ବାସ୍ତବବ୍ୟୁରୋ:(ଭୁବନେଶ୍ୱର):ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ,ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା ‘ଗୁଲାବ’ ।ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛିକି,ଆଜି ମଧ୍ୟରାତ୍ରରେ ଗୋପାଳପୁର ଓ ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ମଧ୍ୟରେ ଏହା ସ୍ଥଳଭାଗ ଛୁଇଁପାରେ।
ଆଜି ଭୋର ସାଢ଼େ ୫ଟା ସୁଦ୍ଧା ବାତ୍ୟା ‘ଗୁଲାବ’ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବରେ ୨୭୦ କିଲୋମିଟର ଦୂରରେ ରହିଛି। ଏହା ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପ ସାଗରରେ କେନ୍ଦ୍ରୀଭୂତ ଥିବା ବେଳେ ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୧୦ କିଲୋମିଟର ବେଗରେ ପଶ୍ଚିମ ଆଡ଼କୁ ଗତି କରୁଛି।
ଆଜି ମଧ୍ୟରାତ୍ରରେ ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଛୁଇଁବାର ଥିବା ବେଳେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଛି। କିଛି ଅଞ୍ଚଳରେ ଝିପିଝିପି ବର୍ଷା ହେଉଛି। ଭୂସ୍ଖଳନ ଓ ଫ୍ଲାସ ଫ୍ଲଡ୍ ଆଶଙ୍କାରେ ୫ ଶହ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ‘ଗୁଲାବ’ ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ପ୍ରାୟତଃ ଘଣ୍ଟା ପ୍ରତି ୭୫ରୁ ୮୫ କିଲୋମିଟର ରହିବାର ଆକଳନ କରାଯାଇଛି ।

ବାତ୍ୟା ‘ଗୁଲାବ’ ପାଇଁ ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି।
ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଳାହାଣ୍ଡି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।