
ବବିତା ସାମଲ(ଭଦ୍ରକ):୨୩/୦୮:-କଟକ ଭିଜିଲାନ୍ସ ସେଲ ପକ୍ଷରୁ ଭଦ୍ରକ ଜିଲ୍ଲା ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡାଙ୍କୁ, ସୋମବାର ପୂର୍ବାହ୍ନରେ ମାରାଥନ୍ ଜେରା କରାଯାଇଛି ।୨ ଜଣ ଡିଏସପି ଓ ଜଣେ ଇନ୍ସେକ୍ଟରଙ୍କ ସମେତ ୧୧ ଜଣିଆ ଟିମ୍ ତିହିଡି ତହସିଲ କାର୍ଯ୍ୟାଳୟରେ ଏହି ଜେରାରେ ସାମିଲ ହୋଇଥିଲେ ।
କଟକ ଭିଜିଲାନ୍ସ ଟିମ୍ ପ୍ରାୟ ଅଢେଇ ଘଣ୍ଟା ଜେରା ପରେ ଶ୍ରୀ ପଣ୍ଡାଙ୍କୁ କଟକ ନେଇ ଯାଇଥିବା ଜଣାଯାଇଛି । ଏଥିସହ ଶ୍ରୀ ପଣ୍ଡାଙ୍କ ସିମୁଳିଆ ବ୍ଲକ ଅଧିନ ପାନବରଜସ୍ତ ଘରେ ସକାଳୁ ଯାଞ୍ଚ କରାଯାଇ ଶ୍ରୀ ପଣ୍ଡାଙ୍କୁ ସାଥିରେ ଧରି ତିହିଡି ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ । ସୂଚନା ମୁତାବକ, ଜଗତସିଂହ ଜିଲ୍ଲା କୁଜଙ୍ଗ ତହସିଲଦାର ଭାବେ କାର୍ଯ୍ୟ କରୁଥିବା ବେଳେ ରମେଶ ଚନ୍ଦ୍ର ପଣ୍ଡାଙ୍କ ବିରୋଧରେ ବସୁନ୍ଧରା ଯୋଜନାରେ ଜମି କେଳେଙ୍କାରୀ ଘଟଣାରେ କଟକ ଭିଜିଲାନ୍ସ ସେଲ୍ ପକ୍ଷରୁ ଚଳିତ ମାସ ୨୨ ତାରିଖରେ ଏକ ମାମଲା ରୁଜୁ କରାଯାଇଛି ।

ଶ୍ରୀ ପଣ୍ଡାଙ୍କ ସହିତ ଏହି ଘଟଣାରେ ଜଡିତ ବିଭିନ୍ନ ସ୍ଥାନରେ ଏକକାଳୀନଭାବେ ୫ ଜଣଙ୍କୁ ମଧ୍ୟ ଜେରା କରାଯାଇଛି । ବସୁନ୍ଧରା ଯୋଜନାରେ ଅଯୋଗ୍ୟଙ୍କୁ ସାମିଲ କରାଯାଇ ମୁଲ୍ୟବାନ ଜମି ପ୍ରଦାନ କରାଯାଇଥିବା ପରି ସଂଗୀନ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି । ଉକ୍ତ କେଳେଙ୍କାରୀରେ ଜଡିତ ଜଗତସିଂ ଜିଲ୍ଲାର ଅବସରପ୍ରାପ୍ତ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ପୂର୍ବତନ ଝିମାନୀ ଆରଆଇ ସନ୍ତୋଷ କୁମାର ମଲ୍ଲିକ, ପୂର୍ବତନ ପାରାଦ୍ୱୀପଗଡ ଆରଆଇ ନରେନ୍ଦ୍ର କୁମାର ଲେଙ୍କା, ପୂର୍ବତନ କୁଜଙ୍ଗ ଆରଆଇ ସୁବାଶ ଚନ୍ଦ୍ର ଦାସ ଓ ପୂର୍ବତନ ପାଣ୍ଡୁଆ ଆରଆଇ ଯତିଭୁଷଣ ବାରିକଙ୍କୁ ଏକକାଳୀନ ଜେରା କରାଯାଇ କେଶ ମୁତାବକ ତଥ୍ୟ ହାସଲ କରାଯାଇଥିବା ଜଣାଯାଇଛି ।
ତେବେ ଏହି ଭିଜିଲାନ୍ସ ଟିମ୍ ପକ୍ଷରୁ ମିଡିଆକୁ କୌଣସି ସୂଚନା ଦିଆଯାଇନଥିବା ବେଳେ ଘଟଣାର ଭିତିରି ରହସ୍ୟ ଆହୁରି ଅଧିକ ରହିଥିବା ସନ୍ଦେହ ସୃଷ୍ଟି ହେଉଛି । ମୋଟ ଉପରେ କଟକ ଭିଜିଲାନ୍ସ ସେଲ ପକ୍ଷରୁ ଏହି ଘଟଣାରେ ୯ଟିମ୍ ସାମିଲ ହୋଇଥିଲେ । ଜଣେ ଅତିରିକ୍ତ ଏସପିଙ୍କ ସମେତ ୧୧ ଜଣ ଡିଏସପି ଓ ୬ ଜଣ ଇନ୍ସେକ୍ଟର ସାମିଲ ହୋଇଥିଲେ ।



