜିତ କରିବ ।

ଆଫଗାନିସ୍ତାନ ରାଜଧାନୀ କାବୁଲରୁ ଶତାଧିକ ଯାତ୍ରୀଙ୍କୁ ଧରି ଏୟାର ଇଣ୍ଡିଆର ବିମାନ ନୂଆଦିଲ୍ଲୀରେ ଓହ୍ଲାଇଛି। ଏହି ବିମାନରେ ମୋଟ୍ ୧୨୯ ଜଣ ଯାତ୍ରୀ  ଭାରତ ଫେରିଛନ୍ତି ଓ ଅଧିକାଂଶ ଭାରତୀୟ ବୋଲି ଜଣାପଡ଼ିଛି । କାବୁଲକୁ ତାଲିବାନ ଦଖଲ କରିନେବା ପରେ ସହରର ସୁରକ୍ଷା ବିପନ୍ନ ହୋଇପଡ଼ିଛି । ଯଦିଓ କାବୁଲ ଏୟାରପୋର୍ଟ ଏବେ ବି ଆମେରିକା ସେନା ଅଧିନରେ ରହିଛି, କିନ୍ତୁ  ଆଫଗାନିସ୍ତାନ ଆକାଶ ଅସୁରକ୍ଷିତ ହୋଇପଡ଼ିଥିବାରୁ ବେସାମରିକ ବିମାନ ଚଳାଇବା ବିପଦପୂର୍ଣ୍ଣ ହୋଇପଡ଼ିଛି ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

କଟକରୁ ଏସି ଲୁଟେରା ଗିରଫ..

Tue Aug 17 , 2021
କଟକ:(ଦୀପକ୍ କୁମାର ବେଉରା) ଏସି ଲୁଟେରାଙ୍କୁ ଧରିବାରେ ସଫଳ ହେଇଛି ଦରଘା ବଜାର ପୋଲିସ । ଲକଡାଉନ୍ ସମୟରେ ଗୋଦାମରୁ ଚୋରି ହୋଇଥିବା ଏସି ଜବତ କରିଛି ପୋଲିସ । ଏଥିସହ ମାମଲାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛନ୍ତି ।୧୯ଟି ଦାମିକିଆ ଏସି ଜବତ ସହ ୩ ଜଣଙ୍କୁ ଗିରଫ କରିଛି ଦରଘା ବଜାର ପୋଲିସ । କଟକ ଏକ ଏସି ଗୋଦାମରୁ ଗୋଦାମର ଜଣେ କର୍ମଚାରୀ ବିକ୍ରମ […]

You May Like

Pin It on Pinterest