
ବାସ୍ତବବ୍ୟୁରୋ:(ଭୁବନେଶ୍ୱର):ବାତ୍ୟା ‘ଗୁଲାବ’ର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇସାରିଛି |ଆଜି ରାତି ୯ଟାରୁ ୯ଟା୩୦ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଜାରିରହିବ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି | ବର୍ତ୍ତମାନ ବାତ୍ୟା ଆନ୍ଧ୍ରପ୍ରଦେଶ କଳିଙ୍ଗପାଟନମ୍ ଉତ୍ତରକୁ ୨୫ କିମି ଦୂର ଏବଂ ଗୋପାଳପୁରଠାରୁ ୯୦ କିଲୋମିଟର ଦୂର ମୁରିଗୁଡ଼ା ଟେକାଲି ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ ବୋଲି ଜଣାପଡିଛି | ସେ କହିଛନ୍ତି ଯେ ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡିରେ ଅଧିକ ବର୍ଷା ନାହିଁ କି ପବନ ନାହିଁ।
ଏହି ଜିଲ୍ଳାଗୁଡ଼ିକରେ ଅଳ୍ପ ବର୍ଷା ଆରମ୍ଭ ହୋଇଛି ଆଉ ପବନର ବେଗ ଘଣ୍ଟାପ୍ରତି ୩୦କିଲୋମିଟର ରହିଛି। ଦିନ ୧୨ଟା ପରେ ବାତ୍ୟାର ବେଗ ବଢିଥିଲା ଯାହା ଫଳରେ ୩ ଘଣ୍ଟା ଆଗରୁ ଲ୍ୟାଣ୍ଡଫଲ ପ୍ରକ୍ରିୟା ସମ୍ପନ୍ନ ହେବ ବୋଲି ସେ କହିଛନ୍ତି । ବାତ୍ୟାର ଡ଼ାହାଣ ପାର୍ଶ୍ୱରେ ଅଧିକ ବର୍ଷା ହୁଏ ତେଣୁ ଏହି ଜିଲ୍ଳାଗୁଡ଼ିକରେ ବର୍ଷା ହେବ | ୮ଟି ଜିଲ୍ଲା ପାଇଁ ଅଧିକ ସତର୍କତା ଅବଲମ୍ବନ କରାଯାଇଛି।
ବାତ୍ୟା ଯୋଗୁ ପ୍ରଭାବିତ ହେବାର ଆଶଙ୍କା ଥିବା, ୧୬ ହଜାର ଲୋକଙ୍କୁ ଏବଂ ୬୦୦ରୁ ଅଧିକ ଭିନ୍ନକ୍ଷମ ଏବଂ ଗର୍ଭବତୀ ମା ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଆଜି ରାତିରେ ବି ସ୍ଥାନାନ୍ତରିତ ପ୍ରକ୍ରିୟା ଜାରି ରହିବ । ଗଜପତି, ରାୟଗଡା, କୋରାପୁଟରେ ଅଧିକା ଭୂ-ସ୍ଖଳନ ହେବାର ଆଶଙ୍କା ରହିଛି ବୋଲି ଶ୍ରୀ ଜେନା କହିଛନ୍ତି |