ଆଜିର ଖାସ୍ ଖବର

 ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୯୮କୁ ବୃଦ୍ଧି ପାଇଛି ।  ୬୪୯ ଜଣ କରୋନା ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୩ ଜଣ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୧୬୩୬୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୬୯୫୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୦୧୨୫୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଶନିବାର ସକାଳେ ଅଧିକ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି। ଏହି ଲଘୁଚାପ କ୍ଷେତ୍ର ଆସନ୍ତା ୪୮ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଧୀରେଧୀରେ ଅଧିକ ଘନୀଭୂତ ହୋଇ ଅବପା‌ତରେ ପରିଣତ ହେବ। ଏହାର ପ୍ରଭାବରେ ରବିବାର ଦିନ ରାଜ୍ୟର ୮ ଜିଲ୍ଲା ପୁରୀ, ଖୋର୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନାକୁ ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି

‘କଳିଙ୍ଗ ଲିଟେରାରି ଫେଷ୍ଟିଭାଲ୍‌’ (କେଏଲ୍‌ଏଫ୍‌) ୨୦୨୦-୨୧ ବର୍ଷର ‘କେଏଲ୍‌ଏଫ୍‌ ବୁକ୍‌ ଆୱାର୍ଡ’ ଘୋଷଣା କରିଛି। ପ୍ରକାଶକମାନେ ଦାଖଲ କରିଥିବା ସବୁ ବର୍ଗରୁ ପୁସ୍ତକଗୁଡ଼ିକୁ ଚୟନ କରାଯାଇଛି । ପୁରସ୍କାର ପାଇଁ ମନୋନୀତ ପୁସ୍ତକଗୁଡ଼ିକ କେତେକ ଗୁରୁତ୍ବପୂର୍ଣ୍ଣ ପୁସ୍ତକ ହେଉଛି, ଅମିତାଭ ଘୋଷଙ୍କ ‘ଜଙ୍ଗଲ୍‌ନାମା’, ବୈଦେଶିକ ବ୍ୟାପାରମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ‘ଦି ଇଣ୍ଡିଆ ୱେ: ଷ୍ଟ୍ରଟେଜିସ୍ ଫର୍‌ ଆନ୍‌ ଅନ୍‌ସର୍ଟନ୍‌ ୱାର୍ଲଡ୍‌’, ଗୋପାଳକୃଷ୍ଣ ଗାନ୍ଧିଙ୍କ ‘ରେଷ୍ଟ୍‌ଲେସ୍‌ ଆଜ୍‌ ମର୍କ୍ୟୁରି: ମାଇଁ ଲାଇଫ୍‌ ଆଜ୍ ଏ ୟଙ୍ଗ୍‌ ମ୍ୟାନ୍‌ ମୋହନଦାସ କରମଚାନ୍ଦ ଗାନ୍ଧୀ’ ଗୁଲ୍‌ଜାର୍‌ଙ୍କ ‘ଏ ପୋଏମ୍‌ ଏ ଡେ’, ସନ୍ଦୀପ ବାମଜାଇଙ୍କ ‘ପ୍ରିନସେସ୍ତାନ: ହାଓ ନେହେରୁ, ପଟେଲ୍‌ ଆଣ୍ଡ୍‌ ମାଉଣ୍ଟବେଟେନ୍‌ ମେଡ୍‌ ଇଣ୍ଡିଆ’, ଶଶୀ ଥରୁର ଏବଂ ସମୀର ଶରଣଙ୍କ ‘ଦି ନିଉ ୱାର୍ଲଡ୍‌ ଡିଜ୍ଅର୍ଡର୍‌’, ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ଏବଂ ମୀନା ଆୟେର୍‌ଙ୍କ ‘ଆଇ ଆମ୍‌ ନୋ ମେସିହା’ ।

କରୋନା ନିୟମକୁ ଫୁ କରି ଖାରବେଳନଗର ଅଞ୍ଚଳ ରେ ଥିବା ମ୍ୟାଡ୍‌ ମୁଲ୍‌ ବାର୍‌ । ପୁଲିସ ଓ ବିଏମ୍‌ସି ସେଠାରେ ଚଢ଼ଉ କରି ବାର୍‌କୁ ସିଲ୍‌ କରିଛନ୍ତି । ବାର ମ୍ୟାନେଜରଙ୍କୁ ଖାରବେଳ ନଗର ଥାନାରେ ଅଟକ ରଖିଛି ପୁଲିସ । ମ୍ୟାଡ ମୁଲ ବାର ରାତି ୧ ଟା ପର୍ଯ୍ୟନ୍ତ ଖୋଲା ରହୁଥିଲା । ଖବର ପାଇ ପୁଲିସ୍‌ ଓ ବିଏମ୍‌ସି ଚଢ଼ଉ ବେଳେ ଦେଖିବାକୁ ପାଇଥିଲେ ନିଶାଶକ୍ତ ହୋଇ ବାର୍‌ ଭିତରେ ମତୁଆଲା ଥିଲେ ଅନେକ ଯୁବକ ଯୁବତୀ । ସବୁ ଠାରୁ ବଡ଼ କଥା ହେଲା ଏହି ବାର୍‌ର ମ୍ୟୁଜିକ୍‌ ଲାଇସେନ୍ସ ନାହିଁ ।

ଦେଶରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ୨୦୨ଟି ସହରର ୩୮୬୨ଟି କେନ୍ଦ୍ରରେ ପରୀକ୍ଷା ଦେବେ।ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶାର ୧୬ଟି ସହରରେ ୩୭ ହଜାରରୁ ଅଧିକ ପରୀକ୍ଷାର୍ଥୀ ରହିଛନ୍ତି। ୨ଟାରୁ ୫ଟା ପର୍ଯ୍ୟନ୍ତ ପେନ୍ ଓ ପେପର ମୋଡ୍ ରେ ହେବ । ଅନୁଗୁଳ ସମେତ ଭୁବନେଶ୍ବର, ବାଲେଶ୍ବର, ବ୍ରହ୍ମପୁର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନୀପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା, ପୁରୀ ସହରରେ ୮୩ଟି ପରୀକ୍ଷା କେନ୍ଦ୍ର ହୋଇଛି। ଏଥିସହ କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ନିୟମାବଳି ଜାରି କରାଯାଇଛି।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୮୫୯୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୩୨ ଲକ୍ଷ ୩୬ ହଜାର ୯୨୧ରେ ପହଞ୍ଚିଛି । ଏହା ବ୍ୟତୀତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୪୨ ହଜାର ୬୫୫ରେ ପହଞ୍ଚିଛି। ଏବେ ଦେଶରେ ୩୮୪୯୨୧ ସକ୍ରିୟ ମାମଲା ରହିଥିବା ବେଳେ ୩୨୪୦୯୩୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଦେଶରେ କରୋନା ସଂକ୍ରମଣ ଜନୀତ ମୃତ୍ୟୁକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଇଣ୍ଡିଆନ୍‌ କାଉନସିଲ ଅଫଫ୍‌ ମେଡିକାଲ ରିସର୍ଚ୍ଚ (ICMR) ପକ୍ଷରୁ ରାଜ୍ୟ ସରକାରଗୁଡିକୁ ନିର୍ଦେଶନାମା ଜାରି କରାଯାଇଛି । ସୁପ୍ରିମକୋର୍ଟଙ୍କ ଆଦେଶ ଅନୁସାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଯଦି କୌଣସି ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୁଏ ତେବେ ମୃତ୍ୟୁ ପ୍ରମାଣପତ୍ର ( ଡେଥ୍‌ ସାର୍ଟିଫିକେଟ୍‌)ରେ ‘କରୋନାରେ ମୃତ୍ୟୁ’ ଲେଖିବା ଜରୁରୀ ।ଏହା ସହିତ ଯେଉଁ ବ୍ୟକ୍ତିଙ୍କର କରୋନାରେ ମୃତ୍ୟୁ ହୋଇସାରିଛି ସେମାନଙ୍କ ପରିବାରେ ଲୋକେ ମଧ୍ୟ ନୂଆ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିପାରିବେ । ଏ ନେଇ ଦେଶର ସମସ୍ତ ଜିଲ୍ଲାରେ ଏକ କମିଟି ଗଠନ କରାଯିବ । ଏହି କମିଟି ଆବେଦନ କରିବାର ୩୦ ଦିନ ମଧ୍ୟରେ ନୂଆ କୋଭିଡ୍‌ ମୃତ୍ୟୁ ସାର୍ଟିଫିକେଟ କିମ୍ବା ସଂଶୋଧନ କୋଭିଡ୍ ସାର୍ଟିଫିକେଟ୍‌ ପ୍ରଦାନ କରିବା ନେଇ ନିଷ୍ପତ୍ତି ନେବେ ।

‘ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ’ରେ (ସିଆଇଏସ୍‌ଏଫ୍‌) ସବ୍‌ଇନ୍‌ପେକ୍ଟର୍‌ ଥିବା ଗୀତା ସମୋତା ସଫଳତାର ସହ ଆଫ୍ରିକାର ଉଚ୍ଚତମ ପର୍ବତ ଶୃଙ୍ଗ ‘କିଲିମାଞ୍ଜାରୋ’ ଶନିବାର ଦିନ ଆରୋହଣ କରିଥିବା କଥା ତାଞ୍ଜାନିଆସ୍ଥିତ ଭାରତୀୟ ହାଇକମିସନର୍‌ ବିନୟ ପ୍ରଧାନ କହିଛନ୍ତି।ଏହା ବ୍ୟତିରେକେ, ଗତ ମାସରେ ମଧ୍ୟ ଗୀତା ରୁଷ୍‌ରେ ଅବସ୍ଥିତ ଇଉରୋପ୍‌ର ଉଚ୍ଚତମ ଶୃଙ୍ଗ ‘ଏଲ୍‌ବ୍ରସ୍‌’ ଆରୋହଣ କରିଥିଲେ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଦାସର୍ବଦା ସୋସିଆଲ ମିଡିଆରେ ନିଜର ମନ୍ତବ୍ୟକୁ ନେଇ ସେ ଚର୍ଚ୍ଚାରେ ରହିଆସୁଛନ୍ତି । ଏବେ ସେ ଫେସବୁକର ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗଙ୍କ ବିଷୟରେ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ଯେତେବେଳେ ସେ କ୍ଷମତାରେ ଥିଲେ ଜୁକରବର୍ଗ ତାଙ୍କ ପଦାଙ୍କ ଅନୁସରଣ କରୁଥିଲେ ।ତେବେ ଏହି ସମୟ ମଧ୍ୟରେ ସେ ବ୍ୟବହାର କରିଥିବା ଭାଷା ଲେଖାଯାଇ ପାରି ନାହିଁ । ଟ୍ରମ୍ପ ତାଙ୍କୁ ‘ଅସୁସ୍ଥ’ ବୋଲି ମଧ୍ୟ କହିଛନ୍ତି ।

ବ୍ରିଟେନର ଏମା ରାଡୁକାନୁ କାନାଡାର ଲେଲା ଫର୍ଣ୍ଣାଣ୍ଡିଜଙ୍କୁ ପରାସ୍ତ କରି ମହିଳା ସିଙ୍ଗଲ୍ସ ୟୁଏସ୍ ଓପନ୍ ଟାଇଟଲ୍ ଜିତିଛନ୍ତି । ୧୮ ବର୍ଷ ବୟସ୍କା ଏମା ରାଡୁକାନୁ ଗ୍ରାଣ୍ଡସ୍ଲାମ ଟାଇଟଲ୍ ହାସଲ କରିଛନ୍ତି । ସେ କାନାଡାର ଲେଲାଙ୍କୁ ପରାସ୍ତ କରିଛନ୍ତି ଯିଏ କି ତାଙ୍କ ସମ ବୟସର । ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିବାକୁ ଏମା ରାଦୁକାନୁ ଫର୍ଣ୍ଣାଣ୍ଡିଜକୁ ୬-୪,୬-୩ ରେ ପରାସ୍ତ କରିଛନ୍ତି ।

ମହିଳାଙ୍କ ସ୍ୱାଧୀନତା ଏବଂ ଅଧିକାର କ୍ଷେତ୍ରରେ ତାଲିବାନ୍‌ର କଠୋରପନ୍ଥୀ ନୀତି ପ୍ରତି ପ୍ରତିବଦ୍ଧ ହୋଇ ଶନିବାର ଦିନ କାବୁଲ୍‌ ବିଶ୍ବବିଦ୍ୟାଳୟ ‘ଲେକ୍‌ଚର୍‌ ଥିଏଟର୍‌’ରେ ପୂର୍ଣ୍ଣ ମୁଖାବରଣ ପରିହିତା ଆଫଗାନ ମହିଳାମାନେ ଧାଡ଼ି ଧାଡ଼ି ହୋଇ ବସିଥିଲେ।ପାଶ୍ଚାତ୍ୟ ବି‌ରୋଧରେ ବକ୍ତାମାନେ ପ୍ରତିବାଦ କରିବାରୁ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ନୂତନ କଠୋର ପୋଷାକ ନୀତି ଅନୁସାରେ, ତାଳୁରୁ ତଳିପା ପର୍ଯ୍ୟନ୍ତ ଆବୃତ ହୋଇଥିବା ପ୍ରାୟ ୩୦୦ ଆଫଗାନ ନାରୀ ତାଲିବାନ୍ ପତାକା ଉଡ଼ାଇ ଇସ୍‌ଲାମୀୟମାନଙ୍କ ନୀତି ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ ।

ଇରାକ୍‌ସ୍ଥିତ ‘ଏର୍ବିଲ୍‌ ଆନ୍ତର୍ଜାତିକ ବିମାନ ବନ୍ଦର’ ନିକଟରେ କେତେଗୁଡ଼ିଏ ବିସ୍ଫୋରଣ ଘଟିଥିବା କଥା ‘ରୁଡ୍‌ୱ ଟିଭି’ ରିପୋର୍ଟକୁ ଭିତ୍ତିକରି ସମ୍ବାଦ ସରବରାହ ସଂସ୍ଥାନ ‘ସ୍ପୁଟ୍‌ନିକ୍‌’ ରିପୋର୍ଟ କରିଛି।ନିରାପତ୍ତା ସେବାରୁ ପ୍ରାପ୍ତ ପ୍ରାଥମିକ ରିପୋର୍ଟ ଅନୁସାରେ, ଉପରୋକ୍ତ ବିସ୍ଫୋରଣ ଡ୍ରୋନ୍‌ କିଂବା ରକେଟ୍‌ ଆକ୍ରମଣ ହେତୁ ଘଟିଛି, ତାହା ସ୍ପଷ୍ଟ ହୋଇ ନ ଥିବା ଗତ ମଧ୍ୟରାତ୍ର ପରେ ‘ରୁଡ୍‌ୱ’ ରିପୋର୍ଟ ଟୁଇଟ୍‌ କରିଥିଲା ।

ସେୟାର କରନ୍ତୁ

Leave a Reply

Your email address will not be published. Required fields are marked *

Next Post

ପ୍ରକୃତର ସୃଷ୍ଠି କେଡେ ବିଚିତ୍ର କେବଳ ଅନୁଭବିହିଁ ବୁଝିଥାଏ...

Sun Sep 12 , 2021
ବବିତା ସାମଲ(ଭଦ୍ରକ):୧୨/୦୯-ଆସିଯାଇଛି ପାର୍ବଣର ଋତୁ!ଏହି ଋତୁକୁ ସ୍ୱାଗତକରିବା ପାଁଇ ପ୍ରକୃତିରାଣୀ କାଶତଣ୍ଡି ଅବତରଣ କରିଛି ଧରାପୃଷ୍ଠରେ ।ଶରତ ଋତୁର ଆଗମନରେ ଏହି ଫୁଲ ପ୍ରଚୁରମାତ୍ରାରେ ଫୁଟିଥାଏ,ନଦୀ କୂଳରେ କାଶତଣ୍ଡି ପବନରେ ଦୋଳିଖେଳି ରାସ୍ତାରେ ଯାଉଥିବା ପଥିକକୁ ସ୍ୱାଗତ କରୁଥାଏ ।ଯେପରି ହସି ହସି ନଦୀପଠା, ବିଲହୁଡା ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରୁଥାନ୍ତି । ଯେପରି ମନେହୁଏ ପ୍ରକୃତିରାଣୀ କାଶତଣ୍ଡି ଫୁଲର ଗାଲିଚା ବିଛାଇ ଅନାଇରହିଛି ଦେବାଦେବୀଙ୍କ ଆଗମନକୁ ।”କଥାରେ […]

You May Like

Pin It on Pinterest